କଂଗ୍ରେସରେ କନ୍ଦଳ ଭିତରେ ଆଜି ଏଆଇସିସି ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଦଳର ଆଲୋଚନା ! ଉଠିପାରେ ପିସିିସି ନେତୃତ୍ୱ ପରିବର୍ତ୍ତନ ସ୍ୱର

22

କନକ ବ୍ୟୁରୋ: ଆଜି କଂଗ୍ରେସ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବେ ଦଳୀୟ ବିଧାୟକ । ଆଜି ଅପରାହ୍ନରେ ପର୍ଯ୍ୟବେକ୍ଷକମାନଙ୍କ ସହ ଦଳୀୟ ବିଧାୟକମାନେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନା ସରଗରମ ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ ବିଧାୟକମାନେ ପିସିସି ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି ।

ଗତକାଲି କଂଗ୍ରେସ ଜିଲ୍ଲା ସଭାପତି, ବିଭିନ୍ନ ସାମ୍ମୁଖ୍ୟ ମୁଖ୍ୟ ତଥା ପିସିସି କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ ଏଆଇସିସି ପର୍ଯ୍ୟବେକ୍ଷକ । ତେବେ ଏହି ଆଲୋଚନାରେ ପର୍ଯ୍ୟବେକ୍ଷକମାନେ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କିନ୍ତୁ ଆଲୋଚନା ବେଳେ ପିସିସି ପରିବର୍ତ୍ତନ ପ୍ରସଙ୍ଗ ଉଠି ନଥିଲା । ପର୍ଯ୍ୟବେକ୍ଷକମାନେ ତିନି ଦିନ ଧରି ସାକ୍ଷାତ ଆଲୋଚନା କରିବା ପରେ ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବେ ।

ସୂଚନା ମୁତାବକ, ରାଜ୍ୟ କଂଗ୍ରେସର ସ୍ଥିତି ପରଖିବାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ଆସିଛନ୍ତି । ପ୍ରଥମ ଦିନରେ ବିଭିନ୍ନ ଜିଲ୍ଲା ସଭାପତି ମାନଙ୍କୁ ଜଣ ଜଣ କରି ଭେଟିବା ସହ ସେମାନଙ୍କ ସହ ସଙ୍ଗଠନକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ । କିନ୍ତୁ ପିସିସି ପରିବର୍ତ୍ତନ ପ୍ରସଙ୍ଗ ଉଠି ନଥିଲା । ବରଂ ସଂଗଠନକୁ କିପରି ମଜବୁତ କରାଯିବ ସେ ନେଇ ପ୍ରଶ୍ନ ପଚାରିଥିଲେ ।

ଏହା ସହିତ ପିସିସି କର୍ମକର୍ତ୍ତା ଓ ବିଭିନ୍ନ ଛାମୁଆ ସଂଗଠନର ପଦାଧିକାରୀଙ୍କ ସହ ମଧ୍ୟ ସମାନ ଆଲୋଚନା କରିଛନ୍ତି । କଂଗ୍ରେସର ଏଭଳି ପରିସ୍ଥିତି ପାଇଁ ଦୁର୍ବଳ ନେତୃତ୍ୱକୁ ଦାୟୀ କରୁଥିଲେ ଖୋଦ କଂଗ୍ରେସ ନେତା । ତେଣୁ ପର୍ଯ୍ୟବେକ୍ଷକ ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ନକରିବା କଂଗ୍ରେସ ନେତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟପଟେ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ମତ ରଖିଛନ୍ତି କିଛି ପିସିସି କର୍ମକର୍ତ୍ତା । କଂଗ୍ରେସର ଦୂରାବସ୍ଥା ପାଇଁ ଦୁର୍ବଳ ନେତୃତ୍ୱ ମୁଖ୍ୟ କାରଣ ଓ ତୃଣମୂଳ ସ୍ତରରେ କର୍ମୀ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଉ ପର୍ଯ୍ୟବେକ୍ଷକ ଦଳର ଏହି ଗସ୍ତ କିଛି ସକରାତ୍ମକ ଫଳ ଦେବ ବୋଲି ଆଶା ବାନ୍ଧିଛନ୍ତି ।