ନବ ଗଲେ, ଯୋଗେଶ ବି ଗଲେ ! ସ୍ଥିତି ସୁଧାରିପାରିବେ କି ରାହୁଲ ?

150

କନକ ବ୍ୟୁରୋ: ନିର୍ବାଚନକୁ ଆଉମାତ୍ର କେଇ ମାସ ବାକିଥିବାବେଳେ ପୂର୍ବ ଭାରତକୁ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେଣୁ ଓଡ଼ିଶା ଉପରେ ଫୋକସ କରିଛନ୍ତି ଜାତୀୟ ରାଜନୀତିର ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ । ଯେଉଁଥି ପାଇଁ କେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତ କେତେବେଳେ କଂଗ୍ରେସ ଅଧକ୍ଷ୍ୟ ରାହୁଲ ଗାନ୍ଧି ମାରାଥନ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ବର୍ତ୍ତମାନ ରାହୁଲ ଫୋକସରେ ପଶ୍ଚିମ ଓଡ଼ିଶା ସେଥିପାଇଁ ଆସନ୍ତା ୬ ତାରିଖ ଦିନ ଭବାନୀପାଟଣା ଏବଂ ରାଉରକେଲା ଗସ୍ତରେ ଆସିବେ କଂଗ୍ରେସ ହାଇକମାଣ୍ଡ । କାରଣ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଗଡ଼ କୁହାଯାଉଥିବା ଦୁଇଟି ଆସନ ଝାରସୁଗୁଡ଼ାରୁ ନବ ଦାସ ଏବଂ ସୁନ୍ଦରଗଡ଼ରୁ ଯୋଗେଶ ସିଂହଙ୍କ ହାତ ଛାଡ଼ିବା ପରେ ‘ହାତ’ ଦୁର୍ବଳ ହୋଇପଡ଼ିଛି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ କିଛି ବିକଳ୍ପ ଖୋଜି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ରାହୁଲ ।

ଯଦି ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନକୁ ନଜର ପକାଇବା ଝାରସୁଗୁଡ଼ାରେ ନବ ଦାସ ଉଭୟ ଥର କଂଗ୍ରେସକୁ ବିଜୟ ସ୍ୱାଦ ଦେଇଥିଲେ । ୨୦୦୯ରେ ନବ ଦାସ ୬୨ ହଜାର ୬୬୩ଟି ଭୋଟ୍ ଜିତି ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାସ୍ତ କରିଥିଲେ । ସେହିଭଳି ୨୦୧୪ରେ ମଧ୍ୟ ଝାରସୁଗୁଡ଼ାରୁ ୭୪ ହଜାର ୪୪୯ଟି ଭୋଟ ହାତେଇ ପୁର୍ନବାର ବିଜେଡିର ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାଜୟର ଦ୍ୱାରା ଦେଖାଇଥିଲେ । କିନ୍ତୁ ବର୍ତ୍ତମାନ ଖୋଦ୍ ନବ ଦାସ ଏବେ ବିଜେଡିରେ ସାମିଲ ହୋଇଛନ୍ତି ।

ସେପଟେ ସୁନ୍ଦରଗଡ଼ରେ ମଧ୍ୟ ସମାନ ସମସ୍ୟା । କଂଗ୍ରେସର ଦୁଇ ଥର ବିଧାୟକ ପଦ ହାତେଇଥିବା ଯୋଗେଶ ସିଂହ ମଧ୍ୟ କଂଗ୍ରେସକୁ ବାଏ ବାଏ କହିସାରିଛନ୍ତି । ଯୋଗେଶ ମଧ୍ୟ ଉଭୟ ୨୦୦୯ ଏବଂ ୨୦୦୧୪ର ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ବିଜୟ ସୂତ୍ରଧାର ପାଲଟିଥିଲେ । ଯେଉଁଥିପାଇଁ ୨୦୦୯ରେ ଯୋଗେଶଙ୍କୁ ସୁନ୍ଦରଗଡ଼ରେ ୫୫ ହଜାର ୧୮୩ଟି ଭୋଟ୍ ଏବଂ ୨୦୧୪ରେ ୬୬ ହଜାର ୧୩୮ଟି ଭୋଟ ଦେଇ ବିଜୟୀ କରାଇଥିଲେ ସୁନ୍ଦରଗଡ଼ ବାସୀ ।

ତେଣୁ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଅଧକ୍ଷ୍ୟ କ’ଣ କରିବେ ଏବଂ କେଉଁ ରଣନୀତି ନେଇ ହାତକୁ ପୁଣି ମଜଭୁତ କରିବେ ରାହୁଲ ତାହା ଉପରେ ନଜର ରହିଛି । ଦୀର୍ଘ ୧୮ ବର୍ଷ ହେବ ଓଡ଼ିଶାରେ କେବଳ ବିଜେଡି ହାତରେ ହିଁ ଶାସନର ଡ଼ୋରୀ ରହିଛି । ତେଣୁ ବିଜେପି ଓ କଂଗ୍ରେସର ଶୀର୍ଷ ନେତାମାନେ ଏବେ ଓଡ଼ିଶାକୁ ଦଖଲ କରିବା ପାଇଁ କେଉଁଭଳି ଗୋଟିଚାଳନା କରିବେ ବିରୋଧୀ ତହା ମଧ୍ୟ ସସପେନ୍ସରେ ରହିଛି ।