କଦଳୀ ଚାଷରେ କେତେ ଆଗରେ ଓଡ଼ିଶା ? ଗୃହରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ ।

360

କନକ ବ୍ୟୁରୋ : ପୂଜାପର୍ବାଣି ତଥା ନିତିଦିନିଆ ଖାଦ୍ୟରେ କଦଳୀ ସାଧାରଣତଃ ବ୍ୟବହାର ହୋଇଥାଏ । ତେବେ କଦଳୀ ଚାଷରେ ଓଡ଼ିଶା କେତେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ବାବଦରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଜି ଗୃହରେ ପ୍ରଶ୍ନ କରିଥିଲେ ଯେ କଦଳୀ ଚାଷରେ କିଭଳି ପ୍ରୋତ୍ସାହନ ଦିଆଯାଉଛି ଓ ଓଡ଼ିଶା ଏହି ଚାଷରେ କେତେ ଆତ୍ମନିର୍ଭରଶୀଳ ହୋଇପାରିଛି । ଏହି ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କଦଳୀ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବର୍ତ୍ତମାନ ରାଜ୍ୟରେ ୨୨ ହଜାର ହେକ୍ଟରରେ କଦଳୀ ଚାଷ କରାଯାଉଛି ।

ଏହାଛଡା ଅନ୍ୟମାନେ ନିଜ ବାଡ଼ିରେ ମଧ୍ୟ କଦଳୀ ଗଛ ଲଗାଉଛନ୍ତି । ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି । ଆନ୍ଧ୍ର କଦଳୀ ବ୍ରାଣ୍ଡ ହୋଇସାରିଛି ତେଣୁ ଲୋକ ଭାବୁଛନ୍ତି ସବୁ କଦଳୀ ଆନ୍ଧ୍ରରୁ ଆସୁଛି । କଦଳୀ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନରୁ ସହାୟତା ଦିଆଯାଉଛି । ଅଧିକ କଦଳୀ ଉତ୍ପାଦନ ଓ ଗୁଣବତ୍ତା ପାଇଁ ଢେଙ୍କାନାଳ ଓ ଭୁବନେଶ୍ୱରରେ ଉନ୍ନତମାନର କଦଳୀ ଚାରା ପାଇଁ ଟିସୁ କଲଚରର ବ୍ୟବସ୍ଥା କରାଯାଇଛି ।

୪ରୁ ୫ ବି ବର୍ଷ ପରେ କଦଳୀ ଚାଷରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପାଚିଲା କଦଳୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । କଦଳୀ ଚାଷକୁ ପ୍ରୋତ୍ସାହନ ଦେବାକୁ ଚାଷୀଙ୍କୁ ହେକ୍ଟର ପ୍ରତି ୪୦୯୮୫ ଟଙ୍କା ସହାୟତା ଦିଆଯାଉଛି ।ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ଜିଲ୍ଲାରେ କଦଳୀ ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।