ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି ପାଇଲା ସିମକାର୍ଡ ସହ ଆଧାର ସଂଯୋଗ ଶେଷ ତାରିଖ ! ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶପରେ ଦୂରସଂଚାର ବିଭାଗର ପଦକ୍ଷେପ

32

ମୋବାଇଲ ସିମ କାର୍ଡ ସହିତ ଆଧାର ସଂଯୋଗ କରିବାର ସମୟସୀମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇଦେଇଛି ଦୂରସଂଚାର ବିଭାଗ । ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶପରେ ବିଭାଗ ଏହି ପଦକ୍ଷେପ ନେଇଛି । ଏ ସଂପର୍କରେ ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେନାମା ପ୍ରକାଶ ପାଇଛି ।

ଏହି ନିର୍ଦ୍ଦେନାମାରେ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ଉପଭୋକ୍ତାମାନଙ୍କ ଆଧାରଭିତ୍ତିକ ଇ-କେଓ୍ଵାଇସି ଯାଞ୍ଚର ଶେଷ ତାରିଖ କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଟେଲିକମ ଅପରେଟରମାନେ ଏ ସଂପର୍କରେ ଉପଭୋକ୍ତାମାନଙ୍କୁ ପଠାଉଥିବା ଏସଏମଏସରେ କୌଣସି ଶେଷ ତାରିଖ ଲେଖା ରହିବ ନାହିଁ ।

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଗତ ୧୩ ତାରିଖରେ ବିଭିନ୍ନ ସରକାରୀ ସ୍କିମ୍‌, ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ସହ ଆଧାର ନମ୍ବର ଲିଙ୍କ୍‌ କରିବାର ଶେଷ ତାରିଖକୁ ସୁପ୍ରିମକୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇଦେଇଥିଲେ । ପୂର୍ବରୁ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଥିଲା । ଆଧାରର ବୈଧତା ସଂପର୍କରେ ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିଲା ।