ଶେଷ ପରୀକ୍ଷାକୁ ଅପେକ୍ଷା ! ଭାରତୀୟ ସେନା ପାଇବ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମାସ୍ତ୍ର ଅଗ୍ନି-୫, ୫ ହଜାର କିଲୋମିଟର ଦୂରରେ ଥିବା ଟାର୍ଗେଟକୁ କ୍ଷଣିକରେ କରିବ ଧ୍ୱଂସ

25

ଆଉ ମାତ୍ର ଗୋଟିଏ ପରୀକ୍ଷା, ତାପରେ ସେନା ହାତକୁ ଆସିଯିବ ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୫ । ଏହି ଶେଷ ପରୀକ୍ଷାଟି ଆସନ୍ତା ଅକ୍ଟୋବର ମାସରେ କରାଯାଇପାରେ । ଏହି ପ୍ରି-ଇଣ୍ଡକ୍ସନ ପରୀକ୍ଷଣ ପରେ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଅଗ୍ନି ଭାରତୀୟ ସେନାର ଷ୍ଟ୍ରାଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି କ୍ଷେପଣାସ୍ତ୍ରର ଟାର୍ଗେଟ ରେଞ୍ଜ ପ୍ରାୟ ୫ ହଜାର କିଲୋମିଟର ଓ ଏହା ଅଣୁ ଅସ୍ତ୍ରବହନ କରିପାରିବ । ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ସମଗ୍ର ଚୀନ, ୟୁରୋପ, ମଧ୍ୟ ଏସିଆ ଓ ଆଫ୍ରିକାର କେତେକ ଅଂଚଳ ଆସୁଥିବାରୁ ଏହା ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେଲେ ଭାରତ ଶକ୍ତି ଅନେକ ପରିମାଣରେ ବୃଦ୍ଧି ପାଇବ । ଆଗକୁ ଏହାର କ୍ଷମତାକୁ ୮ ହଜାର କିଲୋମିଟର ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ଭାରତ ଯୋଜନା କରୁଥିବାରୁ ଏହାକୁ ନେଇ ଚୀନ ଚିନ୍ତା ପ୍ରକାଶ କରିଛି ।