ପୂରିଲା ମାସେ, ହେଲେ ବଳିଆର ଫେରିଲା ନାହିଁ ଚେତା

45

କନକ ବ୍ୟୁରୋ: ଏମ୍ସରେ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ମାସେ ପୂରଣ ହୋଇଛି । ଇତିମଧ୍ୟରେ ଜଗା ଧୀରେ ଧୀରେ ସୁସ୍ଥ ହେଉଛି । ହେଲେ ବଳିଆର ଚେତା ସଂପୂର୍ଣ୍ଣ ଫେରିନି । ପ୍ରାଇଭେଟ୍ ଓ୍ଵାର୍ଡରେ ଚିକିତ୍ସିତ ହେଉଥିବା ବଳିଆ ଏବେ ବି ଭେଣ୍ଟିଲେଟରରେ ଅଛି । ତା’କୁ କ୍ରିଟିକାଲ କେୟାର ସ୍ପେସାଲିଷ୍ଟ୍ ଦଳ ଲଗାତାର ନିରୀକ୍ଷଣରେ ରଖିଛନ୍ତି । ତେବେ ବଳିଆର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତଥା ହୃତପିଣ୍ଡ, କିଡନି ଓ ଲିଭର ଠିକ୍ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ତା’କୁ ବାରମ୍ବାର ବାତ ମାରିବା ସମସ୍ୟାରେ ମଧ୍ୟ ସାମାନ୍ୟ ଉନ୍ନତି ଆସିଥିବା ଜଣାପଡ଼ିଛି । ସମସ୍ତ ମସ୍ତିଷ୍କ କୋଷ ରିଫ୍ଲେକ୍ସ ଠିକ୍ ଥିବା ଯୋଗୁଁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ନିଶ୍ଚିତ ସୁଧାର ଆସିବ ବୋଲି ଡାକ୍ତରୀଦଳ ଆଶାବାଦୀ ଅଛନ୍ତି ।

ସୂତ୍ର ଅନୁଯାୟୀ, ବଳିଆ ଏହି ମାସକ ମଧ୍ୟରେ ୫ରୁ ୬ ଥର ଗୋଡ଼ ହାତ ହଲେଇଥିଲା ଏବଂ ମଝିରେ ଟିକିଏ ଆଖି ଖୋଲିଥିଲା । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ବଳିଆ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଖି ନଖୋଲିଛି, ସେ ପର୍ଯ୍ୟନ୍ତ ସେ ଆଖି ଖୋଲିଛି ବୋଲି କହିହେବନି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଯେଉଁ ପ୍ଲାଷ୍ଟିକ୍ ସର୍ଜରି କରାଯାଇଥିଲା ସେଥିରେ ମୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଢଙ୍କାଯାଇନଥିବାରୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଉଛି । ଅପରପକ୍ଷେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ସ୍ୱାଭାବିକ ଭାବେ ଜଗା ଖିଆ ପିଆ କରୁଛି, ଖେଳୁଛି ତଥା ମା’ ଓ ବାପାଙ୍କ ସହିତ ଅଧିକାଂଶ ସମୟ ବିତାଉଛି ।