ଅଗ୍ନି-୫ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ । ରାଡାରରେ ପୂରା ପାକିସ୍ତାନ ସହ ରହିବ ଚୀନର ଅଧିକାଂଶ ଅଞ୍ଚଳ, ୨୦ ମିନିଟରେ ଟାର୍ଗେଟକୁ କରିପାରିବ ଧ୍ୱଂସ

122

କନକ ବ୍ୟୁରୋ : ଚାନ୍ଦିପୁର ଏପିଜେ ଅବଦୁଲ କଲାମ ଦ୍ୱିପରୁ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଅପରାହ୍ନ ୧ଟା ୨୮ମିନିଟରେ କଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ମାଣ କରିଥିବା ଅଗ୍ନି-୫ ମିସାଇଲର ଲକ୍ଷ୍ୟ ଭେଦ କ୍ଷମତା ୫୫୦୦ରୁ ୫୮୦୦ କିଲୋମିଟର ରହିଛି । ଏହା ହେଉଛି ପ୍ରଥମ ବାଲିଷ୍ଟିକ ମିସାଇଲ ଯାହାକି ବେଜିଂ ସମେତ ଚୀନ ଏବଂ ମଧ୍ୟପ୍ରାଚ୍ୟକୁ ପହଂଚିବାର କ୍ଷମତା ବହନ କରୁଛି ।

ଘଣ୍ଟାକୁ ୨୫ହଜାର କିଲୋମିଟର ବେଗରେ ଗତି କରୁଥିବା ଏହି ମିସାଇଲ ତାର ଲକ୍ଷ୍ୟସ୍ଥଳରେ ମାତ୍ର ୨୦ ମିନିଟ ମଧ୍ୟରେ ପହଂଚିବାର କ୍ଷମତା ରଖୁଛି । ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚୀନର ଯେ କୌଣସି ସ୍ଥାନକୁ ଲକ୍ଷ୍ୟ ଭେଦ କରିପାରିବ । ସାମରିକ ମହାଶକ୍ତି ଚୀନକୁ ଟକ୍କର ଦେବା ପାଇଁ ଭାରତୀୟ ସେନା ଏବେ ଅଗ୍ନି-୫ କ୍ଷେପଣାସ୍ତ୍ର ସାମିଲ କରିବାକୁ ଯାଉଥିବାରୁ ସମଗ୍ର ବିଶ୍ୱର ନଜର ଏହା ଉପରେ ରହିଛି । ଏହା ବେଜିଂ, ହଂକଂ ସମେତ ଚୀନର ସବୁ ଅଂଚଳକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ୨୦୧୨ରେ ଅଗ୍ନି-୫ର ପ୍ରଥମ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଥିଲା ।

Comments are closed.