ଗୁଜୁରାଟରେ ବିଜେପିକୁ ଝଟକା ! କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅହମ୍ମଦ ପଟେଲ ବିଜୟୀ

36

କନକ ବ୍ୟୁରୋ : ଗୁଜରାଟ ରାଜ୍ୟସଭା ନିର୍ବାଚନରେ ବିଜେପି ରଣନୀତିକୁ ଶକ୍ତ ଝଟକା ଲାଗିଛି । କଂଗ୍ରେସ ବିଧାୟକଙ୍କ କ୍ରସ୍‌ ଭୋଟିଂ ବଳରେ ତୃତୀୟ ଆସନ ଜିତିବା ପାଇଁ ଆଶା ବାନ୍ଧିଥିବା ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ପ୍ରାୟ ଆଠ ଘଣ୍ଟାର ହାଇଡ୍ରାମା ଲାଗି ରହିବା ପରେ ଦୁଇ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଭୋଟ୍‌ ନିର୍ବାଚନ କମିସନଙ୍କ ଦ୍ୱାରା ନାକଚ ହୋଇଯିବାରୁ କଂଗ୍ରେସକୁ ବହୁ ପ୍ରତୀକ୍ଷିତ ବିଜୟ ମିଳିଛି । ରାତି ପ୍ରାୟ ୧ଟା ୫୦ ମିନିଟ୍‌ରେ ଭୋଟ୍‌ ଗଣତି ପାଇଁ ବାଟ ଫିଟିବା ପରେ କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ପଟେଲ ୪୪ଟି ଭୋଟ୍‌ ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି ।

ଅହମ୍ମଦ ବିଜୟୀ ହେବା ପରେ ଟୁଇଟ୍ କରି ସତ୍ୟମେବ ଜୟତେ ବୋଲି ଲେଖିଛନ୍ତି । ସେ ଟୁଇଟ୍ କରି କଂଗ୍ରେସ ବିଧାୟକମାନଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତିି ଏହି ବିଜୟ କେବଳ ତାଙ୍କର ନୁହେଁ ଏହା ଅର୍ଥ ଓ ବାହୁବଳର ପରାଜୟ ବୋଲି ସେ କହିଛନ୍ତି । ତେବେ ଅନ୍ୟ ଦୁଇଟି ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି ।

ଗତକାଲି ଗୁଜରାଟର ୩ଟି ରାଜ୍ୟସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା । ତେବେ ସଂଖ୍ୟାର ଏହି ଖେଳରେ କଂଗ୍ରେସ ନିକଟରେ ଗୋଟିଏ ଆସନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକ ଥିଲେ ମଧ୍ୟ କଂଗ୍ରେସର କିଛି ବିଧାୟକ ବିଦ୍ରୋହୀ ହୋଇ ଦଳଠାରୁ ଦୂରେଇ ଯାଇଥିବାରୁ ବିଜେପି ଏହି ଆସନକୁ ଦଖଲ କରିବାକୁ ନିଜର ସମସ୍ତ ଶକ୍ତି ଖଟାଇଥିଲା । କଂଗ୍ରେସକୁ ଧୂଳି ଚଟାଇବା ପାଇଁ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ରଣନୀତି ପ୍ରସ୍ତୁତ କରିଥିଲେ । ତେଣୁ ବିଜେପି ଶିବିର ତିନିଟିଯାକ ଆସନ ହାତେଇ ନେବ ବୋଲି ଆଶାବାଦୀ ଥିଲା ।

କଂଗ୍ରେସର ବିଦ୍ରୋହୀ ନେତା ଶଙ୍କର ସିଂହ ବାଘେଲା ଗୋଷ୍ଠୀର ଦୁଇ ବିଧାୟକ ଭୋଲା ଭାଇ ଗୋହିଲ ଏବଂ ରାଘବ ପଟେଲ ମଧ୍ୟ ଆଶାନୁରୂପ ଭାବେ କ୍ରସ୍‌ ଭୋଟିଂ କରିଥିଲେ । ମାତ୍ର ଦୁହେଁ ସେମାନଙ୍କ ଭୋଟ୍‌ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଦେଖାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବାରୁ ସେମାନଙ୍କର ଭୋଟ୍‌ ନାକଚ କରିବା ପାଇଁ କଂଗ୍ରେସ ଅଡ଼ି ବସିଥିବା ବେଳେ ବିଜେପି ଏହାର ବିରୋଧ କରିଥିଲା ।

କଂଗ୍ରେସ ଅଭିଯୋଗକୁ ଗ୍ରହଣ କରି ନିର୍ବାଚନ କମିସନ ଏହି ଦୁଇ ବିଧାୟକଙ୍କ ଭୋଟକୁ ନାକଚ କରିଦେଇଥିଲେ । ଏହାର ପ୍ରତିବାଦ ଜଣାଇ ବିଜେପି ଭୋଟ ଗଣତିକୁ ଅଟକାଇ ଦେଇଥିଲା । ତେବେ ରାତି ପାଖାପାଖି ଦୁଇଟା ବେଳେ ଗଣତି ସଂପନ୍ନ ହୋଇଥିଲା । ସୂଚନାଯୋଗ୍ୟ, ଏହି ଦୁଇ ବିଧାୟକଙ୍କ ଭାଟ୍‌ ନାକଚ କରିବାକୁ କଂଗ୍ରେସ ଦାବି କରିଥିବା ବେଳେ ବିଜେପି ଏହାକୁ ବିରୋଧ କରିଥିଲା । ଏହାକୁ ନେଇ ଉଭୟ ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ନୂଆଦିଲ୍ଲୀରେ ଏହାକୁ ନେଇ ଆଜି ରାତି ତମାମ ନାଟକୀୟ ପରିବେଶ ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ଏବଂ ବିଜେପିର ପ୍ରତିନିଧି ଦଳ ଦୁଇ ଦୁଇ ଥର ନିର୍ବାଚନ କମିସନ ଅଫିସକୁ ଯାଇ ନିଜର ପକ୍ଷ ରଖିଥିଲେ ।

ତେବେ ତୃତୀୟ ଥର ଲାଗି ସେମାନେ କମିସନଙ୍କୁ ଭେଟିବା ଲାଗି ଯାଇଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା । ନିର୍ବାଚନ କମିସନ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଭୋଟ୍‌ ଗଣତି ପ୍ରକ୍ରିୟା ଅଟକି ଯାଇଥିଲା । କଂଗ୍ରେସ ଅଭିଯୋଗ କରିଥିଲା ଯେ ନିୟମ ଅନୁସାରେ ମତାଦାତା ନିର୍ଦିଷ୍ଟ ଏଜେଣ୍ଟ ଛଡ଼ା ଅନ୍ୟ କାହାରିକୁ ବାଲଟ ଦେଖାଇ ପାରିବେ ନାହିଁ ।

ଏହାକଲେ ସେମାନଙ୍କର ମତଦାନ ନାକଚ ହୋଇଯିବ । ଗତ ରାଜ୍ୟସଭା ନିର୍ବାଚନରେ ଏହି କାରଣରୁ ହରିଆଣାରେ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ ନାକଚ ହୋଇଥିଲା । ତେବେ ବିଜେପି ଏହାକୁ ବିରୋଧ କରିଛି । ପାର୍ଟି ପକ୍ଷରୁ କୁହାଯାଇଥିଲା ଯେ ଥରେ ବାଲଟ ଭୋଟ ବାକ୍ସରେ ପଡ଼ିଗଲେ ଆଉ ଆପତ୍ତି ଉଠାଯାଇ ପାରିବ ନାହିଁ ।