ବର୍ଷା ଛାଡିଛି ହେଲେ ରହିଯାଇଛି ଚିହ୍ନ ! ଉଜୁଡି ଯାଇଛି ସୁନାର ଫସଲ, ପରିଶ୍ରମର ମୂଲ୍ୟ ଖୋଜୁଛି ଚାଷୀ ।

28

କନକ ବ୍ୟୁରୋ : ବର୍ଷା ଛାଡିଛି, ହେଲେ ଚିହ୍ନ ରହିଛି । ବର୍ଷା ଓ ବନ୍ୟାର ଏହି ଚିହ୍ନ ଭିତରେ ପରିଶ୍ରମର ମୂଲ୍ୟ ଖୋଜିବାକୁ ଚେଷ୍ଟା କରୁଛି ଚାଷୀ । ହେଲେ ଅଂଟାଏ ପାଣିରେ ନିଜର ସ୍ୱପ୍ନକୁ ଖୋଜି ବାହାର କରିବା ଯେମିତି କଟକ ଜିଲ୍ଲା ବାଙ୍କୀ ଅଂଚଳ ଚାଷୀଙ୍କ ପାଇଁ ସଂଭବ ହେଉନାହିଁ । ପୋଟଳ, ଝୁଡଙ୍ଗ, କାକୁଡି, ବିନ୍ସ ଭଳି, ନାନା କିସମର ପରିବା ଚାଷ କରିଥିଲେ ଚାଷୀ । ହେଲେ ମହାନଦୀର ବନ୍ୟା ପାଣିରେ ସବୁ ଉଜୁଡି ଯାଇଛି ।

ବନ୍ୟା ପାଣି ସାଜିଲା ଦାଉ, ଉଜୁଡି ଗଲା ସୁନାର ଫସଲ । କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ମହାନଦୀ ଅବବାହିକାରେ ଉଜୁଡି ଯାଇଥିବା ଫସଲ ଚାଷୀ ସଂଘର୍ଷର କାହାଣୀ ବୟାନ କରୁଛି । ଡମପଡ଼ା ବ୍ଲକର କୁସପଙ୍ଗି, ବିଲିପଡ଼ା ପଂଚାୟତ ଏବଂ ବାଙ୍କୀ ବ୍ଲକର ରତାଗଡ ଗୋବିନ୍ଦପୁର ଓ ଓସ୍ତିଆ ପଂଚାୟତର ଏକର ଏକର ପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ବନ୍ୟା ପାଣି କେବେ ସୁଖିବ ତାକୁ ଚାଷୀ ଚାହିଁ ବସିଥିବା ବେଳେ ଚିନ୍ତା ବଢ଼ାଇ ଦେଇଛି ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟା ଜଳ ।

ବାଙ୍କୀର ଏହି ଘଟଣାଠୁ ବଳି ଯାଇଛି କଳାହାଣ୍ଡି ଚାଷୀଙ୍କ ଦୁଃଖ । କାରଣ ବାଲିଚରରେ ସଂପୂର୍ଣ୍ଣ ମାଟି ତଳେ ଲୀନ ହୋଇଯାଇଛି ଫସଲର ଅଧିକାଂଶ ଭାବ । ହାତୀ ନଦୀ କୂଳରେ ଥିବା ଜୟପାଟଣା, ଜୁନାଗଡ଼, ଏବଂ କଲମପୁର ବ୍ଲକର ଅନେକ ଗାଁରେ ଧାନ ଚାଷ ଉଜୁଡି ଯାଇଛି । ଅଧିକାଂଶ ଚାଷୀ ଧାନ ଉପରେ ନିର୍ଭର କରୁଥିବା ବେଳେ ବନ୍ୟା ପାଣି ଯୋଗୁଁ ଫସଲ ଧୋଇ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୮ଟି ବ୍ଲକର ୧୦୪ଟି ପଂଚାୟତରେ ସର୍ବାଧିକ ଫସଲ ନଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିଥିବା ବେଳେ କୃଷିମନ୍ତ୍ରୀ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ । ଆଉ ଏହି ସମୀକ୍ଷା ଓ ଆକଳନ ଭିତରେ ଚାଷୀଙ୍କ ଗୋଟିଏ ଭରସା, ତାହା ହେଲା ସରକାରୀ ସହାୟତା ।