ହଟନ୍ତୁ ପ୍ରସାଦ ହଟନ୍ତୁ ନରସିଂହ ! ପର୍ଯ୍ୟବେକ୍ଷକଙ୍କ ସହ ବୈଠକ ପରେ କଂଗ୍ରେସରେ ନୂଆ ବିବାଦର ସୂତ୍ରପାତ

24

କନକ ବ୍ୟୁରୋ : ସରିଲା କଂଗ୍ରେସର ମାନସ ମନ୍ଥନ । ହାଇକମାଣ୍ଡ ପଠାଇଥିବା ୩ଜଣିଆ ପର୍ଯ୍ୟବେକ୍ଷକ ଦଳ ୩ଦିନ ଧରି ନେତା ଓ କର୍ମୀଙ୍କ ସହ ଆଲୋଚନା କଲେ । ରାଜ୍ୟ କଂଗ୍ରେସର ସ୍ଥିତି ସୁଦୃଢ କରିବାପାଇଁ ମତାମତ ନେବା ସହ କାହାକୁ ମଙ୍ଗୁଆଳ କରାଯିବ ସେ ନେଇ ଆଲୋଚନା ମଧ୍ୟ କଲେ । କିନ୍ତୁ ଥମୁନି ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ । ଯଦି ଆମୂଳଚୁଳ ପରିବର୍ତ୍ତନ ହେବ ତେବେ ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ବଦଳିବା ଦରକାର ବୋଲି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମର୍ଥକ ଦାବୀ କରିବା ଏହି ବିବାଦକୁ ଏବେ ନୁଆ ରୂପ ଦେଇଛି ।

ଅନ୍ୟପଟେ ସମାନ ଦାବୀ ରଖିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ସୂଚନା ଅନୁସାରେ ନିରଂଜନ ପଟ୍ଟନାୟକଙ୍କୁ ସଭାପତି କରିବା ସହ ନରସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କେନ୍ଦ୍ରୀୟ ଟିମ୍ ସମ୍ମୁଖରେ ଦାବୀ ରଖିଛନ୍ତି ବିଧାୟକ ଦଳ । ତେଣୁ ପ୍ରସାଦ ସମର୍ଥକଙ୍କ ଏହି ଦାବୀକୁ ସହଜରେ ଗ୍ରହଣ କରିପାରିନାହାନ୍ତି ।

ଆଜି ତୃତୀୟ ଦିନ ପାଇଁ ନେତା ଓ କର୍ମୀଙ୍କ ସହ ସଂଗଠନ ନେଇ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କର୍ମୀ ମଧ୍ୟ ନିଜ ମତ ରଖିବା ସହ ନିଜ ପସନ୍ଦର ସଭାପତିଙ୍କ ସପକ୍ଷରେ ଜୋରସୋର ପ୍ରଚାର କରିଛନ୍ତି । ଖୁବ୍ ଶୀଘ୍ର ହାଇକମାଣ୍ଡଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ଦଳ । ଆଉ ଏହି ଆଲୋଚନା ନିଶ୍ଚିତ ଫଳପ୍ରଦ ହେବ ବୋଲି ଆଶା ବାନ୍ଧିଛନ୍ତି ରାଜ୍ୟ ନେତା ।

ସୂଚନା ଅନୁସାରେ ରାଜ୍ୟ କଂଗ୍ରେସ ସଂଗଠନ ଢାଂଚାରେ ଆସିବ ପରିବର୍ତ୍ତନ । ପିସିସି ସଭାପତିଙ୍କ ସହ ୨୦୦୯ ମସିହା ପରି ରାଜ୍ୟକୁ ୩ଟି ଜୋନରେ ଭାଗ ବାଂଟି ୩ଜଣଙ୍କୁ କରାଯିବ କାର୍ଯ୍ୟକାରୀ ସଭାପତି । ଫଳରେ ସବୁ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରାଯିବା ସହ ଆଶାୟୀଙ୍କୁ ମଧ୍ୟ ଥଇଥାନ କରାଯାଇପାରିବ ।