ଉତ୍ତରପ୍ରଦେଶ ଉପନିର୍ବାଚନରେ ପରାଜୟ ପରେ ବିଜେପିକୁ ବଡ ଝଟକା !ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ଯୋଗୀ ଆଦିତ୍ୟନାଥ

60

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ପରାଜୟ ପରେ ବିଜେପିକୁ ବଡ ଝଟକା ଲାଗିଛି । ପରାଜୟ ପରେ ଉତ୍ତରପ୍ରଦେଶର ଯୋଗୀ ସରକାର ଗୋରଖପୁରର ଜିଲ୍ଲାପାଳଙ୍କୁ ବଦଳାଇ ଦେଇଛନ୍ତି । ଏହା ସହ ରାଜ୍ୟରେ ବଡ ପ୍ରଶାସନିକ ଅଦଳବଦଳ ହୋଇଛି । ୩୭ ଜଣ ଆଇଏଏସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏହାଛଡା ବିଜେପି ସଭାପତି ଅମତି ଶାହ ଯୋଗୀଙ୍କୁ ଦିଲ୍ଲୀ ଡକାଇଛନ୍ତି । ଆଜି ଅପରାହ୍ନରେ ଗୋରଖପୁର ପରାଜୟ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ଥନ କରିପାରନ୍ତି ଅମିତ ଶାହ । ସନ୍ଧ୍ୟା ୫ଟାରେ ଏହି ବୈଠକ ହେବ । ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା । ଗୋରଖପୁର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆସନ ଥିବାବେଳେ ଫୁଲପୁର ଥିଲା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯଙ୍କ ଆସନ ।

yogi-

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଜନାବଦ୍ଧ ପ୍ରଚାର ସତ୍ତ୍ୱେ ତାଙ୍କର ନିଜ ଗଡ଼ ଗୋରଖପୁର ଓ ଫୁଲପୁର ଲୋକସଭା ଆସନ ବିଜେପି ହାତରୁ ଖସିଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଅଚ୍ଛେଦିନ’ ପ୍ରତିଶ୍ରୁତି କିମ୍ବା ଯୋଗୀଙ୍କ ସୁଶାସନ ସ୍ଲୋଗାନ ଭୋଟର୍ଙ୍କ ମନକୁ ଆଦୌ ଛୁଇଁଲା ନାହିଁ । ଗୋରଖପୁର ଆସନରେ ସବୁବେଳେ ମଠ ମହନ୍ତଙ୍କ ପତିଆରା ରହିଥିବା ବେଳେ ଚଳିତ ଥର ଜଣେ ବାହାର ପ୍ରାର୍ଥୀଙ୍କୁ ବିଜେପି ଛିଡ଼ା କରାଇଥିଲା । ଏହି ଆସନରେ ଦଳର କ୍ରମାଗତ ବିଜୟ ହୋଇଆସୁଥିବାରୁ ବିଜେପି ପ୍ରାର୍ଥୀ ଅତ୍ୟନ୍ତ ବେପରୁଆ ଢଙ୍ଗରେ ପ୍ରଚାର ଚଳାଇଥିଲେ ଏବଂ ବିଜୟ ନେଇ ମାତ୍ରାଧିକ ଆଶ୍ୱସ୍ତ ହୋଇପଡ଼ିଥିଲେ ବୋଲି ଖୋଦ୍ ବିଜେପି ସ୍ୱୀକାର କରିଥିଲା । ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ଯୋଗୀ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଯୁବ ଭୋଟର୍ ସରକାରଙ୍କ ପ୍ରତି ବିମୁଖ ରହିଥିଲେ । ଏପରି ଅନେକ କାରଣ ଯୋଗୁଁ ବିଜେପିକୁ ପରାଜୟ ସ୍ୱୀକାର କରିବା ପାଇଁ ପଡ଼ିଥିଲା ।