କଳିଙ୍ଗ ଷ୍ଟାଡିୟମରେ କମାଲ କଲେ କିଙ୍ଗଖାନ୍, ବାରବାଟୀରେ ଦୁଲକାଇବେ ସୁଲତାନ ।

162

କନକ ବ୍ୟୁରୋ : ବାରବାଟୀରେ ଜଲୱା ଦେଖାଇବେ ସଲମାନ୍ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡର ଦବଙ୍ଗ ଖାନ୍ । ଭାଇଜାନଙ୍କ ଏଣ୍ଟ୍ରିକୁ ଚାତକ ଭଳି ଚାହିଁ ରହିଛନ୍ତି ପ୍ରଂଶସକ । ସଲମାନଙ୍କୁ ନେଇ ଏତେ କ୍ରେଜ ରହିଛି ଯେ, ଦର୍ଶକ ଷ୍ଟାଡିୟମ ଖୋଲିବା ପୂର୍ବରୁ ଗେଟ୍ ସାମ୍ନାରେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ।

ଗତକାଲି କଳିଙ୍ଗ ଷ୍ଟାଡିୟମରେ ଅର୍ଜୁନ(ଶାହାରୁଖ ଖାନ୍) କମାଲ କରିବା ପରେ ଏବେ ବାରବାଟୀରେ ଧୁମ ମଚାଇବେ କରଣ (ସଲମାନ ଖାନ୍) । ଆଉ ଏହି ସେଲିବ୍ରେସନକୁ ଆହୁରି ରଙ୍ଗୀନ କରିବ ମ୍ୟୁଜିକ ମାଇଷ୍ଟ୍ରୋ ଏ.ଆର ରେହମାନଙ୍କ ହକି ଥିମ୍ ସଙ୍ଗ । ଶୀତୁଆ କାକର ସନ୍ଧ୍ୟାକୁ ଗରମ କରିବ ସଲମାନଙ୍କ ସୋ’ ।

ଗତକାଲି ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ କଳିଙ୍ଗ ଷ୍ଟାଡିୟମରେ ଶାହାରୁଖଙ୍କ ଯାଦୁ ଦେଖିବାକୁ ମିଳିଥିଲା । କିଙ୍ଗ୍ ଖାନଙ୍କ ଧମାକଦାର ଏଣ୍ଟ୍ରି ସହ ଏହି ଉତ୍ସବକୁ ଆହୁରି ଆର୍କଷଣୀୟ କରିଥିଲା ଶାହାରୁଖଙ୍କ ଚକ୍ ଦେ ଇଣ୍ଡିଆ ଫିଲ୍ମର ଡାଇଲଗ । ଆଉ ଏହାପରେ ଆର୍ଥ ସଙ୍ଗରେ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ନୃତ୍ୟ ଓ ଏ.ଆର ରେହମାନଙ୍କ ଗୀତରେ ବାନ୍ଧି ହୋଇ ଯାଇଥିଲେ ଦର୍ଶକ । ଖାସକରି ଯେତେବେଳେ ହକି ବିଶ୍ୱକପର ଟାଇଟଲ ଗୀତ ରେହମାନ ବୋଲିଥିଲେ ତାଳି ମାଡରେ ଫାଟି ଉଠିଥିଲା ପୂରା ଷ୍ଟାଡିୟମ । ଏଭଳି ଉଦଘାଟନୀ ଉତ୍ସବ ପୂର୍ବରୁ କେବେ ହୋଇନଥିଲା ବୋଲି କହିଥିଲେ ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା ।

ତେବେ ସଲମାନଙ୍କ ଏଣ୍ଟ୍ରି ପୂର୍ବରୁ ଏବେଠାରୁ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଲିଉଡ ଷ୍ଟାରଙ୍କ ନାଚ ଓ ଗୀତରେ ଝୁମିଛନ୍ତି ଦର୍ଶକ । ତେବେ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ, ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ପରେ ୧୯୭୫ ମସିହା ବିଶ୍ୱବିଜେତା ଭାରତୀୟ ହକି ଟିମର ସଦସ୍ୟ ମାନଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ।

ଠିକ୍ ସନ୍ଧ୍ୟା ୬.୩୦ ସମୟରେ ଏ.ଆର ରେହମାନଙ୍କ ସୋ’ ଆରମ୍ଭ ହେବ । ଆଉ ସୋ’ ମଝିରେ ପାଖାପାଖି ୭ଟା ୧୫ ମିନିଟ ମସୟରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବେ ସଲମାନ ଖାନ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ସଲମାନ ଓ ରେହମାନଙ୍କୁ ସମ୍ବର୍ଦ୍ଧିତ କରିବେ । ପରେ କିଛି ସମୟ ପାଇଁ ଦର୍ଶକଙ୍କ ମନୋରଞ୍ଜନ କରିବେ ସଲମାନ । ଆଉ ଏହାପରେ ଷ୍ଟାଡିୟମରେ ଲାଗିଥିବା ଏଲଇଡି ସ୍କ୍ରିନରେ ହକି ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ ।