ରାଜନୀତି ବିଛଣାରେ କଡ଼ ଲେଉଟାଇଲେ ନବ ଦାସ । ଦମରେ କହୁଥିିଲେ ଛାଡ଼ିବିନି କଂଗ୍ରେସ, ଆଜି ତୁଟାଇଦେଲେ ସବୁ ସମ୍ପର୍କ ।

କାଲିର ହଁ ଆଜିର ନା, କାଲିର ନା ଆଜିର ହଁ । କେତେବେଳେ ବିରୋଧୀ ଦଳ ସରକାରୀ ଦଳ ଶିବିରରେ ତ ଆଉ କେବେ ସରକାରୀ ଦଳ ବିରୋଧୀ ଦଳ ଶିବିରରେ । ସେଥି ପାଇଁ କୁହଯାଏ-ରାଜନୀତୀରେ ଗୋଟିଏ ବିଛଣାରେ ଅନେକ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ ।

422

କନକ ବ୍ୟୁରୋ: ରାଜନୀତିରେ କ’ଣ ସବୁ ଦେଖିବାକୁ ନମିଳେ । କାଲିର ହଁ ଆଜିର ନା, କାଲିର ନାଁ ଆଜିର ହଁ । କେତେବେଳେ ବିରୋଧୀ ଦଳ ସରକାରୀ ଦଳ ଶିବିରରେ ତ ଆଉ କେବେ ସରକାରୀ ଦଳ ବିରୋଧୀ ଦଳ ଶିବିରରେ । ସେଥି ପାଇଁ କୁହଯାଏ-ରାଜନୀତୀରେ ଗୋଟିଏ ବିଛଣାରେ ଅନେକ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ । ବର୍ଷ ବର୍ଷ ଧରି ସରକାରଙ୍କୁ ଗାଳି ଦେଉଥିବା ବ୍ୟକ୍ତି ଶେଷ ମୁର୍ହୂତରେ ପ୍ରଶଂସକ ପାଲଟିଜାନ୍ତି । ନିନ୍ଦୁକ ପ୍ରଶଂସକ ହେବା ଏବଂ ପ୍ରଶଂସକ ନିନ୍ଦୁକ ହେବା ରାଜନୀତିର ଏକ ସ୍ୱାଭାବିକ ଘଟଣା । ଆଉ ସେହି ଘଟଣାର ପୁନରାବୃତ୍ତି କରିଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ । ଆଜି ବିଧିବଦ୍ଧ ଭାବେ କଂଗ୍ରେସକୁ ବାଏ ବାଏ କହିବା ପରେ ନବ ଦାସଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ବହୁ ଦିନ ଧରି ଦଳବଦଳର ଚର୍ଚ୍ଚା ଆସିଲା ବେଳେ ଝାରସୁଗୁଡ଼ା ନେତା ତଥା ପୂର୍ବତନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ ମନା କରି ଆସୁଥିଲେ । କିନ୍ତୁ ଏହି ମନା କରିବା ଭିତରେ ଏକ ଅସ୍ପଷ୍ଟ-ଲୁଚକାଳି ଖେଳ ବାହାରକୁ ଜଳଜଳ କରି ଦେଖାଯାଉଥିଲା । ଯେତେବେଳେ ବାରମ୍ବାର ନବଙ୍କୁ ପଚାରାଯାଉଥିଲା ଆଗକୁ କଣ ହେବ । ସେତେବେଳେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଉନଥିଲେ । ଏପରିକି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରି ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖିଥିଲେ ନବ ଦାସ । କହିଥିଲେ ‘ମୁଁ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେବା ଅପ୍ରଚାର କରାଯାଉଛି । ‘ମୁଁ ମୋର ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି । କଂଗ୍ରେସ ଦଳର ଉଥାନ ଓ ପତନ, ଦଳର ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ । ଦଳ ତରଫରୁ ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠାର ସହ ତୁଲାଉଛି ଏବଂ ଆଗକୁ ମଧ୍ୟ କାର୍ଯ୍ୟ କରିବି । ତେଣୁ ମୋର କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳ ଯିବା ପ୍ରଶ୍ନ ଉଠୁନାହିଁ । ଏବଂ ଯେଉଁମାନେ ମୋ ନାଁରେ ଅପପ୍ରଚାର କରୁଛନ୍ତି ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ନବ ଦାସ ।

