ସମ୍ବଲପୁରରେ ପୋଲ ଉପରୁ ଖସିପଡ଼ିଲା ବସ । ଘଟଣା ସ୍ଥଳରେ ଚାଲିଗଲା ୪ଜଣଙ୍କ ଜୀବନ ।   ହସ୍ପିଟାଲରେ ଚାଲିଛି ଆହତଙ୍କ ଚିକିତ୍ସା

39

କନକ ବ୍ୟୁରୋ : ୩୦ ଫୁଟ୍ ପୋଲ ତଳକୁ ଖସି ପଡିଲା ବସ୍ । ଗତକାଲି ରାତିରେ ସମ୍ବଲପୁର ମାଳତୀ ଜୋର ବ୍ରିଜ୍ ଉପରୁ ଏକ ଯାତ୍ରୀବାହୀ ବସ୍ ଖସି ପଡିବାରୁ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୧ ଜଣ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ୬ ଜଣ ଯାତ୍ରୀଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତି କରାଯାଇଛି ।

ପୋଲ ତଳକୁ ଖସିବା ପରେ ବସର ଆଗପଟ କିପରି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ତେବେ ପଛ ପଟ ପାଣି ଓ କାଦୁଅରେ ପଡିଥିବାରୁ ଅନେକ ଯାତ୍ରୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି । ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ବ୍ରିଜ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅକାଳରେ ଯାଇଛି ଲୋକଙ୍କ ଜୀବନ ।  ଦୁର୍ଘଟଣା ଘଟିବା ପରେ ରାସ୍ତା ମରାମତି କରୁଥିବା ଜାତୀୟ ରାଜପଥ କର୍ମଚାରୀ, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ପୁଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ।

ଅନ୍ଧାର ରାତିରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ବଂଚି ଯାଇଥିଲେ ଅନେକ ଲୋକ । ରାତି ପ୍ରାୟ ସାଢେ ୨ଟା ବେଳେ ଶେଷ ହୋଇଥିଲା ଉଦ୍ଧାର କାର୍ଯ୍ୟ । ପ୍ରିୟଜନଙ୍କୁ ମୃତାହତ ଦେଖି କାନ୍ଦ ବୋବାଳିରେ ଫାଟି ପଡିଥିଲା ଦୁର୍ଘଟଣା ସ୍ଥଳ ଓ ଡାକ୍ତରଖାନା ପରିସର । ସେପଟେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ୬ ଜଣଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି । ବୁର୍ଲା ଓ ଅନ୍ୟ ହସପିଟାଲରେ ଚିକିତ୍ସିତ ହୋଇଛନ୍ତି ପାଖାପାଖି ୩୧ ଜଣ ଯାତ୍ରୀ ।