ବୋମାମାଡାରୁ ଆରମ୍ଭ ବାତିଲରେ ଶେଷ ! ଆମେ କଣ ଚାହୁଁଛେ ଏଭଳି ହେଉ ଛାତ୍ର ସଂସଦ ନିର୍ବାଚନ

78

କନକ ବ୍ୟୁରୋ : ଆରମ୍ଭ ହେଲା କାଉଂଟ୍ ଡାଉନ୍ । ଚଳଚଂଚଳ କଲେଜ୍ କ୍ୟାମ୍ପସ୍ । ଆସନ୍ତା ୨୩ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ପ୍ରାର୍ଥୀମାନଙ୍କର ଭୋକ, ଶୋଷ କିମ୍ବା ନିଦ ନାହିଁ । ସମସ୍ତେ କେବଳ ସମର୍ଥକ ଖୋଜିବାରେ ବ୍ୟସ୍ତ । ହେଲେ ନିର୍ବାଚନକୁ ନେଇ କେଉଁଠି ଶାନ୍ତି ତ କେଉଁଠି ଦେଖିବାକୁ ମିଳୁଛି ତାତି । ବିଭିନ୍ନ କଲେଜରେ ଦେଖାଦେଇଛି ପ୍ରାକ୍ ନିର୍ବାଚନୀ ହିଂସା ।

ତେବେ କ୍ଷମତାପାଇଁ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ହିଂସାକାଣ୍ଡ ଘଟିବା କିଛି ନୁଆ କଥା ନୁହେଁ । କିନ୍ତୁ ବର୍ତ୍ତମାନ ଯୁବସମାଜ ଆଉ ଛାତ୍ର ସମାଜ କ୍ଷମତା ପାଇଁ ଆପଣାଇଛନ୍ତି ହିଂସାକାଣ୍ଡ । ବର୍ତ୍ତମାନ ରାଜ୍ୟରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ । ଆଶାୟୀ ପ୍ରାର୍ଥୀମାନେ କ୍ଷମତା ପାଇଁ ଆପଣାଉଛନ୍ତି ହିଂସାକାଣ୍ଡ । ଆଉ ପରିସ୍ଥିତି ଏପରି ହୋଇଛି ଛାତ୍ରସଂସଦ ନିର୍ବଚାନରେ ସବୁବେଳେ ଦୃଷ୍ଟି ଆକର୍ଷଣ କରୁଥିବା ବାଣୀବିହାର ଏବଂ ବିଜେବିରେ ବାତିଲ୍ ହୋଇଛି ନିର୍ବାଚନ । କଲେଜ୍ ମାନଙ୍କରେ ବୋମାମାଡ ଭଳି ଘଟଣା ମାରାତ୍ମକ ରୋଗ ଭଳି ବ୍ୟାପୁଛି । ଗତକାଲି ବାଣୀବିହାରରେ ପ୍ରାୟ ୧୨ଟି ବୋମା ମାଡ ହୋଇଛି । ଯାହାର ଫଳ ସ୍ୱରୁପ କଲେଜରେ ଘୋଷଣା ହୋଇଛି ସାଇନ୍ ଏ ଡାଏ । ସେହିପରି କିଛି ଦିନ ପୂର୍ବରୁ ମହର୍ଷି କଲେଜରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା ।

ବନ୍ଦ ହେଲା ବାଣୀବିହାର : 

VANIBIHAR_TENSION_ବୋମାମାଡ ଓ ବ୍ୟାପକ ଅଶାନ୍ତି ମଧ୍ୟରେ ବନ୍ଦ ହୋଇଛି ବାଣୀବିହାର ନିର୍ବାଚନ । ଛାତ୍ର ଅଶାନ୍ତି ପାଇଁ ଏଥର ବାଣୀବିହାରରେ ହେବନି ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ସହ ସାଇନ-ଏ-ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । କ୍ୟାମ୍ପସରେ ଏବେ ବି ପୋଲିସ ଛାଉଣୀ । ମୁଖ୍ୟ ଫାଟକରେ ତାଲା ଝୁଲୁଛି । ସାଇନ୍ ଏ ଡାଏ ଘୋଷଣା ପରେ ହଷ୍ଟେଲ ଖାଲି କରିବାକୁ ଡାକବାଜିରେ ଦିଆଯାଇଥିଲା ସୂଚନା । ପରେ ନିଜ ନିଜ ଜିନିଷପତ୍ର ନେଇ ହଷ୍ଟେଲ ଛାଡିଛନ୍ତି ଛାତ୍ରଛାତ୍ରୀ ।

ନିର୍ବାଚନ ବାତିଲ୍ ହେବା ପରେ କ୍ୟାମ୍ପସରେ ଉତ୍ୟକ୍ତ ଛାତ୍ରଙ୍କ ଘଙ୍କାଇଛନ୍ତି ଲଙ୍କାକାଣ୍ଡ । ଭିସି ଅଫିସରେ ବ୍ୟାପକ ଭଂଗାରୁଜା କରିଛନ୍ତି କିଛି ଆଶାୟୀ ପ୍ରାର୍ଥୀ । ଏପରିକି କିଛି ଛାତ୍ର ଟାୟାର ଜାଳି ପ୍ରତିବାଦ କରିଥିଲେ । ନିଷ୍ପତି ପ୍ରତ୍ୟାହାର ସହ ନିର୍ବାଚନ ଦାବିରେ ଅଡି ବସିଥିଲେ ଆଶାୟୀ ଛାତ୍ର ।

ଛାତ୍ର ସଂସଦ ନିର୍ବାଚନ ଭିତରେ ୩ ଦିନ ହେଲା କମ୍ପୁଥିଲା କ୍ୟାମ୍ପସ । ରବିବାର କ୍ୟାମ୍ପସରେ ୧୨ ଟି ବୋମା ଫୁଟିଥିଲା । ଏପରିକି ମହିଳା ହଷ୍ଟେଲ ଉପରକୁ ବୋମାମାଡ କରିଥିଲେ ଦୁବୃତ । ଏହାପରେ ଉକ୍ରଳ ବିଶ୍ୱବିଦ୍ୟଳୟରେ ନିର୍ବାଚନ ନେଇ ଆଶଙ୍କା ଦେଖାଦେଇଥିଲା । ଏବେ ସ୍ଥିତି ନସୁଧୁରିବା ଯାଏଁ ବାଣୀବିହାରକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି । ବାଣୀବିହାର ଗଣ୍ଡଗୋଳ ଘଟଣାରେ ୨ଟି ମାମଲା ରୁଜୁ କରାଯିବା ସହ ଜଣକୁ ଗିରଫ କରାଯାଇଥିବା ପୁଲିସ କମିସନର ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି ।

ପୁରୀ ଏସସିଏସ କଲେଜ : 

ସେହିପରି ପୁରୀ ଏସସିଏସ କଲେଜ ଓ କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ମଧ୍ୟ ନିର୍ବାଚନୀ ହିଂସା ଦେଖାଦେଇଛି । କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି । କଲେଜରେ ସାଇନ ଏ ଡାଏ ଘୋଷଣା କରାଯାଇଛି । କଲେଜରେ ବୋମାମାଡ, ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ପରେ ନିର୍ବାଚନ ବାତିଲ କରାଯାଇଛିି । ସେହିପରି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ପ୍ରାର୍ଥିପତ୍ର ନାକଚ ଯୋଗୁଁ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି । କଲେଜ ପରିସରରେ ପୋଡାଜଳା କରିଛନ୍ତି ଉତ୍ୟକ୍ତ ଛାତ୍ର । ନବରଙ୍ଗପୁର ଉମରକୋଟ ପେଣ୍ଡ୍ରାଣି ମହାବିଦ୍ୟାଳୟରେ ନିର୍ବାଚନ ଅନିୟମିତତା ନେଇ ଅଧ୍ୟାପକଙ୍କୁ ଛାତ୍ରଛାତ୍ରୀ ତାଲା ପକାଇବା ସହ ରାସ୍ତାରୋକ କରିଥିଲେ ।

