କଳାହାଣ୍ଡିରେ ପୁଣି ଲଜ୍ଜା: ଗର୍ଭବତୀ ହେଲେ ପୁଣି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଓ ଗର୍ଭପାତ ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

317

କନକ ବ୍ୟୁରୋ: ଦାରିଙ୍ଗିବାଡି ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ କଳାହାଣ୍ଡି ଜିଲ୍ଳାରୁ ଆସିଛି ପୁଣି ଏକ ଲଜ୍ଜାକର ଘଟଣା । ଥୁଆମୂଳ ରାମପୁର ବ୍ଲକର ନର୍ଲାଠାରେ ଥିବା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଓ ଗର୍ଭପାତ ପରେ ଗୁରୁତର ହେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରଶାସନ ତଦନ୍ତ କରି ନର୍ଲା ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।

ବିହାରରୁ ମାଇଗ୍ରେସନରେ ଆସି ପାଠ ପଢ଼ୁଥିବା ଏହି ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇ ଗର୍ଭପାତ ହୋଇଯିବା ଫଳରେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ନର୍ଲା ହସ୍ପିଟାଲ, ପରେ ଭବାନୀପାଟଣା ଜିଲ୍ଳା ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ତାପରେ ସମ୍ବଲପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଛାତ୍ରୀଙ୍କ ପରିବାର ବର୍ଗ ତାଙ୍କୁ ବିହାର ନେଇଯାଇଥିବା ଓ ତଦନ୍ତ ଚାଲିଥିବା କହିଛନ୍ତି ଜଲ୍ଳା ପ୍ରଶାସନ । ତେବେ ଅଭିଯୁକ୍ତ କିଏ ଏପର୍ଯ୍ୟନ୍ତ ଜଣାପଡିନାହିଁ ।