ଭାରତରେ ଏମିତି ହୁଏ ଆମରଣ ଅନଶନ ! ଷ୍ଟେଜ ଉପରେ ଆନ୍ଦୋଳନ, ଷ୍ଟେଜ ପଛରେ ଗରମାଗରମ ବିରିୟାନୀ ଭୋଜନ

59

ଷ୍ଟେଜ ଉପରେ ଆମରଣ ଅନଶନ । ଆଉ ଷ୍ଟେଜ ପଛରେ ଗରମାଗରମ ବିରିୟାନୀର ମଜା । ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାବେରୀ ଜଳ ବଣ୍ଟନ ବିବାଦକୁ ନେଇ ତାମିଲନାଡୁର ଏଆଇଏଡିଏମକେ ପକ୍ଷରୁ ଆମରଣ ଅନଶନ କରାଯାଉଥିବା ବେଳେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି । ଏଆଇଏଡିଏମକେ କାର୍ଯ୍ୟକତା କିଭଳି ଖାଇପିଇ ଆମରଣ ଅନଶନ କରୁଛନ୍ତି ତାହା ଏହି ଭିଡ଼ିଓରେ ସାମ୍ନାକୁ ଆସିଛି । ଷ୍ଟେଜ ଉପରେ ମିଡ଼ିଆ ଓ ସାଧାରଣ ଲୋକଙ୍କ ଆଗରେ ଆମରଣ ଅନଶନ କରିବାର ନାଟକ ଓ ଷ୍ଟେଜ ପଛରେ କିଭିଳି ପେଟ ପୂରା ଭୋଜନ ହେଉଛି ତାର ଝଲକ ଦେଖିବାକୁ ମିଳିଛି ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭାଇରାଲ ହେଉଥିବା ଭିଡ଼ିଓଟି ବେଲୋର ଅଞ୍ଚଳର ଯେଉଁଠାରେ ଏପ୍ରିଲ ୩ ତାରିଖରେ ଏଆଇଏଡିଏମକେର କାର୍ଯ୍ୟକତ୍ତା ମାନେ କାବେରୀ ଜଳ ବଣ୍ଟନ ବିବାଦକୁ ନେଇ ଆମରଣ ଅନଶନ କରିଥିଲେ । କିନ୍ତୁ କାର୍ଯ୍ୟକ୍ରମ ମଝିରେ କିଛି ନେତାଙ୍କ ଷ୍ଟେଜ ପଛକୁ ସୁଅ ଛୁଟିଥିଲା । ତେବେ ପରେ ଏହାର ଗୁଢ ରହସ୍ୟ ସାମ୍ନାକୁ ଆସିଛି । ଆମରଣ ଅନଶନ କରୁଥିବା ନେତା ମାନେ କାର୍ଯ୍ୟକ୍ରମ ମଝିରେ ଭୋକ ସମ୍ଭାଳି ନପାରି ବିରିୟାନୀ ଖାଉଥିବାର ଫଟୋ ଏବେ ଭାଇରାଲ ହୋଇଛି । ଏହାଛଡା କୋଏମ୍ବଟୁର ଓ ସଲେମ ଅଞ୍ଚଳରେ ଏଆଇଏଡିଏମକେର କିଛି ନେତା ଆମରଣ ଅନଶନ ବେଳେ ମଦ ପିଉଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଏଆଇଏଡିଏମକେର ମଜା ଉଡ଼ାଯାଉଛି ।

ସୁଚନାଯୋଗ୍ୟ ଯେ, କାବେରୀ ଜଳ ବଣ୍ଟନ ବିବାଦକୁ ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଓ ଉପ-ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ କେନ୍ଦ୍ର ସରକାରଙ୍କ ବିରୋଧରେ ଆମରଣ ଅନଶନ କରୁଛନ୍ତି । ଏହି ଅନଶନରେ ତାମିଲନାଡୁ ସରକାରର ସମସ୍ତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଆମରଣ ଅନଶନ କେଉଁଭଳି ଭାବେ କରାଯାଉଛି ତାହାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନେଇ ଏଆଇଏଡିଏମକେ ଦଳକୁ ଏବେ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି ।