ଶାହା ଫେରୁ ଫେରୁ ସିବିଆଇ ପଶିଲା । ନିର୍ବାଚନ ଆସିବାରୁ ସିବିଆଇକୁ ମନେପଡିଲା କି ଚିଟପଣ୍ଡ ତଦନ୍ତ କଥା ?

421

କନକ ବ୍ୟୁରୋ : ପୁଣି ଫେରିଲା ସିବିଆଇ । ଦୀର୍ଘଦିନର ଶୀଥିଳତା ପରେ ପୁଣିଥରେ ସିବିଆଇ ଆକ୍ଟିଭ ମୋଡକୁ ଆସିଛି । ତାହା ବି ପୁଣି ବିଜେପି ହାଇକମାଣ୍ଡଙ୍କ ଓଡିଶା ଗସ୍ତର କିଛି ଘଣ୍ଟା ମଧ୍ୟରେ । ସିବିଆଇ ବିଜେଡିର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ ଜାରି କରି ରାଜନୈତିକ ତାତିକୁ ବଢାଇ ଦେଇଛି । ଚିଟଫଣ୍ଡ ସଂସ୍ଥା ଲିଙ୍କ୍ ଅଭିଯୋଗରେ ଉଭୟ ନେତାଙ୍କୁ ସିବିଆଇ ନୋଟିସ ଜାରି କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଶାହାଙ୍କ ଗସ୍ତର କିଛି ଘଣ୍ଟା ମଧ୍ୟରେ ସିବିଆଇ ହଠାତ୍ ଏଭଳି କ୍ରୀୟାଶୀଳ ହେବା ନେଇ ଏବେ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି ।

ଖାସକରି ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ସିବିଆଇ ହଠାତ୍ ଏଭଳି କ୍ରିୟାଶୀଳ ହେବା ପଛର କାରଣ କଣ ରହିଛି ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା । କାରଣ ଗତ ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ସିବିଆଇ ହଠାତ ତତ୍ପରତା ଦେଖାଇବା ସହ ବିଜୁ ଜନତା ଦଳର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ସେତେବେଳେ ରାଜନୈତିକ ବାତାବରଣ ସରଗରମ ହୋଇଥିଲା । ଏପରିକି ନିର୍ବାଚନକୁ ଆଖି ଆଗରେ ରଖି ସିବିଆଇକୁ କେନ୍ଦ୍ର ସରକାର ବ୍ୟବହାର କରୁଥିବା ବିଜେଡି ପକ୍ଷରୁ ସେହି ସମୟରେ ଅଭିଯୋଗ ଅଣାଯାଇଥିଲା । ଯାହା ସିବିଆଇର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ଏହାଛଡା ଗତ କିଛି ଦିନ ଧରି ସିବିଆଇରେ ଯେଉଁ ବିବାଦ ଦେଖା ଦେଇଥିଲା ତାହା ପଛରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଏପରିକି ସିବିଆଇ କାର୍ଯ୍ୟରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣିଥିଲେ ତାହା ପୂରା ଦେଶରେ ହଟଚମଟ ସୃଷ୍ଟି କରିଥିଲା । ଆଉ ଏସବୁ ଭିତରେ ନରେନ୍ଦ୍ର ମୋଦି ମଧ୍ୟ ଓଡିଶା ଗସ୍ତ ସମୟରେ ଚିଟଫଣ୍ଡ ମାମଲାରେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ଆଉ ଆଜି ଶାହାଙ୍କ ଗସ୍ତର ପରେ ପରେ ରିଟର୍ଣ୍ଣ କରିଛି ସିବିଆଇ । ଯାହାକୁ ନେଇ ଚର୍ଚ୍ଚା ହେଉଛି, ରାଜନୈତିକ ଉଦ୍ଦେଶ୍ୟ ରଖି ସିବିଆଇକୁ ବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର । କାରଣ ଆଗକୁ ୨୦୧୯ ନିର୍ବାଚନ ଥିବାବେଳେ ବିଜେପିର ଫୋକସରେ ରହିଛି ଓଡିଶା । ଆଉ ରାଜ୍ୟର ଶାସକ ଦଳର କିଛି ନେତାଙ୍କ ନାଁରେ ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ୍ ନେଇ ଅଭିଯୋଗ ରହିଛି । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ସିବିଆଇର କାର୍ଯ୍ୟଶୈଳୀ କିଭଳି ରହୁଛି ତାହା ଦେଖିବା ବାକି ରହିଲା ।