ଚାଷୀ ଦୁର୍ନୀତିର ପର୍ଦ୍ଦାଫାସ ! ନିଜସ୍ୱ ଫାଇଦା ପାଇଁ ଚାଷୀ ଭାଗ୍ୟ ସହ ଖେଳିଲେ ସରକାରୀ ବାବୁ

15

କନକ ବ୍ୟୁରୋ : ସରକାରୀ ବାବୁଙ୍କ ସାଂଘତିକ କାରସାଦି । ନିଜ ଫାଇଦା ପାଇଁ ଚାଷୀ ଭାଗ୍ୟ ସହ ଖେଳିଲେ । ଧରାପଡିଲା ଦୁର୍ନୀତିର ଦସ୍ତାବିଜ । କନକ ନ୍ୟୁଜ ହାତରେ ଲାଗିଥିବା ଚିଠି ବୟାନ କରିଛି, ସରକାରୀ ଅର୍ଥକୁ ଅପବ୍ୟୟ କରି କିଭଳି ବ୍ୟକ୍ତିଗତ ସ୍ତରରେ ଫଇଦା ଉଠାଉଥିଲେ ଜିଲ୍ଲା ସ୍ତରରେ କୃଷି ଅଧିକାରୀ ।

୨୦୧୫ ଖରିଫରେ ଚାଷୀ କ୍ଷତି ସହିବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ପ୍ୟାକେଜ । ଚିଠିରେ ଉଲ୍ଲେଖ ଥିଲା, ୨୦୧୫ରେ ଖରିଫ ଚାଷରେ କ୍ଷତି ସହିଥିଲେ ଚାଷୀ । ଆଉ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୫ ଲକ୍ଷ ମିନି କିଟ୍ସ ବାଂଟିବାକୁ ନିଷ୍ପତି ନେଲେ । ଉଦେଶ୍ୟ ଥିଲା, ତୈଳକାତୀୟ ଶସ୍ୟ ଉତ୍ପାଦନ କରି କ୍ଷତି ସହିଥିବା ଚାଷୀଙ୍କ ଦୁଖ ଦୂର କରିବା । ବଡ କଥା ହେଉଛି, ଫସଲରେ ଯେଭଳି ପୋକ ନଲାଗିବ, ସେଥିପାଇଁ ପୋକମରା ଔଷଧ କିଣିବାକୁ ସରକାର ନିଷ୍ପତି ବି ନେଇଥିଲେ ।

ପ୍ରାଥମିକତା ଭିତିରେ ଏହା କିଣିବାକୁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଥିବା କୃଷି ବିଭାଗର ଉପ ନିର୍ଦ୍ଦେଶକଙ୍କୁ କହିଥିଲେ । ଆଉ ଏହିଠାରେ ପଡିଥିଲା ଦୁର୍ନୀତିର ମୁଳଦୁଆ । କେବଳ ବଲାଙ୍ଗୀରକୁ ଛାଡି ବାକି ସମସ୍ତ ଜିଲ୍ଲାର ଉପ ନିର୍ଦ୍ଦେଶକ ଅତି ଚତୁରତାର ସହିତ ନିଷିଦ୍ଧ ଔଷଧ କିଣିଥିଲେ । ଏପରିକି ରାଜ୍ୟ କୃଷି ବିଭାଗର ସଚିବଙ୍କ ନିର୍ଦ୍ଧେଶକୁ ଏମାନେ ବେଖାତିର କରିଥିଲେ । ବାରଣ ସତ୍ୱେ ନିଷିଦ୍ଧ ଔଷଧ କିଣିବାକୁ କରିଥିଲେ ମସୁଧା ।

ଆଶ୍ଚର୍ଯ୍ୟଜନକ ଭାବେ କୈାଣସି ବି ଅଧିକାରୀ ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍କିମକୁ ସଫଳତାର ସହ ରୂପାୟନ କରିବାକୁ ଭାବିନଥିଲେ । ଆଉ ଭୁଲ ପୋକମରା ଔଷଧ ପାଇଁ ପୂରା ପ୍ରକ୍ରିୟା ବିଫଳ ହୋଇଥିଲା । ଯାହାଫଳରେ ବିରି ଚାଷରେ ପୋକ ମାଡିଯାଇଥିଲେ, ଆଉ ପୁରା ଯୋଜନା ଚାଷୀଙ୍କୁ ଲାଭ ଦେବା ବଦଳରେ ବିରାଟ କ୍ଷତି କରାଇଥିଲା ।

ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହେଉଛି, ବ୍ୟକ୍ତିଗତ ସ୍ତରରେ ଫାଇଦା ଆଉ ସରକାରୀ ଅର୍ଥର ଅପବ୍ୟବହାର ପାଇଁ ଏହି ଅଧିକାରୀ ମାନେ ଦାୟୀ । ତେଣୁ ଜିଲ୍ଲା ସ୍ତରରେ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଏହାର ପର୍ଦ୍ଦାଫାଶ କରିଥିବା ସରକାରୀ ବାବୁ ଜଣକ । ଏଥିସହ ପୂରା ମାମଲାର ଭିଜିଲାନ୍ସ ତଦନ୍ତ କରାଇବା ପାଇଁ ସେ ବିଭାଗୀୟ ସଚିବଙ୍କୁ ଅନୁରୋଧ କରିଛନ୍ତି ।