ଲୋକାୟୁକ୍ତ ଗଠନ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର, ୧୦ ଜୁଲାଇ ସୁଦ୍ଧା ଡେଡଲାଇନ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ

39

କନକ ବ୍ୟୁରୋ: ଆଜି ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପକ୍ଷ ରଖିବେ ରାଜ୍ୟ ସରକାର । ସରକାର ଆରମ୍ଭ କରିଥିବା ସମସ୍ତ ପ୍ରକ୍ରିୟା ନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯିବ । ଜୁଲାଇ ୧୦ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି କରିବାକୁ ଏନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ କରିଥିଲେ । ସୁପ୍ରିମକୋର୍ଟଙ୍କ ନୋଟିସ ପରେ ଲୋକାୟୁକ୍ତ ନିଯୁକ୍ତି ନେଇ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା । ଏଥିପାଇଁ ଏକ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ ।

ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ ହେବ । ଏଥିରେ ବିଧାନସଭାରେ ବାଚସ୍ପତି, ବିରୋଧୀ ଦଳ ନେତା ବି ରହିବେ । ଏହି ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିଶ କରିବେ । ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେବେ । ପୁଣି ଚୟନ କମିଟି ଏକ ପାଂଚ ଜଣିଆ ସର୍ଚ୍ଚ କମିଟି ବାଛିବେ । ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବିଚାର ପାଇଁ ସୁପାରିଶ କରିବେ । ୨୦୧୪ ଫେବୃୟାରୀ ୧୪ରେ ବିଧାନସଭାରେ ପାରିତ ହୋଇଥିଲା ।

ସେତେବେଳେ ଏଭଳି ବିଲ୍ ପାରିତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ଦାବି କରିଥିଲେ ରାଜ୍ୟ ସରକାର । ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହି ଆଇନକୁ ଅନୁମୋଦନ ଦେଇଥିଲେ । ତେବେ ଏହାର ନିୟମାବଳି ପ୍ରଣୟନ ସହ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଏହି ପ୍ରସଙ୍ଗରେ ଗତ ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ ଦଳ । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ଗୃହ ଅଚଳ କରିଥିଲେ ବିରୋଧୀ ।