ରେମୁଣାରେ ରାହୁଲଙ୍କ ବଡ଼ ଘୋଷଣା । ଗରିବ ପରିବାରକୁ ବର୍ଷକୁ ୭୨ ହଜାର, ବେରୋଜଗାରୀଙ୍କୁ ମାସିକ ୬ ହଜାର ଟଙ୍କା ଆଉ ଚାଷୀଙ୍କ ପାଇଁ ନୂଆ ଆଇନ୍ ।

203

କନକ ବ୍ୟୁରୋ: ବାଲେଶ୍ୱର ରେମୁଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବଡ଼ ଘୋଷଣା । ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ କଂଗ୍ରେସ । କ୍ଷମତାକୁ କଂଗ୍ରେସ ଆସିଲେ ବର୍ଷକୁ ୭୨ ହଜାର ଟଙ୍କା ଗରିବ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବ । ୫ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସିଧା ଟଙ୍କା ପଠାଯିବ । ୨୫ କୋଟି ଗରିବ ପରିବାର ଉପକୃତ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ଅନ୍ୟପଟେ ଦେଶରେ ଏବେ ୪ଟି ମୁଖ୍ୟ ମୁଦ୍ଦା ରହିଛି ଯଥା- ବେରୋଜଗାରୀ, କିଷାନ, ମହଙ୍ଗା ଦର ଏବଂ ମୋଦିଙ୍କ ଭଷ୍ଟ୍ରାଚାର । ଯାହାକି ଦେଶର ଅର୍ଥନୀତିକୁ ଦୁର୍ବଳ କରି ଗରିବ ଓ ମଧ୍ୟବିତଙ୍କ ଉପରେ ଦାଉ ସାଜୁଛି । ତେଣୁ ଏହା ଉପରେ କଂଗ୍ରେସର ସର୍ଜିକାଲ ଷ୍ଟ୍ରାଇକ କରିବ । ସରକାର ଗଢ଼ିବା ମାତ୍ରେ ଯେଉଁଭଳି ପୂର୍ବରୁ ତିନି ରାଜ୍ୟରେ କଥା ଦେଇ କଥା ରଖିଛି କଂଗ୍ରେସ । ସେହିଭଳି ଓଡ଼ିଶାରେ ମଧ୍ୟ କିଷାନଙ୍କ ଠାରୁ ଉପଯୁକ୍ତ ମୁଲ୍ୟରେ ଧାନ କିଣିବାର ବ୍ୟବସ୍ଥା ଏବଂ ଋଣ ଛାଡ଼ କରିବ କଂଗ୍ରେସ ।

ସେହିପରି ବିଗତ ୫ ବର୍ଷ ମଧ୍ୟରେ ଦେଶ ବେକାରୀ ସମସ୍ୟାରେ ଉବୁଟୁବୁ ହେଉଛି । ତାହାର ସମାଧାନ ବାଟ ବାହାର କରି, ପ୍ରତି ଯୁବକ ଯବୁତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କର୍ମ ନିଯୁକ୍ତି ନପାଇବା ପର୍ଯ୍ୟନ୍ତ ମାସିକ ୬ ହଜାର ପ୍ରଦାନ କରିବ । ଯେଉଁ ପରିବାରର ମାସକୁ ଆୟ ୧୨ ହଜାରରୁ କମ୍ ଥିବ ସେହିମାନଙ୍କ ଆକାଣ୍ଟକୁ ଏହି ୬ ହଜାର ପ୍ରତିମାସ ୧ ତାରିଖରେ ପୈଠ ହେବା ସହ ବର୍ଷକୁ ୨୨ ଲକ୍ଷ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

ସେହିପରି ରେମୁଣାରୁ ମଧ୍ୟ ରାହୁଲ ମୋଦିଙ୍କ ଉପରେ ପ୍ରବଳ ବର୍ଷିଲେ । କହିଲେ, ପ୍ରଧାନମନ୍ତ୍ରୀ ଏବେ ଯୁଆଡ଼େ ଯାଉଛନ୍ତି ତାଙ୍କୁ ଲୋକମାନେ ଚୌକିଦାର ଚୋର୍ ହେ’ ଡ଼ାକୁଛନ୍ତି । କାରଣ ମୋଦି ୫ ବର୍ଷ ପୂର୍ବେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟରୁ ଗୋଟିଏ ପ୍ରତିଶ୍ରୁତି ପାଳନ କରି ନାହାନ୍ତି । କେବଳ ଦେଶରେ ଭ୍ରଷ୍ଟାଚାର ଓ ବେରୋଜଗାରୀ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ଆଉ ଅମ୍ବାନୀ, ନୀରବ, ବିଜୟ ମାଲ୍ୟାଙ୍କ ଭଳି ଧନୀ ଲୋକଙ୍କ ପକେଟ୍ ଗରମ କରୁଛନ୍ତି ଆଉ ସେହିମାନଙ୍କ ଆକାଉଣ୍ଟରୁ ଟଙ୍କା ଗରିବଙ୍କ ଖାତାକୁ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।