ବର୍ଷ ଯାକର ପରିଶ୍ରମରେ ପଶିଗଲା ପାଣି ! ବୁଡିଗଲା ଧାନ କ୍ଷେତ ଓ କପା କିଆରି, ଚାଷୀ ମୁଣ୍ଡରେ ଚଡକ ।

62

କନକ ବ୍ୟୁରୋ : ପେଥାଇ ଧୋଇଦେଲା ଫସଲ । ବାତ୍ୟା ପେଥାଇ ପ୍ରଭାବରେ ମାଟିରେ ମିଶିଯାଇଛି ଫସଲ । କଳାହାଣ୍ଡିରେ କପା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଧର୍ମଗଡରେ ପାଣିରେ ଭାସିଯାଇଛି ଧାନଫସଲ । ବରଗଡ ଜିଲ୍ଲାରେ ଧାନ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମ୍ବଲପୁରରେ ବି ପଡିଛି ବାତ୍ୟା ପେଥାଇର ପ୍ରଭାବ । ଚାଷୀର ବର୍ଷ ବର୍ଷର ପରିଶ୍ରମକୁ ଧୋଇ ଦେଇଛି ପେଥାଇ । କେଉଁଠି ପାଣିରେ ଭାସୁଛି ଧାନ ତ ଆଉ କେଉଁଠି କପା ଫଶଲ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ଏହି ଘଟଣା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି ।

ସଂକଟରେ କଳାହାଣ୍ଡିର ଧଳାସୁନା ଚାଷୀ । ବର୍ଷାରେ ଭିଜିଗଲା କପା, ବିକ୍ରି ଚିନ୍ତାରେ ଚାଷୀ । ବାତ୍ୟା ପେଥାଇର ପ୍ରଭାବରେ ବର୍ଷା ଯୋଗୁଁ କପାର ମାନ ଖରାପ ହୋଇଛି । କଳାହାଣ୍ଡି ବ୍ଲକ ସମେତ ଧର୍ମଗଡ ବ୍ଲକରେ ୩୬ ଘଂଟାର ବର୍ଷାରେ ଭିଜି କପା ଗଛରୁ ଝଡି ପଡିବାର ଆଶଙ୍କା ରହିଛି । ଏହି କପା କିପରି ବିକ୍ରି ହେବ ଏବେ ସେହି ଚିନ୍ତାରେ ଚାଷୀ । ପାଣିରେ ବୁଡିଲା ଧର୍ମଗଡ ଧାନ । ଗୋଲମୁଣ୍ଡା ଜମିରେ ଆଣ୍ଠୁଏ ପାଣି । ଧର୍ମଗଡ ଓ ଗୋଲାମୁଣ୍ଡା ବ୍ଲକରେ ବାତ୍ୟା ପେଥାଇ ପ୍ରଭାବରେ ବର୍ଷା ଯୋଗୁଁ ବିଲରେ ଏବେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି । ପାଚିଲା ଧାନ ଗଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ବରଗଡ ଜିଲ୍ଲାର ୬ବ୍ଲକରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ବରଗଡ, ଭଟଲି, ବରପାଲି, ଅତାବିରା, ଭେଡେନ ଓ ସୋହେଲା ଆଦି ୬ଟି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି ।  ପାଖାପାଖି ୧୫ ହେକ୍ଟର ଜମିରେ ଆଣ୍ଠୁଏ ଉଚ୍ଚର ପାଣି । ସମ୍ବଲପୁରରେ ବି ଲଗାଣ ବର୍ଷା ଯୋଗୁଁ  ଧାନ ଫସଳ ଉଜୁଡ଼ି ଯାଇଛି । ଅନ୍ୟପକ୍ଷରେ ରାଜସ୍ୱମନ୍ତ୍ରୀ କହିଛନ୍ତି କ୍ଷୟକ୍ଷତିର ଆକଳନ ଚାଲିଛି । ରିପୋର୍ଟ ଆସିବା ପରେ ସହାୟତା ମିଳିବ । ମୁଣ୍ଡର ଝାଳ ତୁଣ୍ଡରେ ମାରି୍ ଜମିରେ ସୁନାର ଫସଲ କରିଥିବା ଚାଷୀଙ୍କୁ ଦିଗହରା କରିଦେଇଛି ପେଥାଇ ।