ରାମରହିମ ପରେ ବାବା ଫଳାହାରୀ ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା

26

କନକ ବ୍ୟୁରୋ: ସାଧ୍ୱୀ ଦୁଷ୍କର୍ମ ମାମଲାରେ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ୍ ଦଣ୍ଡ ପାଇବାପରେ ଏବେ ଅନ୍ୟ ଆତ୍ମଘୋଷିତ ବାବାମାନଙ୍କ କଳା କାରନାମା ବି ପଦାରେ ପଡ଼ିବାରେ ଲାଗିଛି । ରାମ ରହିମଙ୍କ ପରେ ଏବେ ଫଳାହାରୀ ମରାରାଜାଙ୍କ ପାଳି ପଡ଼ିଛି । ରାଜସ୍ଥାନର ଅଲଓ୍ଵରର ୭୦ ବର୍ଷିୟ ଆତ୍ମଘୋଷିତ ଧର୍ମଗୁରୁ କୌଶ୍ଲେନ୍ଦ୍ର ଫଳାହାରୀ ମହାରାଜା ଜଣେ ୨୧ବର୍ଷିୟା ଆଇନ ବିଦ୍ୟାର୍ଥୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ମହିଳାଜଣଙ୍କ ଫଳାହାରୀ ମହାରାଜଙ୍କ ଭକ୍ତ ଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଗତ ଦୁଇ ଦଶନ୍ଧୀ ଧରି ବାବାଙ୍କ ଭକ୍ତ ଥିଲେ । ତେବେ ନିକଟରେ ମହିଳା ଜଣଙ୍କ ବାବାଙ୍କ ସୁପାରିଶ କ୍ରମେ ଏକ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ ଏବଂ ଷ୍ଟାଇପେଣ୍ଡ୍ ବାବଦରେ ସେ ଯେଉଁ ଟଙ୍କା ପାଇଥିଲେ ସେଥିରୁ ୩,୦୦୦ ଟଙ୍କା ସେ ବାବାଙ୍କୁ ଦେବାଲାଗି ଅଗଷ୍ଟ ୭ ତାରିଖରେ ଯାଇଥିଲେ କିନ୍ତୁ ବାବା ସେହି ସମୟରେ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ବିଳାଶପୁରର ଏହି ମହିଳା ଜଣଙ୍କ ବାବା ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ସେପ୍ଟେମ୍ବର ୧୧ ତାରିଖରେ ପୁଲିସରେ ଏଫଆଇର ଦାଏର କରିଥିଲେ ।

୧୫ ବର୍ଷ ପୂର୍ବେ ୨ ସାଧ୍ୱୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାବା ରାମ ରହିମ ଦୋଷୀସାବ୍ୟସ୍ତ ହେବାର ମାସକ ପରେ ମହିଳା ଜଣକ ଏହି ଅଭିଯୋଗ ଆଣିଛନ୍ତି । ପୁଲିସ କହିଛି ସିଂଙ୍କୁ ଦଣ୍ଡ ମିଳିବାପରେ ମହିଳାଜଣକ ନିଜ ଉପରେ ହୋଇଥିବା ଅନ୍ୟାୟ ବିରୋଧରେ ପାଟି ଖୋଲିଛନ୍ତି । ବାବା ତାଙ୍କୁ ବିଚାରପତି କରିଦେବେ ବୋଲି କହି ତାଙ୍କ ସହ ଛଳନା କରିବାସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।