ଆହୁରି ମହଙ୍ଗା ହେବ ପେଟ୍ରୋଲ୍‌, ଡିଜେଲ ! ଅଶୋଧିତ ତୈଳ ଦର ୧୦୦ ଡଲାର ଟପିବ

43

କନକ ବ୍ୟୁରୋ : ଏବେ ଉଚ୍ଚ ସ୍ତରରେ ଥିବା ପେଟ୍ରୋଲ୍‌ ଏବଂ ଡିଜେଲର ଖୁଚୁରା ଦର ଆଗାମୀ ଦିନରେ ଆହୁରି ବଢ଼ିବ । କାରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଆହୁରି ମହଙ୍ଗା ହେବ । ଏବେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୫-୭୦ ଡଲାର ଭିତରେ ରହିଛି । ଗତବର୍ଷ ଜୁଲାଇ ପରଠାରୁ ଏହାର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବୃଦ୍ଧିର ଧାରା ଜାରି ରହିଛି ଏବଂ ଏହା ଆଗକୁ ମଧ୍ୟ ବଜାୟ ରହି ବ। ୨୦୧୯ ବେଳକୁ ଏହି ଦର ୧୦୦ ଡଲାର ଟପିଯିବ ବୋଲି ‘ଇଣ୍ଟରନ୍ୟାନସନାଲ୍‌ ଏନର୍ଜି ଏଜେନ୍ସି’ ଆକଳନ କରିଛି । ଅଶୋଧିତ ତୈଳ ଦର ଶୀଘ୍ର ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିବ ବୋଲି ଏହି ଏଜେନ୍ସି ଆକଳନ କରିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେଲେ ସ୍ଥାନୀୟ ବଜାରରେ ଏହା ଖୁଚୁରା ଦର ବୃଦ୍ଧିର କାରଣ ହେବ । ଏବେ ଅଶୋଧିତ ତେଲ ଦର ୬୫ ଡଲାର ଥିବା ବେଳେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୧ ଟଙ୍କା ପାଖାପାଖି ଏବଂ ଡିଜେଲ ଦର ୬୭ ଟଙ୍କା ପାଖାପାଖି ରହିଛି ।

ଯଦି ଅଶୋଧିତ ତେଲ ଦର ୧୦୦ ଡଲାରରେ ପହଞ୍ଚିଯିବ ତେବେ ଖୁଚୁରା ଦର ଆହୁରି କେତେ ବଢ଼ିଯିବ ତାହା ସହଜରେ ଅନୁମାନ କରାଯାଇପାରିବ । ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ ଦରରେ ଏକ ବଡ଼ ଭାଗ କେନ୍ଦ୍ର ଓ ରାଜ୍ୟର ଟିକସ ରହିଛି । ଯଦି ଆନ୍ତର୍ଜାତିକ ସ୍ତରରେ ଦର ବଢ଼ିଚାଲିବ ଏବଂ ସରକାର ଟିକସ ପରିମାଣ କମାଇବେନି, ତେବେ ପେଟ୍ରୋଲ, ଡିଜେଲ ବହୁତ ମହଙ୍ଗା ହୋଇଯିବ । ତେଲ କଂପାନିଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଧାରଣ କରିବାର ସ୍ୱାଧୀନତା ମିଳିଛି । ଦର ନିର୍ଧାରଣ ପ୍ରକ୍ରିୟା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ତେଣୁ କଂପାନିଗୁଡ଼ିକ ନିଜ ବ୍ୟବସାୟକୁ ବଞ୍ଚାଇବା ଦର ଯେତିକି ବଢ଼ାଇବା ଦରକାର ତାହା ନିଶ୍ଚିତ ବଢ଼ାଇବେ ।

ଭୁବନେଶ୍ୱରରେ ପେଟ୍ରୋଲ୍‌ର ଲିଟର ପିଛା ଦର ୭୧ ଟଙ୍କାରୁ ଅଧିକ ହୋଇଛି । ପେଟ୍ରୋଲ୍‌ ଦର ୭୧ ଟଙ୍କା ୮ ପଇସା ହୋଇଥିବା ବେଳେ ଡିଜେଲର ଲିଟର ପିଛା ଦର ମଧ୍ୟ ୬୭ ଟଙ୍କା ୫୯ ପଇସା ହୋଇଛି । କ୍ରମାଗତ ଭାବେ ଏହି ଦୁଇ ଇନ୍ଧନର ଦର ବଢ଼ୁଛି । ଦେଢ଼ ମାସ ଭିତରେ ପେଟ୍ରୋଲ୍‌ ଦର ୩ ଟଙ୍କାରୁ ଅଧିକ ଏବଂ ଡିଜେଲ ଦର ୫ ଟଙ୍କାରୁ ଅଧିକ ବଢ଼ିସାରିଲାଣି। ପ୍ରତିଦିନ ଡିଜେଲ ଦରରେ ୧୫-୨୫ ପଇସା ଭଳି ବୃଦ୍ଧି ହେଉଛି। କିଛି ଦିନ ହେଲାଣି ପେଟ୍ରୋଲ୍‌ ଦର ବି ସେହି ପରିମାଣରେ ବଢ଼ୁଛି ।
ତେଲ ଦରକୁ ନେଇ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ ସରକାରଙ୍କୁ ଖାଉଟି ବିରୋଧୀ ବୋଲି କହିଛନ୍ତି। ଗ୍ରାହକମାନଙ୍କୁ ଦର ବୃଦ୍ଧି କବଳରୁ ବଞ୍ଚାଇବା ପାଇଁ ପେଟ୍ରୋଲିୟମ୍‌ ସାମଗ୍ରୀକୁ ଶୀଘ୍ର ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ସେ ଆହ୍ଵାନ ଦେଇଛନ୍ତି । ଏଚ୍‌ପିସିଏଲ୍‌କୁ ଓଏନ୍‌ଜିସିର ଅଧିଗ୍ରହଣ ନିଷ୍ପତ୍ତିକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।