ଅସ୍ଥାୟୀ ପୋଖରୀ ଅଛି ହେଲେ ନଦୀରେ ପଡୁଛି ମୂର୍ତ୍ତୀ! ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମର ଖୋଲା ଉଲ୍ଲଘଂନ ଅଭିଯୋଗ

44

କନକ ବ୍ୟୁରୋ : ରାଜଧାନୀ ଦେଇ ଯାଇଥିବା କୁଆଖାଇ, ଭାର୍ଗବୀ ଏବଂ ଦୟା ନଦୀ ପାଣିରେ ବିଭିନ୍ନ ପୂଜା ସମୟରେ ମୂର୍ତ୍ତି ବିସର୍ଜନ ନ କରିବାକୁ ନିୟମ ହୋଇଛି। ଏପରିକି ନଦୀ ପଠାରେ ବିଏମ୍ସି ପକ୍ଷରୁ ଖୋଳା ଯାଇଥିବା ଅସ୍ଥାୟୀ ପୋଖରୀରେ ହିଁ ମୂର୍ତ୍ତି ବିସର୍ଜନ ହେବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ କରିଛି। ଏହି ବ୍ୟବସ୍ଥା ସୂଚାରୁ ରୂପେ ପରିଚାଳନା କରିବା ପାଇଁ ବିଏମ୍ସି ଓ କମିସନରେଟ୍ ପୁଲିସକୁ ଦାୟିତ୍ୱ ଦିଆଯାଇଛି। ହେଲେ ରାଜଧାନୀରେ ଏହି ନିୟମ ଲାଗୁ ହେଉନି। ଦିନ ଦ୍ୱିପ୍ରହରରେ ଏହି ଦୁଇ ସଂସ୍ଥାର ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରାଜଧାନୀର ବିଭିନ୍ନ ପୂଜା କମିଟି, ଘରୋଇ ସଂସ୍ଥା, ଶିକ୍ଷାନୁଷ୍ଠାନଗୁଡ଼ିକ ନିୟମ ଭାଙ୍ଗୁଛନ୍ତି।

ଗତ ତିନି ବର୍ଷ ହେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ନିୟମ କରିଥିଲେ ହେଁ ଏବେ ବି ପୂଜା ଆୟୋଜକମାନେ କୁଆଖାଇ ଓ ଦୟା ବ୍ରିଜ୍ ଉପରୁ ନଦୀକୁ ମୂର୍ତ୍ତି ପକାଇ ବିସର୍ଜନ କରୁଛନ୍ତି ନଚେତ୍ ନଦୀ ପଠାରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ନ ପକାଇ ନଦୀ ଭିତରେ ହିଁ ବିସର୍ଜନ କରୁଛନ୍ତି। ବିଏମ୍ସି ଓ କମିସନରେଟ୍ ପୁଲିସ ଏସବୁ ଜାଣିକି ବି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ଆଉ ଏହି ନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ଏବେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ରାଜଧାନୀରେ ବିଭିନ୍ନ ସ୍ଥାନରେ ହୋଇଥିବା ଗଣେଶ ପୂଜା ପରେ ମୂର୍ତ୍ତି ବିସର୍ଜନ ପାଇଁ ବିଏମ୍ସି ପକ୍ଷରୁ କୁଆଖାଇ ଏବଂ ଦୟା ନଦୀ କୂଳରେ ଦୁଇଟି ଅସ୍ଥାୟୀ ପୋଖରୀ ଖୋଳା ହୋଇଛି। ହେଲେ ମୂର୍ତ୍ତି ବିସର୍ଜନ ପରେ ଦେଖିବାକୁ ମିଳିଛି ଯେ, ଏହି ଦୁଇଟି ଅସ୍ଥାୟୀ ପୋଖରୀରେ ଯେତିକି ମୂର୍ତ୍ତି ପଡ଼ିନି ତାହାଠାରୁ ଢେର୍ ଅଧିକ ମୂର୍ତ୍ତି ନଦୀରେ ବିସର୍ଜନ ହୋଇଛି। ଏପରିକି ଯେଉଁ କେତେକ ମୂର୍ତ୍ତି ବିସର୍ଜନ ହେଉଛି ତାହାକୁ ବିଏମ୍ସି କର୍ତ୍ତୃପକ୍ଷ ଜେସିବିରେ ଉଠାଇ ପୁଣି ନଦୀରେ ପକାଉଛନ୍ତି। ଯାହାଦ୍ୱାରା ଦୁଇ ନଦୀର ପାଣି ପ୍ରଦୂଷିତ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ କର୍ତ୍ତୃପକ୍ଷ ଖେଳୁଛନ୍ତି।

ଏନେଇ ବିଏମ୍ସିର ସହକାରୀ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ନଦୀରେ ଯେପରି କେହି ମୂର୍ତ୍ତି ବିସର୍ଜନ ନ କରିବେ ସେଥିପାଇଁ ଆମେ ନଦୀ ପଠାରେ ଅସ୍ଥାୟୀ ପୋଖରୀ ଖୋଳିଛୁ। ହେଲେ ଏଠାରେ କିପରି ମୂର୍ତ୍ତି ପଡ଼ିବ, ବିସର୍ଜନ ସ୍ଥାନରେ ଶାନ୍ତିଶୃଙ୍ଖଳା ବଜାୟ ରହିବ ସେଥିପାଇଁ କମିସନରେଟ୍ ପୁଲିସ ବ୍ୟବସ୍ଥା କରିବା କଥା। ସେପରି ହେଉ ନଥିବାରୁ ଆୟୋଜକମାନେ ନଦୀରେ ମନଇଚ୍ଛା ମୂର୍ତ୍ତି ବିସର୍ଜନ କରୁଛନ୍ତି।

