ଭୁବନେଶ୍ୱରର ଏମ୍ସ ବିଲ୍ଡିଂର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ : ଖସିଲା ଆଉଟଡୋରର ସିଲିଂ,ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟ

26

କନକ ବ୍ୟୁରୋ : ଅସୁରକ୍ଷିତ ଏମ୍ସ ହସ୍ପିଟାଲ । କେତେବେଳେ ହସ୍ପିଟାଲର କାନ୍ଥ ଦବି ଯାଉଛି ତ ଆଉ କେତେବେଳ କାନ୍ଥର ସିଲିଂ ଖସିପଡୁଛି । ପ୍ରଥମେ କାଜୁଆଲଟି ବିଭାଗର କାନ୍ଥ ଦବି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଭୟ ରୋଗୀ ଓ ମେସନାଙ୍କ ସମ୍ପର୍କୀୟଙ୍କ ମନରୁ ନଲିଭୁଣୁ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ହସ୍ପିଟାଲ ପରିସରରେ ଥିବା ଆଉଟଡୋର ବା ଟିକଟ କାଉଁଟର ନିକଟରେ ଛାତର ସିଲିଂ ଖସିପଡିଛି । ଯାହାକୁ ନେଇ ଭୟଭୀତ ଅଛନ୍ତି ରୋଗୀ ଓ ସମ୍ପର୍କୀୟ । କାରଣ ଏମ୍ସକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ହସ୍ପିଟାଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ସବୁଦିନ ଭଳି ଶୁକ୍ରବାର ସକାଳେ ଟିକେଟ୍‌ କାଉଣ୍ଟର୍‌ରେ ପ୍ରବଳ ଭିଡ଼ ଲାଗି ରହିଥିଲା । ରୋଗୀଙ୍କ ସମ୍ପର୍କୀୟମାନେ ଟିକେଟ୍‌ କରିବା ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିଲେ । ଏତିକିବେଳେ ହଠାତ୍‌ ଛାତ ସିଲିଂର ଏକ ବଡ଼ ଅଂଶ ଖସି ପଡ଼ିିଥିଲା । ସୌଭାଗ୍ୟକୁ ଠିକ୍‌ ସେହି ସ୍ଥାନରେ କେହି ଠିଆ ହୋଇ ନଥିଲେ । ତେଣୁ ଏଥିରେ କାହାର କିଛି କ୍ଷତି ହୋଇ ନଥିଲା । ମାତ୍ର ସିଲିଂ ଖସିବା ଜାରି ରହିବା ଭୟରେ ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ଅତଙ୍କିତ ହୋଇ ପଡ଼ିଥିଲେ। ଏମିତିକି ଅନେକ ଲୋକ ଲାଇନ୍‌ରୁ ବାହାରି କାଉଣ୍ଟର୍‌ ବାହାରକୁ ପଳାଇ ଯାଇଥିଲେ । କିଛିି ସମୟ ପର୍ଯ୍ୟନ୍ତ ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା । ଖବର ପାଇ ଏମ୍‌ସର କିଛି ବରିଷ୍ଠ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ପରେ ନିର୍ଦେଶିକା ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସିଲିଂ ଛିଡ଼ିଥିବା ସ୍ଥାନକୁ ତନଖି କରିବା ପାଇଁ ଟେକ୍‌ନିସିଆନ୍‌ଙ୍କୁ ଡକାଯାଇଥିଲା । ଯାଞ୍ଚ ପରେ ଜଣାଯାଇଥିଲା ଯେ ସିଲିଂ ହୋଇଥିବା ଗୋଟିଏ ଅଂଶର ନଟ୍‌ ବୋଲ୍‌ଟ ଖସି ଯିବାରୁ ସେହି ଅଂଶ ତଳକୁ ଖସି ପଡ଼ିଛିି। ବାକି ଅନ୍ୟ ସମସ୍ତ ଅଂଶ ଠିକ୍‌ଠାକ୍‌ ଥିଲା । ତେଣୁ ଟିକେଟ୍‌ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏମ୍‌ସ କର୍ତୃପକ୍ଷ ଆଶ୍ୱାସନା ଦେଇଥିଲେ ଓ ପରେ ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା ।