ଏୟାର ଇଣ୍ଡିଆରୁ ପ୍ରତ୍ୟାହାର ହେବ ପୁଂଜି : ନୀତି ଆୟୋଗର ପରାମର୍ଶ ଉପରେ ମୋହର ଲଗାଇଲେ କେନ୍ଦ୍ର ସରକାର

21

କନକ ବ୍ୟୁରୋ : ବିକ୍ରି ହେବ ଭାରତର ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଅଂଶଧନ । କ୍ଷତି ଭରଣା ପାଇଁ ହେବ ପୁଂଜି ପ୍ରତ୍ୟାହର । ଦୀର୍ଘ ଦିନ ହେବ କ୍ଷତିରେ ଚାଲୁଥିବା ଏହି କମ୍ପାନୀର ଭରଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କ୍ଷତିରେ ଚାଲଥିବା ଏହି ଉଡାଣ କମ୍ପାନୀକୁ ସଂପୂର୍ଣ୍ଣ ଘରୋଇ କରଣ କରିବାକୁ  ପରାମର୍ଶ ଦେଇଥିଲା  ନୀତିଆୟୋଗ । ପ୍ରାୟ ୫୨ ହଜାର କୋଟି ଟଙ୍କାର କ୍ଷତିରେ ଚାଲିଛି କମ୍ପାନୀ ।

ଏତେ ପରିମାଣର ଋଣରେ ଏୟାର ଇଣ୍ଡିଆରେ ବୁଡି ରହିଥିବା ବେଳେ ଦିନକୁ ଦିନ ଏହା କ୍ଷତି ବଢିଚାଲିଛି । ତେଣୁ ଏହାର ସୁଧାର ଆଣିବା ପାଇଁ ପୁଂଜି ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହାର ନୀତି ନିର୍ଦ୍ଧାରଣ କରିବା ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଅନୁଧ୍ୟାନ କରିବେ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି । ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁଂଜି ପ୍ରତ୍ୟାହାର ନେଇ ପ୍ରସ୍ତାବ ଦେଇଥିଲା । ଋଣ ଗ୍ରସ୍ତ ଏୟାର ଇଣ୍ଡିଆକୁ ୨୦୧୨ ମସିହାରେ ତତ୍କାଳୀନ ୟୁପିଏ ସରକାର ୩୦ ହଜାର କୋଟି ଟଙ୍କା ସହାୟତା ଦେଇଥିଲେ ।

ଦେଶର ସବୁଠାରୁ ବଡ଼ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପାଖରେ ରହିଛି ୧୪୦ଟି ବିମାନ । ସେଥିମଧ୍ୟରୁ ୪୧ଟି ବିମାନ ଆନ୍ତର୍ଜାତୀୟ ଉଡାଣ କରୁଥିବା ବେଳେ ୭୨ଟି ଘରୋଇ ଉଡ଼ାଣ କରୁଛି । ସେପଟେ ପୂର୍ବରୁ ଏୟାର ଇଣ୍ଡିଆ ବିକ୍ରି ହେଲେ ଟାଟା ଗ୍ରୁପ, ସିଙ୍ଗାପୁର ଏୟାରଲାଇନ୍ସ ସହ ମିଳିତ ଭାବରେ ଏହାକୁ କିଣିବ ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଏହାର ପୁଂଜି ଟାଟା ଗ୍ରୁପ କିଣିବ ବୋଲି କୁହାଯାଉଛି । ଏନେଇ ଅଣଔପଚାରିକ ଭାବେ ସରକାରୀ ଅଧିକାରୀଙ୍କ ସହ କମ୍ପାନୀର କର୍ତ୍ତୃପକ୍ଷ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ଦୀର୍ଘ ବର୍ଷ ପରେ ଏୟାର ଇଣ୍ଡିଆର ଅଂଶଧନ ପୁଣି ଟାଟା ଗ୍ରୁପ ପାଖକୁ ଆସିବ । ୧୯୫୩ ପୂର୍ବରୁ ଏହାର ମାଲିକାନା ଟାଟା ଗ୍ରୁପ ହାତରେ ଥିଲା ।