ଆମେ ଏହାର ପ୍ରତିରୋଧ କଲେ ଆମକୁ ଆକ୍ରମଣ କରୁଛନ୍ତି। ଆମ କାମ ଅସ୍ଥାୟୀ ପୋଖରୀ ଖୋଳିବା, କିନ୍ତୁ ମୂର୍ତ୍ତି କିପରି ପଡ଼ିବ ତାହା ଜଗିବା ଆମ କାମ ନୁହେଁ। ଏନେଇ କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପୁଲିସ ଯୋଗାଇବା କି ୨୪ଘଣ୍ଟା ବିସର୍ଜନ ସ୍ଥାନରେ ପୁଲିସ ଜଗାଇବା ସମ୍ଭବ ନୁହେଁ।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏବେ ନଦୀ ପଠାରେ ଯେଉଁ ଅସ୍ଥାୟୀ ପୋଖରୀ ଖୋଳା ହୋଇଛି ସେଥିରେ ପଲିଥିନ୍ ଓ ବ୍ଲିଚିଂ ପକାଯିବା ସହ ପାଣି ଭର୍ତ୍ତି କରାଯାଇଛି। ଏଠାରେ ମୂର୍ତ୍ତି ବିସର୍ଜନ ପରେ ଏହାକୁ ଜେସିବି ମାଧ୍ୟମରେ ବାହାରକୁ କଢ଼ା ଯାଉଛି। ଏହାପରେ ଏହାକୁ ବିଏମ୍ସି ଡମ୍ପିଂୟାର୍ଡରେ ପକାଯାଉଛି।

ଅସ୍ଥାୟୀ ପୋଖରୀରେ ପଡ଼ୁଥିବା ମୂର୍ତ୍ତିକୁ କାଢ଼ିବା ଏବଂ ଏହାକୁ ବିଶୋଧନ କରିବା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥାର କର୍ମଚାରୀମାନେ ଯଦି କାହାକୁ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ କହୁଛନ୍ତି ତେବେ ବିସର୍ଜନ ପାଇଁ ଆସୁଥିବା ଆୟୋଜକମାନେ ସେମାନଙ୍କୁ ଆକ୍ରମଣ କରୁଛନ୍ତି। ଫଳରେ କେହି ବିରୋଧ କରିବାକୁ ସାହସ କରୁନାହାନ୍ତି।

ବିସର୍ଜନ ପାଇଁ ଗୋଟିଏ ତାରିଖ ଧାର୍ୟ୍ୟ ହେଉ :

ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଭଳି ଗଣେଶ ପୂଜା, ସରସ୍ୱତୀ ପୂଜା ଏବଂ ବିଶ୍ୱକର୍ମା ପୂଜା ପରେ ମୂର୍ତ୍ତି ବିସର୍ଜନ ପାଇଁ ଗୋଟିଏ ତାରିଖ ଧାର୍ୟ୍ୟ କରାଯାଉ। ଏହାସହିତ ବିସର୍ଜନ ସ୍ଥାନ ଏବଂ ରୋଷଣି ସହ ଆବଶ୍ୟକୀୟ ପୁଲିସ ମୁତୟନ କରାଯାଉ। ଏହାଦ୍ୱାରା ସବୁ ମୂର୍ତ୍ତି ଶୃଙ୍ଖଳିତ ଭାବେ ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ।

ଗଣେଶ ପୂଜା ଭଳି ଅନ୍ୟ କେତୋଟି ପୂଜା ସମୟରେ କେତୋଟି ପୂଜା ମଣ୍ଡପକୁ ଅନୁମତି ମିଳୁଛି, ବିସର୍ଜନ ପାଇଁ କାହାକୁ କେଉଁଦିନ ଅନୁମତି ମିଳୁଛି ତାହା ମଧ୍ୟ କମିସନରେଟ୍ ପୁଲିସ ବିଏମ୍ସିକୁ ଜଣାଉ। ଏହାଦ୍ୱାରା ବ୍ୟବସ୍ଥିତ ଢଙ୍ଗରେ ମୂର୍ତ୍ତି ବିସର୍ଜନ ହୋଇପାରିବ। ଖାସ୍ କରି ବିସର୍ଜନ ସ୍ଥାନରେ ପୁଲିସ ନିୟୋଜିତ କରାଯାଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଦୁର୍ଗା ପୂଜା ପାଇଁ ହେବ ୫ ଅସ୍ଥାୟୀ ପୋଖରୀ :

ଆସନ୍ତା ଦୁର୍ଗା ପୂଜା ପାଇଁ ବିଏମ୍ସି ୫ଟି ଅସ୍ଥାୟୀ ପୋଖରୀ କରିବାକୁ ନିଷ୍ପତ୍ତି ନେଇଛି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୁଆଖାଇରେ ଦୁଇଟି, ଦୟାରେ ଦୁଇଟି ଏବଂ ଭାର୍ଗବୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ ହେବ। ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ଵାନ ହେବ। ଏଠାରେ ଯେପରି ଶାନ୍ତିଶୃଙ୍ଖଳାର ସହିତ ମୂର୍ତ୍ତି ବିସର୍ଜନ ହେବ ସେଥିପାଇଁ ଆବଶ୍ୟକୀୟ ଆଲୋକ ବ୍ୟବସ୍ଥା କରାଯାଇଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।