ମନ ଜିଣିନେଲେ ପୋଲିଂ ଅଫିସର । ମାଓବାଦୀଙ୍କୁ ବୋକା ବନାଇଲେ, ଅନ୍ଧାରୁଆ ରାତିରେ ୧୫ କିଲୋମିଟର ପାହାଡିଆ ରାସ୍ତାରେ ଇଭିଏମ ଧରି ଫେରିଲେ ।

2,439

କନକ ବ୍ୟୁରୋ : ଦାୟିତ୍ୱ ବ୍ୟକ୍ତକୁ ବିଶାଳତାର ପରିଚୟ ଦେଇଥାଏ। ଦାୟିତ୍ୱ ସଂପନ୍ନ ବ୍ୟକ୍ତିଙ୍କୁ ଯେ କେହି ବି ପ୍ରଶଂସା କରିବାକୁ ପଛାଇ ନଥାଏ। ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶାରେ ହୋଇଥିବା ମତଦାନ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ପରେ ପ୍ରାୟ ୩୬ ଜଣ ପୋଲିଂ କର୍ମଚାରୀ ମତଦାନ ପରେ ପୋଲିଂ ବାକ୍ସଗୁଡ଼ିକ ମୁଣ୍ଡରେ ବୋହି ଘନଜଙ୍ଗଲ ପାହାଡିଆ ରାସ୍ତାରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି।

ଘନ ଅନ୍ଧାର ରାତିରେ ଅବାନ୍ତର ରାସ୍ତା ଦେଇ ୧୫ କିଲୋମିଟର ରାସ୍ତାରେ ଚାଲୁଥିବା ବେଳେ ପୋଲିଂ କର୍ମଚାରୀମାନେ ଆଗରେ ଯଦିଓ ସଶସ୍ତ୍ର ଯବାନମାନେ ଚାଲୁଛନ୍ତି, ତଥାପି ଲ୍ୟାଣ୍ଡମାଇନ ବିସ୍ଫୋରଣ କାଳେ ଘଟିଯିବ, ସେଥିପାଇଁ କର୍ମଚାରୀମାନେ ଭୟ ମଧ୍ୟ କରୁଥିଲେ। ପୋଲିଂ କର୍ମଚାରୀଙ୍କ ଏଭଳି ମହାନତା କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଠାରେ ଗୁରୁବାର ମତଦାନ ରାତି ପର୍ଯ୍ୟନ୍ତ ଜାରି ଥିଲା। ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ପୋଲିଂ ବାକ୍ସ ନେଇ ଯିବାର ଥିଲା। ମାତ୍ର ପୋଲିଂ କର୍ମଚାରୀମାନେ ବାଟରେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣ ନେଇ ଆଶଙ୍କା କରିଥିଲେ। ସେଥିପାଇଁ ସେମାନେ ଅନ୍ୟ ରାସ୍ତାକୁ ବିକଳ୍ପ ଭାବରେ ବାଛିଥିଲେ। ପୋଲିଂ କର୍ମଚାରୀମାନେ ଇଭିଏମ- ଭିଭିପାଟକୁ ଭଲ ଭାବରେ ବାନ୍ଧି ଦେଇଥିଲେ। ତା’ପରେ ଯାତ୍ରା ଆରମ୍ଭ କରି ଆଜି ସକାଳୁ ନିଜର ଗନ୍ତବ୍ୟସ୍ଥଳକୁ ପହଂଚିଛନ୍ତି।

ଜଣେ ପୋଲିଂ କର୍ମଚାରୀ ନିଜର ଅଭିଜ୍ଞତା ସଂପର୍କରେ କହିଛନ୍ତି, ପାହାଡିଆ ରାସ୍ତା ଦେଇ ଯାଉଥିବା ବେଳେ ଅଚାନକ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସାଥିରେ ଥିବା ପାଳ ଗୁଡ଼ିକ ଆମେ ଇଭିଏମରେ ଢାଙ୍କି ଦେଇଥିଲୁ। ସକାଳ ପାହିବାରୁ ଆମେ ଖଇରପୁଟରେ ପହଂଚିଥିଲୁ। ସେତେବେଳକୁ ଚାଲିଚାଲି ଆମେ ଥକି ପଡ଼ିଥିଲୁ।