ଡେରା ସଚ୍ଚା ସୌଦା ମୁଖ୍ୟ ରାମରହିମଙ୍କ ବିରୋଧରେ ଦୁଷ୍କର୍ମ ମାମଲାର ରାୟ ଆସନ୍ତାକାଲି ! ହରିୟାଣା, ପଂଜାବ ଓ ରାଜସ୍ଥାନରେ ହାଇ ଆଲର୍ଟ

32

କନକ ବ୍ୟୁରୋ : ଡେରା ସଚ୍ଚା ସୌଦା ମୁଖିଆ ବାବା ଗୁରମିତ ରାମ ରହିମଙ୍କ ଯୌନନିର୍ଯାତନା ମାମଲାର ରାୟ ଆସନ୍ତାକାଲି ଆସିବ । ଆସନ୍ତାକାଲି ହରିୟାଣାର ପଂଚଶୀଳ ସିବିଆଇ କୋର୍ଟ ସାଧ୍ୱୀ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇବେ । ଏହାକୁ ନେଇ ହରିୟାଣା ଓ ପଂଜାବରେ ଅଲର୍ଟ ଜାରି କରାଯାଇଛି । ହରିୟାଣାରେ ୧୦ କଂପାନୀ ବିଏସଏଫ ଫୋର୍ସ ଓ ୯ହଜାରରୁ ଅଧିକ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ବସ ସେବା ବନ୍ଦ କରାଯାଇଛି, ସେହିପରି ଡେରା ସମର୍ଥକ ବହୁଳ ଅଂଚଳରେ ୨୩ରୁ ୨୫ ତାରିଖ ଯାଏଁ ସ୍କୁଲ କଲେଜ ବନ୍ଦ ଘୋଷଣା ହୋଇଛି ।

ତେବେ ଶୁଣାଣି ଆଗରୁ ହରିୟାଣା, ପଂଜାବ ରାଜସ୍ଥାନ ସମେତ ଦିଲ୍ଲୀରୁ ବାବା ରାମ ରହିମଙ୍କ ଭକ୍ତ ପଂଚଶୀଳରେ ଏକତ୍ରୀତ ହେଉଥିବାରୁ ଅଘଟଣ ଆଶଙ୍କା କରାଯାଉଛି । ଏହାଛଡା ଫତେହବାଦ, ପାନୀପତ, ସଙ୍ଗରୁର ଡେରା ସମର୍ଥକମାନେ ରାଜ ରାସ୍ତାକୁ ଓହ୍ଲାଇ ବାବା ସମର୍ଥନରେ ନାରାବାଜି କରୁଛନ୍ତି । ବାବା ବିରୋଧରେ ରାୟ ଗଲେ ସ୍ଥିତି ଭୟାନକ ହେବ ବୋଲି ଧମକ ମଧ୍ୟ ଦେଉଥିବା ସୂଚନା ମିଳିଛି । ୨୦୦୧ ମସିହାରେ ସାଧ୍ୱୀଙ୍କୁ ଯୌନ ନିର୍ଯାତନା ନେଇ ବାବା ରାମ ରହିମଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ୨୦୦୭ ମସିହାରେ ଚାର୍ଜସିଟ ଦାଖଲ ପରଠୁ ଏହି ମାମାଲ ବିଚାରଧିନ ଅଛି । ସେହିପରି ୨୦୧୨ରେ ବହୁସଂଖ୍ୟାରେ ନିଜ ଭକ୍ତଙ୍କୁ ବାବା ରାମ ରହିମ ନପୁଂସକ କରିଥିବା ନେଇ ମଧ୍ୟ ମାମାଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ରାମରହିମଙ୍କ ଆଶ୍ରମରେ ରହୁଥିବା ଜଣେ ସାଧ୍ୱୀ ତାଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏନେଇ ବାବା ରାମ ରହିମଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇକୁ ଘଟଣାର ତଦନ୍ତଭାର ଦିଆଯାଇଥିଲା । ୨୦୦୭ ମସିହାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଅଗଷ୍ଟ ୧୭ତାରିଖରେ ରାୟ ସହରକ୍ଷିତ ରଖିଥିଲେ । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ସିରସାର ଜଣେ ସାମ୍ବାଦିକଙ୍କୁ ମଧ୍ୟ ହତ୍ୟା କରିଥିବା ନେଇ ତାଙ୍କ ନାଁରେ ମାମଲା ଚାଲିଛି । ଡେରା ସଚ୍ଚା ସୌଦା ବିରୋଧରେ ଲେଖା ପ୍ରକାଶ କରିଥିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ୨୦୧୨ରେ ବହୁସଂଖ୍ୟାରେ ନିଜ ଭକ୍ତଙ୍କୁ ବାବା ରାମ ରହିମ ନପୁଂସକ କରିଥିବା ନେଇ ମଧ୍ୟ ମାମାଲା ରୁଜୁ ହୋଇଛି ।

ବିବାଦୀୟ ବାବା ରାମରହିମ ଏପର୍ଯ୍ୟନ୍ତ ୫ଟି ଫିଲ୍ମ ନିର୍ମାଣ କରିଛନ୍ତି । ୨୦୧୫ରେ ଆସିଥିଲା ତାଙ୍କ ପ୍ରଥମ ଫିଲ୍ମ ‘ଏମଏସଜି ଦ ମେସେଂଜର’ । ଏହାପରେ ଆସିଥିଲା ଏହାର ସିକ୍ୱେଲ ‘ଏମଏସଜି ଟୁ’ । ୨୦୧୬ରେ ରିଲିଜ ହୋଇଥିବା ତାଙ୍କ ମୁଭି ‘ଏମଏସଜି ଦ ଓରିୟର ଲାୟନ ହାର୍ଟ’ । ଏହି ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିଲା । ତଥାପି ରିଲିଜ ହେବା ପରେ ବେଶ ଭଲ ବ୍ୟବସାୟୀ କରିଥିଲାଏହି ମୁଭି । ‘ଏମଏସଜି ଦ ମେସେଂଜର’ ଫିଲ୍ମରେ ବାବା ରାମରହିମ ନିଜେ ମୁଖ୍ୟ ଭୂମିକାରେ ଆସିଥିବା ବେଳେ ଏହାର ନିର୍ଦ୍ଦେଶନା, ସ୍କ୍ରିପଟିଂ ଓ ମ୍ୟୁଜିକ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ନିଜେ ନେଇଥିଲେ । ୨୦୧୭ରେ ମଧ୍ୟ ବାବା ରାମ ରହିମଙ୍କ ଦୁଇଟି ଫିଲ୍ମ ରିଲିଜ ହୋଇସାରିଛି । ‘ଜଟ୍ଟୁ ଇଂଜିନିୟର’ ଓ ‘ଏମଏସଜି ଦ ଓରିୟର ଲାୟନ ହାର୍ଟ ଟୁ’ । କେବଳ ଏତିକି ନୁହେଁ ଏପର୍ଯ୍ୟନ୍ତ ୬ଟି ମ୍ୟୁଜିକ ଭିଡିଓ ଆଲବମ ମଧ୍ୟ ରିଲିଜ କରିସାରିଛନ୍ତି ବାବା ରାମରହିମ । ଏବେ ଆସୁଛି ତାଙ୍କର ଆଗାମୀ ମୁଭି ‘ଏମଏସଜି ଅନ୍ଲାଇନ ଗୁରୁକୁଲ’ ।