ପୁରୀ-ଅହମଦାବାଦ ଏକ୍ସପ୍ରେସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା : ୭ କର୍ମଚାରୀ ସସପେଣ୍ଡ,୩ ଦିନ ଭିତରେ ଡିଆରଏମଙ୍କ ରିପୋର୍ଟ ତଲବ

82

କନକ ବ୍ୟୁରୋ : ପୁରୀ-ଅହମଦାବାଦ ଏକ୍ସପ୍ରେସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିବା ଘଟଣାରେ ୭ ଜଣ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ସସପେଣ୍ଡ ହୋଇଥିବା କର୍ମଚାରୀମାନେ ହେଲେ ଇଞ୍ଜିନ ଡ୍ରାଇଭର, ୩ ଜଣ ବଗି ମରାମତି କର୍ମଚାରୀ, ଜଣେ ଲୋକୋ ପାଇଲଟ ଓ ଆଉ ଜଣେ ଆସିଷ୍ଟାଂଟ ଲୋକୋ ପାଇଲଟ । ଏହାସହ ୩ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି ଡିଆରଏମ । ଡିଆରଏମ ଓ ୪ ଜଣ ବିଭାଗୀୟ ଅଧିକାରୀ ପହଂଚି ତଦନ୍ତ କରିଛନ୍ତି । ରିପୋର୍ଟ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଦେଇଛନ୍ତି କର୍ତ୍ତୃପକ୍ଷ । ଏହି ଘଟଣା ରେଳସୁରକ୍ଷା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ଏତେ ବଡ ଦାୟିତ୍ୱହୀନତା ପାଇଁ ଦାୟୀ କିଏ । କିଛି ଷ୍ଟାଫଙ୍କ ଅବହେଳା ଯୋଗୁଁ ଏଭଳି ଘଟିଛି କି ? ଠିକ ଭାବେ ସ୍ପିଡ ବ୍ରେକ ଲଗାଯାଇନଥିବାକୁ ଏଭଳି ଘଟଣା ଘଟିଲା କି ? ସମ୍ବଲପୁର ଡିଆରଏମଙ୍କ ସହ ଚାରିଜଣ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି । ପ୍ରଶ୍ନ ଉଠୁଛି ଏଭଳି ଘଟଣା ପାଇଁ କାହାକୁ ଦାୟୀ କରାଯିବ ।

କେସିଙ୍ଗା ରେଳ ଷ୍ଟେସନରେ କେମିତି ଅଟକାଇଲେ ଟ୍ରେନ । ସେ ସଂପର୍କରେ କନକନ୍ୟୁଜ ଆଗରେ କହିଛନ୍ତି କେସିଙ୍ଗା ଷ୍ଟେସନର କର୍ମଚାରୀ ପ୍ରଣବ ସିନ୍ଧୁ ରଣା । ଟିଟିଲାଗଡରୁ ଟ୍ରେନ ଗଡିଆସୁଥିବା ଖବର ପାଇ କେସିଙ୍ଗା ଷ୍ଟେସନରେ ରେଲ ଧାରଣା ଉପରେ ପଥର ଓ ବାଲି ପକାଇ ଅଟକାଇବାକୁ ଚେଷ୍ଟା କରିଥିଲେ ରେଳ କର୍ମଚାରୀ ଓ ଜନତା । ତେବେ ଟ୍ରେନ ନଅଟକି ଆଗକୁ ମାଡି ଯାଇଥିଲା, କିଛି ବାଟ ଆଗକୁ ଗଡିବା ପରେ ପୁଣି କେସିଙ୍ଗା ଷ୍ଟେସନ ଫେରିଥିଲା । ସେହିସମୟରେ ମଧ୍ୟ ପ୍ରଣବ ସିନ୍ଧୁ ଓ ତାଙ୍କ ସାଥୀ କର୍ମଚାରୀ ଟ୍ରେନକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ନଅଟକି ଷ୍ଟେସନ ଡେଇଁ କିଛି ବାଟ ଆଗକୁ ଯାଇ ପୁଣି ଫେରିବା ପରେ ସ୍ପିଡ ଭିଟ୍ ଲଗାଇ ଟ୍ରେନକୁ ଅଟକାଇଥିବା କହିଛନ୍ତି ପ୍ରଣବ ସିନ୍ଧୁ ରଣା ।

ସୂଚନାଯୋଗ୍ୟ, ଗତକାଲି ରାତିରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଟିଟିଲାଗଡରୁ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିବା ସହ ପଛକୁ ଏକ କିଲୋମିଟର ଆସି କେସିଙ୍ଗା ଷ୍ଟେସନରେ ଅଟକିଥିଲା । ରାତି ପ୍ରାୟ ୯ଟା ୩୫ରେ ଅହମଦାବାଦରୁ ପୁରୀ ଅଭିମୁଖେ ଆସୁଥିବା ଟ୍ରେନ ୧୮୪୦୬ ଟିଟିଲାଗଡ ଷ୍ଟେସନରେ ପହଂଚିଥିଲା । ଟିଟିଲାଗଡରୁ ଟ୍ରେନଟି ସମ୍ବଲପୁର ଅଭିମୁଖେ ଆସିଥାନ୍ତା । ଏଥିପାଇଁ ଇଞ୍ଜିନ୍ ପରିବର୍ତ୍ତନ କରିଯାଇଥିଲା । ଇଞ୍ଜିନ ବଦଳା ଯିବା ପରେ ହଠାତ୍ ଟ୍ରେନର ବଗିଗୁଡିକ ପଛକୁ ଗଡିବା ଆରମ୍ଭ କରିଥିଲା । ଗଡି ଗଡି ୧୩ କିଲୋମିଟର ଦୂରରେ ଥିବା କେସିଙ୍ଗା ଷ୍ଟେସନ ମଧ୍ୟ ଅତିକ୍ରମ କରିଯାଇଥିଲା । କିନ୍ତୁ ଆଗକୁ ଯିବା ପରେ ଚଢ଼ାଣି ଥିବା ଯୋଗୁଁ ଟ୍ରେନ ଯାଇନପାରି ପୁଣି କେସିଙ୍ଗା ଷ୍ଟେସନକୁ ଫେରିଥିଲା । ଏହା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ । ଟ୍ରେନର ଗତି କମିବା ପରେ କେସିଙ୍ଗା ଷ୍ଟେସନରେ ଉପସ୍ଥିତ ଲୋକେ ଓ ରେଲବାଇ କର୍ମଚାରୀ ମିଶି ଟ୍ରେନକୁ ଅଟକାଇଥିଲେ । ବିନା ଇଂଜିନରେ ଟ୍ରେନ ଚାଲୁଥିବା ଜାଣିବା ପରେ ଆତଙ୍କିତ ହୋଇପଡିଥିଲେ ସବୁ ଯାତ୍ରୀ । କେହିକେହି ଟ୍ରେନ୍ ଭିତରେ କାନ୍ଦବୋବାଳି ମଧ୍ୟ ଛାଡିଥିଲେ । ତେବେ ସେହି ରୁଟରେ ଅନ୍ୟ କୋ÷ଣସି ଟ୍ରେନ ନଆସିଥିବାରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ସମସ୍ତ ଯାତ୍ରୀ ।