ବନ୍ଦ ହେଲା ବିଜେବି କଲେଜ : 

vlcsnap-2017-09-16-20h16m19s196ଛାତ୍ର ଅଶାନ୍ତି କାରଣରୁ ବିଜେବି କଲେଜ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଛାତ୍ରୀନିବାସ ଉପରେ ଘନଘନ ବୋମାମାଡ ହେବା ପରେ କଲେଜ କର୍ତୃପକ୍ଷ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । ଏହାପରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ରାଜନୈତିକ ଉଦେଶ୍ୟ ରଖି କଲେଜରେ ନିର୍ବାଚନ ବାତିଲ କରାଯାଇଥିବା ଅଭିଯୋଗ ହୋଇଛି ।

ମହର୍ଷି କଲେଜ  :
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରେ କଲେଜ କ୍ୟାମ୍ପସରେ ଫୁଟିଥିଲା ବୋମା । ବୋମା ମାଡ଼ ପରେ ଭୟଭୀତ ହୋଇ ପଡିଥିଲେ ଛାତ୍ର ଛାତ୍ରୀ । ଦୁଇଟି ବୋମା ଫିଙ୍ଗା ଯାଇଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ଆଗକୁ ପରିସ୍ଥିତି ଆହୁରି ସଂଗୀନ ହେବା ଆଶଙ୍କା କରାଯାଉଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ମଟନ୍ ଖାଅ ଭୋଟ ଦିଅ :

vlcsnap-2017-09-15-19h37m54s992ଛାତ୍ର ସଂସଦ ନିର୍ବାଚନକୁ ଆଖିରେ ରଖି ବିଭିିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ସବୁ ସମର୍ଥନ ଯୋଗାଡ ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣେଇଛନ୍ତି । କ୍ୟାମ୍ପସରେ ଖୋଲିଛି ମଟନ୍, ଚିକେନ୍, ବିରିୟାନୀର ପସରା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ । ନିର୍ବାଚନରେ ନିଜ ସପକ୍ଷରେ ଭୋଟ ହାତେଇବାକୁ ପ୍ରାର୍ଥୀମାନଙ୍କ ଏହି ଆୟୋଜନ ।

ସାଧାରଣ ନିର୍ବାଚନରେ ଯେପରି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଉଦ୍ୟମ କରିଥାନ୍ତି, ସେହିଭଳି ଉଦ୍ୟମ କରୁଛନ୍ତି ଛାତ୍ର ସଂସଦ ପ୍ରାର୍ଥୀ । କିଏ ହୋଟେଲ ନେଇ ସାଙ୍ଗ ସାଥୀମାନଙ୍କୁ ଖୁଆଉଛନ୍ତି ତ କିଏ କଲେଜ ଭିତରେ ଖାଦ୍ୟ ପସରା ଖୋଲି ଦେଉଛନ୍ତି ।

ପୋଷ୍ଟର, ବ୍ୟାନର, କଟ ଆଉଟରେ ଛାଇ ଯାଇଛି କ୍ୟାମ୍ପସ । ଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ପାଣି ଭଳି ଖର୍ଚ୍ଚ ହେଉଛି ଟଙ୍କା । ଲିଙ୍ଗଡୋ କମସନଙ୍କ କଟକଣାକୁ ପରୱା ନାହିଁ ଛାତ୍ରନେତାଙ୍କର । ଶନିବାର ନାମାଙ୍କନ ପତ୍ର ଦାଖଲ ହେବା ପରେ ଆହୁରି ସରଗରମ ହୋଇପଡିଛି କଲେଜ ଓ ୟୁନିଭରସିଟିର କ୍ୟାମ୍ପସ୍ ।

