୧୯ ମେଟ୍ରିକ ଟନ୍ ଆଳୁ ବିକ୍ରି କରି ମାତ୍ର ୪୯୦ ଟଙ୍କା ଲାଭ କଲେ ଚାଷୀ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମନିଅର୍ଡ଼ର କଲେ ଟଙ୍କା

239

କନକ ବ୍ୟୁରୋ : ଦେଶରେ କୃଷକଙ୍କ ଅବସ୍ଥା ଶୁଣିଲେ ବେଳେ ବେଳେ ଆଖିରେ ଲୁହ ଚାଲି ଆସେ । ଯଦି ଋତୁ ସାରା ପରିଶ୍ରମ କରି ଫଳାଇଥିବା ଫସଲର ପ୍ରକୃତ ମୂଲ୍ୟ ବଜାରରୁ ନ ମିଳେ, ତେବେ ଚାଷୀ ମୁଣ୍ଡରେ ହାତ ଦେଇ ବସେ । ଆମେ ନାସିକରେ ପିଆଜ କିଲୋ ୧ ଟଙ୍କା ହୋଇଥିବା ଖବର ପଢ଼ିଛେ  । ନିକଟରେ ସେଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ  । ବଜାରରେ ଆଳୁ ଦର କମିଯିବାରୁ ଆଗ୍ରାର ପ୍ରଦୀପ ଶର୍ମା ନାମକ ଜଣେ ଚାଷୀଙ୍କୁ ୧୯ ମେଟ୍ରିକ ଟନ୍ ଆଳୁ ବିକ୍ରି କରି ମାତ୍ର ୪୯୦ ଟଙ୍କା ଲାଭ ପାଇଥିଲେ ।

ଏପରି ସଂକଟରେ ଶିକାର ହୋଇ ପ୍ରଦୀପ ଶର୍ମା ଫସଲ କ୍ରୟ ବ୍ୟାପାର ତଦାରଖ କରୁଥିବା ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ । ଏ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏପରି ହେଲେ ଚାଷୀ ମରିଯିବ ବୋଲି ଗୁହାରୀ କରିଥିଲେ । ମାତ୍ର ସେମାନେ ନିଦା ବିଷ୍ଣୁ ସାଜିଥିଲେ ।

ଏହାପରେ ଅନନ୍ୟୋପାୟ ହୋଇ ସେ ଏହି ୪୯୦ ଟଙ୍କାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ମନିଅର୍ଡର କରି ପଠାଇଛନ୍ତି । ସେ କହିଛନ୍ତି, ଚାଷୀମାନଙ୍କର ଅବସ୍ଥା କିଭଳି ତାହା ମୋଦିଜୀ ଜାଣନ୍ତୁ। ଆମେ କ୍ୱିଣ୍ଟାଲ୍ ପିଛା ୭୦୦ରୁ ୮୦୦ ଟଙ୍କା ଖର୍ଚ୍ଚ କରୁଛୁ କିନ୍ତୁ ଆଳୁର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୫୪୯ ଟଙ୍କା ରହିଛି। ଫଳରେ ଚାଷୀକୁ ମୂଳଧନ ବି ମିଳୁ ନାହିଁ,ପରିଶ୍ରମ କଥା ଛାଡନ୍ତୁ । ଏହାପୂର୍ବରୁ ନାସିକର ଜଣେ ପିଆଜ ଚାଷୀ ୭୫୦ କିଲୋ ପିଆଜ ବିକ୍ରି କରି ମାତ୍ର ୧,୦୬୪ ଟଙ୍କା ଆୟ କରିବା ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥିଲେ।