ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର: ଜାନୁୟାରୀ ପହିଲାରୁ ସୁରତକୁ ବିମାନ, ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ସୁରତକୁ ଭରିବ ଉଡ଼ାଣ ।

1,961

କନକ ବ୍ୟୁରୋ: ଆସନ୍ତା ନୂଆ ବର୍ଷରୁ ଭୂବନେଶ୍ୱରୁ ସୁରତକୁ ଉଡ଼ାଣ ଭରିବ ବିମାନ । ସପ୍ତାହକୁ ୩ ଦିନ ବିମାନ ଯାତ୍ରୀମାନେ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ଯାତ୍ରା କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା ନିଜ ଅଫିସିଆଲ୍ ଟ୍ୱିଟ୍ ଯୋଗେ ସୂଚନା ଦେଇ କହିଛନ୍ତି ଯେ, ଏହା ସୁରତରେ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାବାସୀଙ୍କ ପାଇଁ ଖୁସିର କଥା । କାରଣ ସୁରତରେ ଅନେକ ଓଡ଼ିଆ ରହୁଥିବାରୁ ଓଡ଼ିଶାରୁ ସିଧାସଳଖ ସୁରତକୁ ବିମାନ ଚଳାଚଳ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା । ଗତ ୨୦୧୮ ଅଗଷ୍ଟ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଭୁବନେଶ୍ୱର-ସୁରତ ବିମାନ ସଂଯୋଗ ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ । ଏପରିକି ଦିଲ୍ଲୀ ଗସ୍ତ ସୟରେ ମୁଖ୍ୟମନ୍ତ୍ରୀ ଏହି ବିମାନ ସେବା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ ।

ଅନ୍ୟପଟେ ଗତ ଜୁଲାଇ ୨୨ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କୁ ଭେଟି ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ବିମାନ ଚଳାତଳା ନେଇ ଦାବି ଜଣାଇଥିଲେ । ଆଉ ଖୁବଶୀଘ୍ର ସପ୍ତାହକୁ ୩ଥର ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ବିମାନ ଚଳାଚଳ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଯାହାବାସ୍ତବରେ ପରିଣତ ହେବାକୁ ଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଗୁଜୁରାଟର ଶିଳ୍ପ ଓ ବାଣିଜ୍ୟ ନଗରୀ ସୁରତରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି। ତେଣୁ ସେମାନଙ୍କ ପାଇଁ ଭୁବନେଶ୍ୱର ଏବଂ ଓଡ଼ିଶା ମଧ୍ୟରେ ଯାତାୟତ ଆହୁରି ଖୁବଶୀଘ୍ର ହୋଇପାରିବ । ଆଉ ଏଥିରେ ଗୁଜୁରାଟ ଏବଂ ଓଡ଼ିଶାର ବାଣିଜ୍ୟ ବୃଦ୍ଧି ମଧ୍ୟ ଉନ୍ନତି ହୋଇପାରିବ ବୋଲି ପୂର୍ବରୁ ଏହି ବିମାନ ଚଳାଚଳ ପାଇଁ ଦାବି କରାଯାଉଥିଲା ।