ଜାମ୍ମୁ-କାଶ୍ମୀରରେ ଇଦ୍ ପାଇଁ  ସୁରକ୍ଷା ବ୍ୟବସ୍ଥା କୋହଳ : ଲୋକେ କିଣୁଛନ୍ତି ଆତ୍ୟବଶ୍ୟକ ସାମଗ୍ରୀ, କର୍ମଚାରୀଙ୍କୁ ମିଳିଲା ଅଗ୍ରୀମ ଦରମା

232

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଧୀରେ ଧୀରେ ସୁଧୁରୁଛି ସ୍ଥିତି । ପର୍ଯ୍ୟାୟକ୍ରମେ ଘାଟିର ବିଭିନ୍ନ ଅଂଚଳରେ  କଟକଣାକୁ କୋହଳ କରୁଛି ପ୍ରଶାସନ । ଲଦାଖ, ଜମ୍ମୁ ପରେ ଏବେ ଶ୍ରୀନଗର, ଅନନ୍ତନାଗ ଓ ବଡଗାମରେ ଧାରା ୧୪୪ ଧାରାକୁ ହଟାଇ ଦିଆଯାଇଛି । ପଦଯାତ୍ରୀ ଓ ବାଇକ୍ ଚାଳକଙ୍କ ପାଇଁ ଟ୍ରାଫିକ୍ କଟକଣାକୁ କୋହଳ କରାଯାଇଛି । କଟକଣା କୋହଳ ହେବା ପରେ ଦୋକାନ ବଜାର ଖୋଲବାରେ ଲାଗିଛି । ଲୋକମାନେ ଘରୁ ବାହାରି ବଜାରକୁ ଯାଇ ବିଭିନ୍ନ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି ।

ଜମ୍ମୁକାଶ୍ମୀରର ସଶସ୍ତ୍ର ପୋଲିସ ଫୋର୍ସର ଏଡିଜି ଏସ. ଜେ. ଗିଲାନୀ କହିଛନ୍ତି ପରିସ୍ଥିତିରେ ସୁଧାର ଆସୁଥିବାରୁ ଘାଟିର ବିଭିନ୍ନ ଅଂଚଳରୁ କଟକଣାକୁ କୋହଳ କରାଯାଉଛି ।  ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ବଡ ପର୍ବ ଇଦ୍-ଉଲ୍-ଜୁହା ହାଇଥିବାରୁ କଟକଣାକୁ ଆହୁରି କୋହଳ କରାଯିବା ପାଇଁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ଗିଲାନୀ । ତେବେ ଇଂଟରନେଟ୍ ଓ ଟେଲିଫୋନ ସେବା ଯୋଗାଇଦେବା ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ସୂଚନା ଦେଇଛନ୍ତି ଗିଲାନୀ । ସେହିପରି ଜମ୍ମୁକାଶ୍ମୀରର ସରକାରୀ ଚାକିରିଆଙ୍କୁ ଇଦ୍ ପର୍ବ ପାଳନ ପାଇଁ ୩ଶହ କୋଟି ଟଙ୍କା ଅଗ୍ରୀମ ଦରମା ଦିଆଯାଇଛି ।

ଲୋକମାନେ କିଭଳି ସୁବିଧାରେ ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ ସେଥିପାଇଁ ରାଜ୍ୟର ୩୫୦ଟି ଏଟିଏମ କାର୍ଯ୍ୟକ୍ଷମ ହୋଇଛି । ଜମ୍ମୁ, କାଠୁଆ , ସାମ୍ବା , ଉଦ୍ଧମପୁର ଓ ରେଶାଇ ଅଂଚଳରୁ କଟକଣାକୁ କୋହଳ କରାଯିବା ସହ ସ୍କୁଲ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଘାଟିରେ କାଁଭାଁ ଗଣ୍ଡଗୋଳ ହୋଇଥିବା ଖବର ସାମନାକୁ ଆସିଛି । ଏହାକୁ ଜମ୍ମୁକାଶ୍ମୀର ପୋଲିସ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।