ପିସିସି ନେତାଙ୍କୁ ଦିଲ୍ଲୀରୁ ଡାକରା ! ଆସନ୍ତା ୫ ତାରିଖରେ ହାଇକମାଣ୍ଡଙ୍କୁ ଭେଟିବେ ୩୦ରୁ ଅଧିକ ନେତା

21

କନକ ବ୍ୟୁରୋ : ଦିଲ୍ଲୀରୁ ଆସିଛି ଡାକରା । ରାଜ୍ୟ କଂଗ୍ରେସର ନବକଳେବର ନେଇ ଚର୍ଚ୍ଚା ଚାଲିଥିବାବେଳେ ଏଆଇସିସି ପକ୍ଷରୁ ରାଜ୍ୟର ୩୦ରୁ ଅଧିକ ନେତାଙ୍କୁ ଡାକରା ଆସିଛି । ଆସନ୍ତା ୫ ତାରିଖରେ ଏହି ନେତାମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବେ । ରାଜ୍ୟ କଂଗ୍ରେସରେ ପିସିସି ପରବର୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାଛଡା ଦଳ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛି ।

ବିଭିନ୍ନ ସମୟରେ ଦଳୀୟ କନ୍ଦଳ ବି ପଦାରେ ପଡିଛି । ରାଜ୍ୟ କଂଗ୍ରେସର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଗତମାସରେ ଏଆଇସିସି ପର୍ଯ୍ୟବେକ୍ଷକ  ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ପିସିସି ନେତୃତ୍ୱ ପରିବର୍ତନ ଦାବି ଜୋର ଧରିଥିଲା । ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ଅଧିକାଂଶ ବିଧାୟକ ଓ ନେତା ମତ ଦେଇଥିଲେ । ଏଆଇସିସି ପର୍ଯ୍ୟବେକ୍ଷକ ବିଭିନ୍ନ ବର୍ଗର ନେତାଙ୍କ ସହ ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ନେଇ ଆଲୋଚନା କରିଥିଲା । ଏହି ଦଳ ଦିଲ୍ଲୀ ଯାଇ ରାଜ୍ୟ କଂଗ୍ରେସ ସ୍ଥିତି ସମ୍ପର୍କରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବା ପରେ ଏଆଇସିସି ପକ୍ଷରୁ ଏହି ଡାକରା ଆସିଛି ।

ରାଜ୍ୟ କଂଗ୍ରେସର ମୁଖିଆ ଚିନ୍ତା । ପ୍ରସାଦ ହରିଚନ୍ଦନଙ୍କ ପାଇଁ ଅଗ୍ନିପରୀକ୍ଷା । ଗତମାସରେ ଏଆଇସିସି ପର୍ଯ୍ୟବେକ୍ଷକ ଭୁବନେଶ୍ୱର ଆସିଥିଲେ । କଂଗ୍ରେସ ଭବନରେ ଚାଲିଥିଲା କସରତ । ପ୍ରତି ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରୁଥିଲେ ଏଆଇସିସି ପର୍ଯ୍ୟବେକ୍ଷକ । ସାଂସଦ ତାମ୍ରଧ୍ୱଜ ସାହୁ, ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ସିଂ, ସାଂସଦ ଗୌରବ ଗୋଗୋ. ରାଜ୍ୟ କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାର ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଥିଲେ ।

ଗତ ପଂଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପରେ ପିସିସିର ନେତୃତ୍ୱ ପରିବର୍ତନ ଦାବି ଜୋର ଧରିଛି । ପିସିସି ସଭାପତି ହଟାଇବା ଜିଦରେ ଅଟଳ ଅଛନ୍ତି ବିଧାୟକମାନେ । ଏଭଳି ସ୍ଥିତିରେ ପର୍ଯ୍ୟବେକ୍ଷକଙ୍କ ଏହି ଗସ୍ତ ନିର୍ଣ୍ଣାୟକ ହେବା ଆଶା କରାଯାଉଥିଲା । କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଥିଲେ, ବର୍ତମାନ ପିସିସି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ତା ଦ୍ୱାରା ଦଳ ଆଗକୁ ବଢିପାରିବ ନାହିଁ । ଏଥିପାଇଁ ଦଳର ଢାଂଚାରେ ପରିବର୍ତନ ହେବା ଦରକାର । ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରୁଥିଲେ । ବିଧାୟକମାନଙ୍କ ସହ ପର୍ଯ୍ୟାୟକ୍ରମେ ବୈଠକ କରି ରାଜ୍ୟ ସଂଗଠନ ଭିତରେ ସୃଷ୍ଟି ହୋଇଥିବା କନ୍ଦଳର ସମାଧାନ ବାଟ ଖୋଜିଥିଲେ ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ।