କୃଷି ମନ୍ତ୍ରୀଙ୍କ ଅଚାନକ କିଷାନ୍ କଲ୍ ସେଣ୍ଟର ଗସ୍ତ: ଚାଷ ସମ୍ପର୍କିତ ଟିକିନିଖି ଖବର ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ଦେଲେ ନିର୍ଦ୍ଦେଶ

191

କନକ ବ୍ୟୁରୋ: ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଗତକାଲି କିଷାନ କଲ୍ ସେଣ୍ଟର୍ ବୁଲିଛନ୍ତି। ଭୁବନେଶ୍ବରସ୍ଥିତ ଇମେଜ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିବା ବେଳେ କ୍ୟାମ୍ପସରେ ଥିବା କିଷାନ୍ କଲ୍ ସେଣ୍ଟରକୁ ଅଚାନକ ଗସ୍ତ କରିଥିଲେ। କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀ ବୁଲି ଦେଖିବା ସହ ଚାଷୀମାନଙ୍କ ନିକଟରେ କୃଷି ସମ୍ପର୍କିତ ଟିକିନିଖି ଖବର ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସକାଳ ସାଢ଼େ ୯ଟାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ଏଠାକୁ ଆସୁଥିବା ଫୋନ୍ ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ କରାଯିବା ସହ ସେମାନଙ୍କୁ ଚାଷ ସମ୍ପର୍କିତ ସୂଚନା ଦିଆଯାଉଛି ବୋଲି ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଅବଗତ କରିଥିଲେ। ଏଥିପାଇଁ ୩ଟି ରୁମରେ କଲ୍ ସେଣ୍ଟର ଖୋଲାଯାଇଛି। ମୋଟ ୯୦ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ସେମାନେ ଚାଷୀଙ୍କୁ ଟିକିନିଖି ସୂଚନା ଦେଉଛନ୍ତି। ତେବେ କଲ୍ ସେଣ୍ଟରର ସମୟସୀମାକୁ ବୃଦ୍ଧି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅତି ବେଶିରେ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଚାଷୀଙ୍କ ଫୋନ୍ ଗ୍ରହଣ କରିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେ କହିଥିଲେ। ଏଥିପାଇଁ କର୍ମଚାରୀମାନଙ୍କୁ ଦୁଇଟି ସିଫ୍ଟ (ପ୍ରଥମ ସିଫ୍ଟରେ ମହିଳା ଓ ଦ୍ବିତୀୟ ସିଫ୍ଟରେ ପୁରୁଷ) କର୍ମଚାରୀମାନଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।

ଏଥିସହ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ଆଗକୁ କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଷୀଙ୍କ ନିକଟରେ ପହଞ୍ଚିହେବ, ସେନେଇ ବିଚାରବିମର୍ଶ ଚାଲିଛି। ନୂଆ ମୋବାଇଲ୍ ଆପ ବିକଶିତ କରାଯାଉଛି। ଏହା ମାଧ୍ୟମରେ ଚାଷ ସମ୍ପର୍କିତ ଟିକିନିଖି ଖବର ଚାଷୀଙ୍କ ନିକଟରେ ପହଞ୍ଚି ପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଲାଗି ନିଆଯାଉଥିବା ପଦକ୍ଷେପ, ଯୋଜନା ଆଦି ବିଷୟରେ ତଥ୍ୟ ଉକ୍ତ ଆପରେ ଉପଲବ୍ଧ ହେବ। ଆସନ୍ତା ମାସ ସୁଦ୍ଧା ଏହି ଆପର ଉଦ୍ଘାଟନ କରିବାକୁ ଲକ୍ଷ୍ୟ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।