କଲେଜ ପରିସରରେ ଶିକ୍ଷାଦାନ ସହ ଚରିତ୍ରଗଠନ ମୂଳ ଲକ୍ଷ । ହେଲେ ନିର୍ବାଚନ ଯୋଗୁଁ ହିଂସାକାଣ୍ଡ ସୃଷ୍ଟି କରିବା ପାଇଁ ଚାଲିଛି ପ୍ରତିଦ୍ୱନ୍ଦିତା । ଏକଥା କାହାକୁ ଅଛପା ନାହିଁ ଯେ ବର୍ତ୍ତମାନ ଛାତ୍ର ସଂସଦ ନିର୍ବାଚନକୁ ବିଭିନ୍ନ ରାଜନୈତିକ ଦଳ ନିଜ ସମ୍ମାନ ପ୍ରଶ୍ନ ରୂପେ ଗ୍ରହଣ କରିଛନ୍ତି । ତେଣୁ କଳେ ବଳେ କୌଶଳେ ଏହି ନିର୍ବାଚନକୁ ବାଜିମାତ୍ କରିବାକୁ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଏପରିକି ଛାତ୍ର ମାନଙ୍କୁ ହିଂସା ପଥ ଆପଣେଇବାକୁ ଏକ ରକମର ପ୍ରୋତ୍ସାହନ ଦେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହାର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । କେଉଁଠି ପ୍ରାର୍ଥୀଙ୍କୁ ଅପହରଣ କରାଯାଉଛି ତ ଆଉ କେଉଁଠି କରାଯାଉଛି ଭୟଭୀତ । କହିବାକୁ ଗଲେ ହିଂସା ଛାତ୍ର ଛାତ୍ରୀମାନଙ୍କ ମନରେ ବିଷ ମଂଜି ବୁଣି ଏତେ କମ୍ ବୟସରୁ କବଳିତ କରୁଛି । ଦେଶର ଭବିଷ୍ୟତ ନଷ୍ଟ ଆଡକୁ ଗତି କରୁଛି । ଏହି ସବୁ ପରିସ୍ଥିତ ଦେଖି ଲାଗୁଛି ହିଂସା ଓ ଦୁର୍ନୀତି ତାର କ୍ଷେତ୍ର ଏହିଠାରୁ ହିଁ ପ୍ରସ୍ତୁତ କରୁଛି ।

ତେବେ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ହେଉଥିଲା । ଉଦ୍ଦେଶ୍ୟ ଥିଲା ବିଦେଶୀ ଶାସକ ଗଲା ପରେ ଆମ ଆମକୁ ଶାସନ କରିବୁ । ଦେଶକୁ ଶାସନ ପାଇଁ ଉପଯୁକ୍ତ ନେତା ସୃଷ୍ଟି କରିବା ପାଇଁ ଛାତ୍ର ସଂସଦ ନିର୍ବାଚନ ଥିଲା ଭିତ୍ତିଭୂମି । ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଗଣତନ୍ତ୍ର ପଦ୍ଧତିରେ ପ୍ରତିନିଧି ବାଛିବାକୁ ସୁଯୋଗ ଦିଆଗଲା । ଯାହାର ଉଦ୍ଦେଶ୍ୟ ଥିଲା ଯେଉଁମାନେ ସଭାପତି ଏବଂ ସଂପାଦକ ଭାବରେ ନିର୍ବାଚିତ ହେବେ ସେମାନେ ଦେଶର ଭବିଷ୍ୟତର ନେତା । ଦେଶ ଏବଂ ରାଜ୍ୟର ଧରିବେ ଶାସନ ମଙ୍ଗ । ଯେଉଁମାନେ କ୍ରାଡା ସମ୍ପାଦକ ହେବେ ସେମାନେ କଲେଜ ଜୀବନରୁ ହିଁ କ୍ରୀଡା ନୈପୁଣ୍ୟତା ସୃଷ୍ଟି କରିବେ । ଆଉ ରାଜ୍ୟ ତଥା ଦେଶକୁ ମିଳିବେ ନୂଆ ପ୍ରତିଭା ।

