ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଅବତରଣ କଲା ଯୁଦ୍ଧ ବିମାନ ! ବାୟୁସେନାର ଟଚଡାଉନ ଅଭ୍ୟାସରେ ମିରାଜ, ଜାଗୁଆର, ସୁଖୋଇ ଓ ଏଏନ-୩୨ ସହ ୨୦ଟି ଯୁଦ୍ଧ ବିମାନ ସାମିଲ

26

କନକ ବ୍ୟୁରୋ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଅବତରଣ କରିଛି ଯୁଦ୍ଧ ବିମାନ । ବାୟୁସେନାର ଟଚଡାଉନ ଅଭ୍ୟାସରେ ସାମିଲ ହୋଇଛି ୨୦ଟି ଯୁଦ୍ଧ ବିମାନ । ଏକ୍ସପ୍ରେସୱେରେ ମିରାଜ ଟୁ ଥାଉଜାଂଟ, ଜାଗୁଆର, ସୁଖୋଇ ଥର୍ଟି ସହ ଏଏନ-ଥର୍ଟି ଟୁ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଅବତରଣ କରିଛି । ବାୟୁସେନାର ଏହି ଅଭ୍ୟାସରେ ପ୍ରାୟ ୨୦ଟି ବିମାନ ଭାଗ ନେଇଛନ୍ତି ।

ପ୍ରଥମେ ସୁପର ହରକ୍ୟୁଲେସ ସି-ୱନ ଥର୍ଟି-ଜେ ଏକ୍ସପ୍ରେସୱେରେ ଅବତରଣ କରିଥିଲା । ସୁପର ହରକ୍ୟୁଲେସ ସି-ୱନ ଥର୍ଟି-ଜେ ହେଉଛି ମାଲବାହୀ ଏୟାରକ୍ରାଫ୍ଟ । ଏହା ଅବତରଣ କରିବା ପରେ ଏହି ବିମାନରୁ କେତେକ ଗାଡି ବାହାରିଥିବା ଦେଖିବାକୁ ମିଳିଥିଲା । ଏହାପରେ ପରେ ୩ଟି ଜାଗୁଆର ବିମାନ ମଧ୍ୟ ଏକ୍ରପ୍ରେସୱେରେଅବତରଣ କରିଥିଲା । ପ୍ରଥମ ଥର ପାଇଁ ପରିବହନ ବିମାନ ଏଏନ-ଥର୍ଟି ଟୁ ବିମାନ ସଡକରେ ଅବତରଣ କରିଛି । ଟ୍ରାନ୍ସପୋର୍ଟ ବିମାନ ଏଏନ-ଥର୍ଟି ଟୁ ସଡ଼କରେ ଅବତରଣ କରିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସାମଗ୍ରୀ ପରିବହନ ହୋଇପାରିବ ଓ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇହେବ ।

ବାୟୁସେନାର ଏହି ଅଭ୍ୟାସ ପାଇଁ ଗତକାଲି ସକାଳ ଠାରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ଲକ୍ଷ୍ନୌ -ଆଗ୍ରା ଏକ୍ସପ୍ରେସୱେରେ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ତେବେ ଏହି ରାସ୍ତାରେ ଆସୁଥିବା ଗାଡି ଗୁଡିକ ପାଇଁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଛି । ୨୦୧୫ରେ ବାୟୁସେନାର ମିରାଜ-୨୦୦୦ ପ୍ରଥମ ଥର ପାଇଁ ରାଜପଥରେ ଅବତରଣ କରିଥିଲା । ଏହାପରେ ଗତବର୍ଷ ମଧ୍ୟ ଏହି ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଯୁଦ୍ଧ ବିମାନ ଅବତରଣ କରିଥିଲା ଏବଂ ଏହା ସଫଳ ମଧ୍ୟ ହୋଇଥିଲା ।