ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ପାଇଁ ଅଗ୍ନି ପରୀକ୍ଷା : ପର୍ଯ୍ୟବେକ୍ଷକଙ୍କୁ ଏକାଠି ଭେଟିଲେ ସବୁ ବିଧାୟକ, ଦେଲେ ପରିବର୍ତ୍ତନର ନାରା

45

କନକ ବ୍ୟୁରୋ : ପିସିସି ସଭାପତିଙ୍କ କଟକଣାକୁ ଖାତିର ନକରି, ବିଧାୟକ ଦଳ ନେତାଙ୍କ ଘରେ ବୈଠକ ସାରି, କଂଗ୍ରେସ ଭବନ ପହଂଚିଲେ ଦଳର ୧୫ ଜଣ ବିଧାୟକ, ଏବଂ ସମସ୍ତେ ଏକାଠି ମିଶି ପର୍ଯ୍ୟବେକ୍ଷକଙ୍କୁ ଜଣାଇଲେ, ଦଳକୁ ପୁନର୍ଜୀବିତ କରିବା ପାଇଁ କ’ଣ କରିବା ଦରକାର । କ୍ୟାମେରା ଆଗରେ କିଛି ବିଧାୟକ କହିଛନ୍ତି, ପିସିସି ପରିବର୍ତନ ପାଇଁ ସେମାନେ ରୋକଠୋକ୍ ପରାମର୍ଶ ଦେଲେ ଏବଂ ସଭାପତି ପଦରେ ନିରଂଜନ ପଟ୍ଟନାୟକଙ୍କୁ ବସାଇବା ପାଇଁ ଦାବି ଜଣାଇଲେ ।

ଭାରତର ଏହି ସର୍ବପୁରାତନ ଦଳର ଓଡ଼ିଶା ସ୍ଥିତି କାହାକୁ ଅଛପା ନାହିଁ । ଗତ ୧୭ ବର୍ଷ ହେଲା, ଦଳ କ୍ଷମତାକୁ ଆସିବା ତ ଦୂରର କଥା, ବରଂ ନିଜ ଭିତରେ କନ୍ଦଳ ପାଇଁ ବେଶ ପଛକୁ ଚାଲି ଯାଇଛି । ଏପରିକି, ପଂଚାୟତ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି । ଗତ ପଂଚାୟତ ନିର୍ବାଚନର ଫଳାଫଳ, କଂଗ୍ରେସ ନେତାଙ୍କୁ ଚିନ୍ତାରେ ପକାଇ ଦେଲା, ଆଉ ତାପରେ ଆରମ୍ଭ ହେଲା- ଦିଲ୍ଲୀ ଚଲୋ ଅଭିଯାନ । ଶେଷରେ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀ, ଭୁବନେଶ୍ୱରକୁ ପର୍ଯ୍ୟବେକ୍ଷକ ପଠାଇ, ନେତାଙ୍କ ମତନେବାକୁ ସ୍ଥିର କଲେ ।

୨୦୧୯ ନିର୍ବାଚନ ପାଇଁ ଗୋଟିଏ ପଟେ ବିଜେଡି ଓ ବିଜେପି, ପ୍ରସ୍ତୁତି ଚଳାଇଥିବା ବେଳେ ଏପଟେ କଂଗ୍ରେସ କିନ୍ତୁ ନିଜ କ୍ୟାପଟେନ୍ ଖୋଜୁଛି । ଦେଖିବାର କଥା ହେଉଛି, ଏହି ସର୍ବପୁରାତନ ଦଳର ନୂଆ କ୍ୟାପଟେନକୁ ନେଇ ମୈଦାନକୁ ଓହ୍ଲାଇବ ନା’ ପୁରୁଣା ମୁଖିଆଙ୍କ ଉପରେ ଆସ୍ଥା ରଖି ଆଗକୁ ବଢ଼ିବ ।