ପ୍ରଥମେ ଭତ୍ତା ପରେ ସେବା ! ପାଇଲଟଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ସମସ୍ତ ବକେୟା ଭତ୍ତା ପ୍ରଦାନ କଲା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ।

27

କନକ ବ୍ୟୁରୋ : ଡିୟୁଟି କରିବେ ନାହିଁ ବୋଲି ପାଇଲଟ୍ ସଂଘ ତରଫର ଧମକ ଦିଆଯିବା ପରେ ଏୟାର୍ ଇଣ୍ଡିଆ ପାଇଲଟମାନଙ୍କୁ ଜୁନ୍ ମାସର ଭତ୍ତା ପ୍ରଦାନ କରିଛି। ବୁଧବାର ଦିନ ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ସୋମବାର ଦିନ ଅର୍ଥାତ୍ ଅଗଷ୍ଟ ୨୦ ତାରିଖ ଦିନ ସବୁ ବକେୟା ଭତ୍ତା ପ୍ରଦାନ କରାଯାଇଛି । ପୂର୍ବରୁ ଏୟାରଲାଇନ ସଂଘ ଧମକ ଦେଇ କହିଥିଲା କି, ଯଦି ତୁରନ୍ତ ତା’ର ସଦସ୍ୟମାନଙ୍କର ଭତ୍ତା ପ୍ରଦାନ ନ କରାଯାଏ ତେବେ ସେମାନେ ଉଡ଼ାଣ ଡିୟୁଟିରୁ ବିରତ ରହିବେ। ଅଗଷ୍ଟ ୧୬ ତାରିଖ ଦିନ କମ୍ପାନିର ମ୍ୟାନେଜମେଣ୍ଟକୁ ‘ଇଣ୍ଡିଆନ୍ କମର୍ସିଆଲ୍ ପାଇଲଟ୍ସ୍ ଆସୋସିଏସନ୍ (ଆଇସିପିଏ) ଏକ ଚିଠିରେ କହିଥିଲା: ଆମେ ଜଣାଇ ଦେଉଛୁ ଯଦି ଉଡ଼ାଣ ଭତ୍ତା ତୁରନ୍ତ ଦିଆ ନ ଯାଏ ତେବେ ଆମେ ଉଡ଼ାଣ ଡିୟୁଟି ନିମନ୍ତେ କମ୍ପାନିକୁ ଆସିବୁ ନାହିଁ। କମ୍ପାନି ବେତନ ଦେଇଥିବାରୁ ଆମେ ଉଡ଼ାଣ ଛାଡ଼ି କେବଳ ଅଫିସ କାମ ପାଇଁ ହାଜର ହେବୁ।

 

ଆଇସିପିଏ କହିବା ଅନୁସାରେ, ପାଇଲଟ୍ ଏବଂ କେବିନ୍ କ୍ରୁ’ଙ୍କର ସମୁଦାୟ ଆୟର କେବଳ ୩୦% ହେଉଛି ମୂଳ ଦରମା। ଅନ୍ୟ କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦିଆଯାଉଥିବା ବେଳେ ପ୍ରତିମାସରେ ଆମକୁ ଉପେକ୍ଷା କରାଯଉଛି। ଆମ ସମୁଦାୟ ଉପାର୍ଜ୍ଜନର ମୁଖ୍ୟ ଅଂଶ ହେଉଛି ଭତ୍ତା । ଜୁଲାଇ ମାସର ଦରମା କମ୍ପାନି ଅଗଷ୍ଟ ୧୪ ତାରିଖରେ ଦେଇଥିଲା।