ଝାଡଖଣ୍ଡ ପାକୁଡାରେ ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ: ବିଜେପି ଯୁବମୋର୍ଚ୍ଚା କର୍ମୀ ମାଡ ମାରିଥିବା ଅଭିଯୋଗ

39

କନକ ବ୍ୟୁରୋ: ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ । ଝାଡଖଣ୍ଡ ପାକୁଡା ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚାର କିଛି ସଦସ୍ୟମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସ୍ୱାମୀ ଅଗ୍ନିବେଶ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଯୁବମୋର୍ଚ୍ଚା ତାଙ୍କୁ କଳାପତାକା ଦେଖାଇବା ସହ ଗୋ-ବ୍ୟାକ କହି ନାରାବାଜି କରିଥିଲେ । ପରେ ଏକ ଶୋଭାଯାତ୍ରାରେ ଯାଉଥିବା ବେଳେ ଯୁବମୋର୍ଚ୍ଚାର ସଦସ୍ୟମାନେ ତାଙ୍କୁ ଠେଲାପେଲା କରିିବା ସହ ଲାତ ବିଧା ମାରିଥିବା ଅଭିଯୋଗ ହୋଇଛି । ଏହାସହ ତାଙ୍କୁ ତଳେ ପକାଇବା ପରେ ତାଙ୍କ ଲୁଗାପଟା ଚିରିବା ସହ ପଗଡିକୁ ଖୋଲିଦେଇଥିବା ଅଭିଯୋଗ ହୋଇଛି ।

ସେପଟେ ଏହି ଆକ୍ରମଣରେ ବିଜେପି ଯୁବ ମୋର୍ଚ୍ଚ କର୍ମୀଙ୍କ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ପାକୁଡା ଲିଟ୍ଟିପାଡାରେ ଆଦିମ ଜନଜାତି ବିକାଶ ସମିତି ଦାମିନ ଦିବସର ୧୯୫ ବର୍ଷ ପୂର୍ତି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ସ୍ୱାମୀ ଅଗ୍ନିବେଶ । ଏହା ପୂର୍ବରୁ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ଭାଷଣରେ କାର୍ଯ୍ୟକର୍ତାମାନେ ଉତେଜିତ ହୋଇପଡିଥିଲେ । ଏହାସହ ମିଶନାରୀଙ୍କ ଇସାରାରେ ଅଗ୍ନିବେଶ କାମ କରୁଥିବା ବେଳେ ଆଦିବାସୀଙ୍କୁ ଉତେଜିତ କରାଉଥିବା ଆକ୍ରମଣକାରୀ ଅଭିଯୋଗ କରିଛନ୍ତି ।

ଆକ୍ରମଣ ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ସ୍ୱାମୀ ଅଗ୍ନବେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।