ଯିଏ ଦିନେ ଗଣମାଧ୍ୟମର ଚର୍ଚ୍ଚାକୁ ନେଇ ଦମରେ କହିଥିଲେ ମୁଁ କଂଗ୍ରେସ ଛାଡ଼ି ଯିବାର ପ୍ରଶ୍ନ ଉଠୁ ନାହିଁ ସିଏ ଆଜି ଦଳକୁ ବାଏ ବାଏ କହିଛନ୍ତି । ଏହାର ଅର୍ଥ ନବ ଦାସ ଯେଉଁ ଛେପ ପକାଇଥିଲେ ତାହାକୁ ପୁନର୍ବାର ଢୋକି ଦେଲେ । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ନବ ଦାସଙ୍କୁ ସମାଲୋଚନାର ପାତ୍ର ହେବାକୁ ପଡ଼ିଛି । ସେ ଯାହା ହେଉ ଓଡ଼ିଶା ବିଧାନସଭାକୁ ଲକ୍ଷ୍ୟ କରି ଯଦି ଆପଣ ବିରୋଧୀ ବା ଶାସକ ଦଳର ବ୍ରାଣ୍ଡ ଭାବୁଥାନ୍ତି ତାହେଲେ ସାବଧାନ । ନେତା ଯେ କୌଣସି ଦଳକୁ ଯାଇ ପାରନ୍ତି । ଆଉ ଯେ କୌଣସି ଦଳରୁ ଟିକେଟ ପାଇପାରନ୍ତି । ଏହାର ଉଦାହରଣ ପାଲଟିଛନ୍ତି ପଶ୍ଚିମ ଓଡ଼ିଶା ତଥା ଝାରସୁଗୁଡ଼ାର ନେତା ନବ ଦାସ ।

ଏହି ଦଳ ବଦଳ ପ୍ରକ୍ରିୟା ୧୯୬୭ ଘଟଣାର ହରିୟାଣର ବିଧାୟକ ଗୟାଲାଲଙ୍କ ଠାରୁ ଆରମ୍ଭ ହୋଇଥିଲା । କାରଣ ଗୟାଲାଲ୍ ୧୫ ଦିନରେ ୩ଥର ଦଳବଦଳ କରିି ରାଜନୀତିରେ ଆୟାରାମ ଗୟାରାମ ପରମ୍ପରା ତିଆରି କରିଥିଲେ । ଯଦି ଆଜି ଦିନର ରାଜନୀତିକୁ ଦେଖିବା, ତାହେଲେ ୭୦ ଦଶକର ସତ, ଆଜି କିଭଳି ଜୀବନ୍ତ ରହିଛି, ତାହା ସହଜରେ ଅନୁମାନ କରିହେବ । କେହି କେହି କୁହନ୍ତି, ରାଜନୀତି ହେଉଛି ଆଇପିଏଲ୍ ମ୍ୟାଚ୍ ଭଳି । ଏଠି ଦେଶ ବଡ ନୁହେଁ କ୍ରିକେଟ ହିଁ ବଡ କଥା । ଆପଣ ଯେ କୌଣସି ଦଳ ପାଇଁ ଖେଳିପାରିନ୍ତି । ଯେଉଁଠି ଆପଣଙ୍କ ଦକ୍ଷତା ହିଁ ପ୍ରସଙ୍ଗ ଭାବରେ ଗ୍ରହଣ କରାଯାଏ । ତେଣୁ କଂଗ୍ରେସକୁ ବାଏ ବାଏ କହି ଆସନ୍ତା ୨୪ରେ ଶଙ୍ଖ ଫୁଙ୍କିବେ ନବ ଦାସ ।