ଖୋଲିବ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ରହସ୍ୟ । ଭାରତ ଆସିଲା ମଧ୍ୟସ୍ଥି ମାଇକେଲ ଜେମ୍ସ : ଆଜି ଜେରା କରିବ ସିବିଆଇ

୩୬ ହଜାର କୋଟି ଟଙ୍କାର ଅଗଷ୍ଟା ହେଲିକପ୍ଟର ଅନିୟମିତତା ମାମଲା

97

କନକ ବ୍ୟୁରୋ : ୩୬ ହଜାର କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କାରବାର ମାମଲାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଖ୍ରୀଷ୍ଟୀୟାନ ମାଇକେଲ ଜେମ୍ସଙ୍କୁ ଭାରତ ଅଣାଯାଇଛି। ଭାରତ ସରକାରଙ୍କ ଅନୁରୋଧ କ୍ରମେ ଦୁବାଇ ସରକାର ତାଙ୍କୁ ପ୍ରତ୍ୟାର୍ପିତ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭିଭିଆଇପିଙ୍କ ଲାଗି ଭାରତ ସରକାର ୧୨ଟି ହେଲିକପ୍ଟର କିଣିବା ପାଇଁ ଅଗଷ୍ଟା ୱେଷ୍ଟଲାଣ୍ଡ ସହିତ ଚୁକ୍ତି ସ୍ବାକ୍ଷର କରିଥିଲେ। ୨୦୧୦ ମସିହାରେ ହୋଇଥିବା ଏହି ଚୁକ୍ତି ପାଇଁ ଅନେକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା।

 

ଏହି ଚୁକ୍ତି ହାସଲ କରିବା ଲାଗି ଅଗଷ୍ଟା ୱେଷ୍ଟଲାଣ୍ଡ କଂପାନୀ ତିନି ଜଣ ମଧ୍ୟସ୍ଥିଙ୍କୁ ୪୨୩ କୋଟି ଟଙ୍କାର କମିସନ ଦେଇଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ କେବଳ ମାଇକେଲଙ୍କୁ ମିଳିଥିଲା ୨୨୫ କୋଟି ଟଙ୍କା। ଏଥିରେ ପ୍ରମୁଖ ମଧ୍ୟସ୍ଥି ଥିଲେ ବ୍ରିଟିଶ ବ୍ୟବସାୟୀ ମାଇକେଲ ଜେମ୍ସ। ଏହି କାରବାର ଯୋଗୁଁ ଭାରତର ୨ ହଜାର ୬୬୬ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିଲା। ଅନିୟମିତତା ଧରାପଡ଼ିବା ପରେ ୨୦୧୪ରେ ଏହି ଚୁକ୍ତିକୁ ସରକାର ବାତିଲ କରିଦେଇଥିଲେ। ସିବିଆଇ ଏହା ଉପରେ ତଦନ୍ତ କରି ୨୦୧୩ରେ ଏଫଆଇଆର ଦାଖଲ କରିଥିଲା।

 

ଏଥିରେ ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏସପି ତ୍ୟାଗୀ ଏବଂ ଅନ୍ୟ ୧୨ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅଭିଯୁକ୍ତ ତାଲିକାରେ ତିନିଟି କଂପାନୀ ସମେତ ତ୍ୟାଗୀ ପରିବାରର କିଛି ସଭ୍ୟ ଏବଂ ତିନି ଜଣ ମଧ୍ୟସ୍ଥି ଥିଲେ। ପ୍ରବର୍ତନ ନିର୍ଦେଶାଳୟ ମଧ୍ୟ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ମାଇକେଲଙ୍କ ପ୍ରତ୍ୟାର୍ପଣ ଲାଗି ଭାରତ ସରକାର ଦୁବାଇକୁ ଅନୁରୋଧ କରିଥିଲେ। ଏହାକୁ ମାଇକେଲ ସେଠାର ଅଦାଲତରେ ଚାଲେଞ୍ଜ କରିଥିଲେ। କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଗତ ମାସ ଖାରଜ କରିବା ପର ଠାରୁ ମାଇକେଲଙ୍କୁ ଅଟକ ରଖାଯାଇଥିଲା। ସୂଚନାଯୋଗ୍ୟ, ଇଟାଲୀୟ କଂପାନୀ ଫିନମେକାନିକାର ଶାଖା ହେଉଛି ବ୍ରିଟିଶ ସ୍ଥିତ ଅଗଷ୍ଟା ୱେଷ୍ଟଲାଣ୍ଡ କଂପାନୀ।