ସମୟ ଥିଲା ଛାତ୍ର ସଂସଦ ନିର୍ବାଚନରେ ଭାଗ ନେଉଥିବା ଛାତ୍ର ଛାତ୍ରୀ ମାନେ କୌଣସି ରାଜନୈତିକ ଦଳ ତରଫରୁ ଲଢୁନଥିଲେ । ମାତ୍ର ୮୦ ଦଶକର ଆରମ୍ଭରୁ ରାଜନୈତିକ ଦଳ ମାନେ ନିଜ ଦଳର ଛାତ୍ର ସଂଗଠନ ଗଢି କଲେଜ୍ ନିର୍ବାଚନ ଲଢୁଛନ୍ତି । କଲେଜ୍ ନିର୍ବାଚନ ପରିଚାଳନା ଏବଂ ତଦାରଖ କରିବା ପାଇଁ ନିଜ ଦଳର ଯୁବନେତା ମାନଙ୍କୁ ନିଯୁକ୍ତି ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଦଳୀୟ ଭିତ୍ତିରେ ନିର୍ବାଚନ ହେଉଥିବା ସହ ଛାତ୍ରଛାତୀଙ୍କ ପରିପକ୍ୱତା ଅଭାବରୁ ସୁଯୋଗ ହାତଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନ ସମୟରେ ଗୋଷ୍ଠୀ ବିବାଦ , ଅଧ୍ୟାପକ ଏବଂ ଅଧ୍ୟପିକା ମାନଙ୍କୁ ଅଶାଳୀନ ଏବଂ ରୁଚିହୀନ ଆଚରଣ ଏବଂ ଉଚ୍ଚାରଣ କଲେଜ୍ ପରିସରକୁ କରୁଛି ବିଷାକ୍ତ । ଧୀରେ ଧୀରେ ପ୍ରତିଷ୍ଠିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପାଲଟିଲାଣି ଦଳୀୟ ରଣକ୍ଷେତ୍ର । କାନ୍ଥବାଡରେ ଲଗୁଛି ଅସଂଖ୍ୟ ପୋଷ୍ଟର୍ । ଦଳୀୟ ନେତାମାନେ ଦଳୀୟ ସ୍ୱାର୍ଥକୁ ନେଇ ନିର୍ବାଚନ ପରିଚାଳନା କରୁଛନ୍ତି । ଯାହାର ଫଳସ୍ୱରୁପ କଲେଜ୍ ପରିସରରେ ଅଣଛାତ୍ରମାନଙ୍କର ପ୍ରବେଶ ହେଉଛି । ଏବଂ ବିଦ୍ୟ।।ର ମନ୍ଦିର କୁହାଯାଉଥିବା ଏହି କଲେଜ ମାନଙ୍କରେ ନଷ୍ଟ ହେଉଛି ଅଧ୍ୟୟନରେ ଏକାଗ୍ରତା । ଯଦି ଏହିଭଳି ଚାଲି ରହେ ତେବେ କଲେଜ୍ ଗୁଡିକ ଶିକ୍ଷା ଆହରଣର କେନ୍ଦ୍ର ହେବା ପରିବର୍ତ୍ତେ ପାଲଟିବ ହିଂସାକାଣ୍ଡ ଆହରଣର କେନ୍ଦ୍ର । ଆଉ ପଥଭ୍ରଷ୍ଟ ହେବ ଯୁବ ସମାଜ ।

