ଆଉ ନାଲି ଆଖି ଦେଖାଇ ପାରିବ ନାହିଁ ଚୀନ ! ଭାରତ ହାତରେ ବ୍ରହ୍ମାସ୍ତ୍ର, ଚୀନ ବ୍ୟତିବ୍ୟସ୍ତ

30

କନକ ବ୍ୟୁରୋ : ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି- ୫ ମିଜାଇଲର ଆଜି ସଫଳ ପରୀକ୍ଷଣ କରିଛି ଭାରତ । ୫ ରୁ ୮ ହଜାର ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଅଗ୍ନି ମିଜାଇଲ, ଭାରତରୁ ଚୀନ୍ର ଯେକୌଣସି ସ୍ଥାନକୁ ସହଜରେ ଟାର୍ଗେଟ୍ କରିପାରିବ । ପୂର୍ବରୁ ଅଗ୍ନି ସିରିଜର ସମସ୍ତ ମିଜାଇଲ୍ ସଫଳତାର ସହ ପରୀକ୍ଷଣ ହୋଇସାରିଥିବା ବେଳେ ଆଜି ସଫଳ ହୋଇଛି ଅଗ୍ନି -୫ର ପରୀକ୍ଷଣ।

agniଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଅଗ୍ନି-୫ ମିଜାଇଲର ହୋଇଛି ସଫଳ ପରୀକ୍ଷଣ । ଏହି ମିଜାଇଲର ସଫଳ ପରୀକ୍ଷଣ ସହ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଆଜି ସାରା ବିଶ୍ୱ ଆଗରେ ପ୍ରଦର୍ଶନ କରିଛି । ଅଗ୍ନି ସିରିଜର ଏହି ମିଜାଇଲ ପରମାଣୁ ବୋମା ବହନ କରି ୫ ହଜାରରୁ ୮ହଜାର କିଲୋମିଟର ଯାଏଁ ଳକ୍ଷ୍ୟଭେଦ କରି ଶତ୍ରୁପକ୍ଷକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି । କେବଳ ସେତିକି ନୁହେଁ ଏହି ମିଜାଇଲରେ ଖଞ୍ଜା ଯାଇଥିବା ଅନ-ବୋର୍ଡ କମ୍ପ୍ୟୁଟର ଓ ଇନରସିଆଲ ନାଭିଗେସନ ସିଷ୍ଟମ ଲକ୍ଷ୍ୟ ଭେଦ କରିବା ଯାଏଁ ମିଜାଇଲକୁ ବାଟ କଢାଇ ନେଇଥାଏ ।ଏହାକୁ ଏଭଳି ଭାବରେ ପ୍ରୋଗାମିଂ କରାଯାଇଛି ଯେ, ଟାର୍ଗେଟ, ଯେତେ ପାଖକୁ ଆସୁଥାଏ ଏହାର ବେଗ ସେତିକି ବଢିଯାଏ ।

ଆଜି ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିବା ଏହି ପରୀକ୍ଷଣରେ ମାତ୍ର ୧୯ ମିନିଟ ମଧ୍ୟରେ ମିଜାଇଲଟି ୪ ହଜାର ୯୦୦ କିଲୋମିଟର ଅତିକ୍ରମ କରି ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟକୁ ଅତି ସହଜରେ ଭେଦ କରିଦେଇଥିଲା । ଯାହା ପ୍ରତିରକ୍ଷା ବିଜ୍ଞାନୀଙ୍କ ଆତ୍ମବିଶ୍ୱାସକୁ ଆହୁରି ବଢାଇ ଦେଇଥିଲା । ଭାରତ ପାଇଁ ଅଗ୍ନି-୫ର ସଫଳ ପରୀକ୍ଷଣ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହା ପଛର କାରଣ ହେଉଛି, ପଡୋଶୀ ଚୀନ୍ ଏକ ବିଶାଳ ସେନାବାହିନୀ ଓ ଅସ୍ତ୍ରଶସ୍ତ୍ର ଧରି ଭାରତ ଆଡକୁ ନାଲି ଆଖି ଦେଖାଉଛି । ଆଉ ଏହି ସମୟରେ ଅଗ୍ନି-୫ର ସଫଳ ପରୀକ୍ଷଣ ଓ ଲକ୍ଷ୍ୟଭେଦରେ ସଠିକତା ଭାରତୀୟ ପ୍ରତିରକ୍ଷା ବିଭାଗ ପାଇଁ ଏକ ବଡ ଆଶ୍ୱସ୍ତିର କାରଣ । ଏହି ଅର୍ନ୍ତମହାଦେଶୀୟ ମିଜାଇଲ ଚୀନର ଯେକୌଣସି ଅଞ୍ଚଳରେ ଟାର୍ଗେଟ କରିବାର କ୍ଷମତା ରଖିଛି । ଆହୁରି ବଡ କଥା ହେଲା ଏଥିରେ କଠିନ ଇନ୍ଧନ ବ୍ୟବହାର ହେଉଥିବାରୁ ଖୁବ କମ ସମୟ ମଧ୍ୟରେ ଏହାକୁ ବ୍ୟବହାର ମଧ୍ୟ କରାଯାଇପାରିବ ।

ଆଉ ଏକ ବଡ କଥା ହେଲା, ଏହା ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।ତେଣୁ ଖୁବ କମ ସମୟ ମଧ୍ୟରେ ଏହି ଧରଣର ଅଧିକ ମିଜାଇଲ ପ୍ରସ୍ତ୍ରୁତ କରାଯାଇପାରିବ । ତେଣୁ ଭାରତକୁ ଆଖି ଦେଖାଇବା ପୂର୍ବରୁ ଏବେ ଶତ୍ର୍ରୁରାଷ୍ଟ୍ରକୁ ବାରମ୍ବାର ଚିନ୍ତା କରିବାକୁ ପଡିବ । କାରଣ ଶତ୍ରୁପକ୍ଷକୁ ଗୋଟିଏ ମିନିଟରେ ଧଂସ୍ୱ କରିବା ପାଇଁ ଏବେ ଭାରତ ପାଖରେ ବ୍ରହ୍ମାସ୍ତ୍ର ଆସିଯାଇଛି ।