ପୁଣି ସ୍କୁଲ ଗଲା ସାହସୀ ପପୁ

38

କନକ ବ୍ୟୁରୋ : ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ଘରର ଆର୍ଥିକ ପରିସ୍ଥିତି ଯୋଗୁ ପାଠପଢ଼ାରେ ଡୋରି ବନ୍ଧା ହୋଇଥିବା ବାଲିଅନ୍ତା ବ୍ଲକ ଅଧୀନ ବଇଁଚୁଆ ବଢ଼େଇସାହିର ସାହସୀ ବାଳକ ତପନ ସାହୁ ଓରଫ ପପୁକୁ ସ୍କୁଲ ଆଣିବା କ୍ଷେତ୍ରରେଏବେ ବ୍ଲକ ଶିକ୍ଷା ବିଭାଗ ତତ୍ପର ହୋଇ ଉଠିଛି । ଘୋର ଅଭାବ ଅନଟନ ଯୋଗୁ ପରିବାର ଲୋକ ପପୁର ପାଠପଢ଼ା ବନ୍ଦ କରିଦେଇଥିଲେ ।

ଇତିମଧ୍ୟରେ ତା’ର ବାପା ଓ ମାଆଙ୍କ ସହ କ୍ଲଷ୍ଟର୍‌ ସିଆର୍‌ସିସି ରବୀନ୍ଦ୍ର କୁମାର ସାହୁ ଓ ବଇଁଚୁଆ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ମିଶ୍ର ଏନେଇ ଆଲୋଚନା କରି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ କହି ସ୍କୁଲକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ଗ୍ରାମର ଅନ୍ୟ ପିଲାଙ୍କ ପରି ଏବେ ପପୁ ବହିବସ୍ତାନି ଧରି ସ୍କୁଲକୁ ପାଠ ପଢ଼ିବା ପାଇଁ ଆସିବା ଆରମ୍ଭ କରିଛି। ସେହପରିି ବ୍ଲକ ଶିକ୍ଷା ଅଧିକାରିଣୀଙ୍କ କାର୍ୟ୍ୟାୟଳ ପକ୍ଷରୁ ମଧ୍ୟ ଜାତୀୟ ସାହସିକତା ପୁରସ୍କାର ପାଇବା ପାଇଁ ପପୁର ନାମ ଇତିମଧ୍ୟରେ ଦିଲ୍ଲୀକୁ ପଠାଯାଇଥିବା ବିଇଓ ସ୍ନିଗ୍ଧା ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଗତ ୨୭ ତାରିଖ ସଂଧ୍ୟାରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବୈକୁଣ୍ଠ ସାହୁଙ୍କ ସାନ ପୁଅ ଲିପୁ ଅନ୍ୟ ପିଲାଙ୍କ ସହ ଚାନ୍ଦିନୀ ଉପରେ ଖେଳୁଥିବା ବେଳେ ପ୍ରାୟ ୩୦ ଫୁଟ୍‌ ଗଭୀରର ଏହି କୂଅ ଭିତରକୁ ଖସିପଡ଼ିଥିଲା। ସେଠାରେ ଥିବା ଦିନ ମଜୁରିଆ ସନାତନ ସାହୁଙ୍କ ବଡ଼ ପୁଅ ପପୁ ଭୟ ନକରି ତତ୍‌କ୍ଷଣାତ୍‌ କୂଅକୁ ଡେଇଁ ଲିପୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।