ଏକଥାକୁ ଅସ୍ୱୀକାର କରିହେବ ନାହିଁ ଯେ ଦେଶପାଇଁ ଏବଂ ସରକାର ଗଠନ ପାଇଁ ନେତାଙ୍କର ଆବଶ୍ୟକତା ରହିଛି । ସେହି ନେତା ମାନେ ଯୋଗ୍ୟ ଏବଂ ଗୁଣାତ୍ମକ ହେବ ନିହାତି ଜରୁରୀ । ଏଥିପାଇଁ ମହାବିଦ୍ୟାଳୟ ସ୍ତରରେ ଛାତ୍ର ସଂସଦ ନିର୍ବାଚନ ଏକ ପରୀକ୍ଷାଗାର ବା ଲାଲ୍ ଲିଟମସ୍ ଟେଷ୍ଟ ସଦୃଶ । ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରୁଥିବା କିମ୍ବା ସକ୍ରିୟ ଭୂମି୍କା ନେଇଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ଭଲ ନେତା ହୋଇପାରନ୍ତି । ସଂସଦ ହେଉ ବା ବିଧାନସଭା ବହୁ ଛାତ୍ର ନେତା ଉନ୍ନତମାନର ଆଇନ୍ ପ୍ରଣୟନରେ ସହାୟକ ହୋଇଛନ୍ତି ।

ହେଲେ ବର୍ତ୍ତମାନର ଛାତ୍ର ସଂସଦ ନିର୍ବାଚନ ବାସ୍ତବତା ଠାରୁ ଅନେକ ଦୂରରେ । କଲେଜ୍ ନିର୍ବାଚନର ମୂଳଲକ୍ଷ୍ୟ ହେଉଛି ଛାତ୍ର ଛାତ୍ରୀଙ୍କ ଦାବୀ ଏବଂ ସମସ୍ୟାଗୁଡିକ ସେମାନଙ୍କ ମାଧ୍ୟମରେ ସମାଧାନ କରିବା । ଏବଂ ପାଣ୍ଠିର ସୁବିନିଯୋଗ କରିବା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ହୃଦବୋଧ ହେଉଛି ପ୍ରାର୍ଥୀମାନଙ୍କଠାରୁ ଯୁକ୍ତାତ୍ମକ ଆଶା କରିବା ମୁର୍ଖାମୀ । କାରଣ ନିର୍ବାଚିତ ପ୍ରାର୍ଥୀ ଦୁର୍ନୀତି ପ୍ରିୟ । ଅନେକ ସଂସ୍ଥାଠାରୁ ନେଇଥାନ୍ତି ଲାଂଚ । କାରଣ କଲେଜ ପାଣ୍ଠିରୁ ଏଭଳି ରାଜକୀୟ ଭାବେ ନିର୍ବାଚନ ପ୍ରଚାର ଅସମ୍ଭବ । ଏହି ପ୍ରାର୍ଥୀମାନେ ସରକାରୀ ସମ୍ପତି ଭଙ୍ଗାରୁଜା କରିବା ସହ ଘଟାଇଥାନ୍ତି ହିଂସା । କ୍ଲାସ୍ ବନ୍ଦ କରିବା ସହ ଅନ୍ୟ ଛାତ୍ର ଛାତ୍ରୀମାନଙ୍କ ପାଠପଢାରେ ସୃଷ୍ଟି କରିଥାନ୍ତି ବ୍ୟାଘାତ ।

ତେବେ ରାଜ୍ୟରେ ହାତଗଣତି କିଛି ଶିକ୍ଷାନୁଷ୍ଠାନ ଅଛି ଯେଉଁଠି ଏହି ହିଂସାତ୍ମକ ନିର୍ବାଚନର ଛିଟା ପଡୁନାହିଁ । ଏହି ଶିକ୍ଷାନୁଷ୍ଠାନ ମାନଙ୍କରେ ନିର୍ବାଚନ ଉପରେ ଲାଗିଛି ଅଙ୍କୁଶ । ଏବଂ ପରୋକ୍ଷ ଭାବରେ ନିୟନ୍ତ୍ରିତ ହୋଇ ନିର୍ବାଚନ ହେଉଛି । କୌଣସି ଗଣ୍ଡଗୋଳ ଏବଂ ହୋ ହଲ୍ଲା ମଧ୍ୟରେ ନହୋଇ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ହେଉଛି ।