ଇଂରାଜୀ ପତ୍ରିକାରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ନେଇ ରାଜନୀତି ! ବିଜେପି କହିଲା, ଇଣ୍ଡିଆ ଟୁ-ଡେ ପତ୍ରିକା ତାଲିକାରୁ ବାଦ ପଡିଲେ ନବୀନ

43

କନକ ବ୍ୟୁରୋ: ଇଂରାଜୀ ପତ୍ରିକାରେ ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ମାନ ଦିଆଯିବା ନେଇ ଓଡିଶା ରାଜନୀତି ଜୋର ଧରିଛି । ଆଉଟଲୁକ ପତ୍ରିକା ନବୀନଙ୍କ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରିଛି । ଏ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, ଆଉ ଏକ ଇଂରାଜୀ ସାପ୍ତାହିକ ନବୀନଙ୍କ ପ୍ରକୃତ ମୁହଁକୁ ଆଇନାରେ ଦେଖାଇଛି ।

ଇଂରାଜୀ ପତ୍ରିକା ଆଉଟଲୁକ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ଦିଆଯାଇଥିବାବେଳେ ଅନ୍ୟ ଏକ ପତ୍ରିକା ଇଣ୍ଡିଆ ଟୁଡେରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନାହାନ୍ତି ନବୀନ । ଇଣ୍ଡିଆ ଟୁଡେର ସଦ୍ୟତମ ସଂସ୍କରଣରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତା ପରେ ବିହାର, ଆନ୍ଧ୍ରପ୍ରଦେଶ , ଉତରପ୍ରଦେଶ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ଇଣ୍ଡିଆ ଟୁଡେରେ ଜୁଲାଇ ସଂସ୍କରଣରେ ନବୀନଙ୍କୁ ଜଣେ ଭଲ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇଥିଲା । ଆଉ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିଜେପି ଏହି ପୁରସ୍କାର ନେଇ ପ୍ରଶ୍ନ ଉଠାଇଛି । ବିଜେପି କହିଛି, ଏହା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଦେଇଛନ୍ତି । ପୁରସ୍କାରକୁ ପ୍ରୟୋଜିତ ବୋଲି କହିଛି ଦଳ । ଅଧିକ ମାତ୍ରାରେ ପୁରସ୍କାରକୁ ପ୍ରଚାରିତ ଓ ପ୍ରସାରିତ କରି ଅସଲ ଦୋଷତ୍ରୁଟିକୁ ଘୋଡାଇବାକୁ ଉଦ୍ୟମ କରାଯାଉଛି । ରୋମ ଜଳୁଥିବାବେଳେ ନିରୋଙ୍କ ବଂଶୀବାଦନ ସହ ନବୀନଙ୍କ ପୁରସ୍କାର ଓ ସମ୍ବର୍ଦ୍ଧନାକୁ ତୁଳନା କରିଛି ବିଜେପି ।

ଅନ୍ୟପଟେ, ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି କି, ନମ୍ବର ୱାନ ପ୍ରଶାସକ ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା । କିନ୍ତୁ କଥାରେ ନମ୍ବର ୱାନ ନହୋଇ କାର୍ଯ୍ୟରେ ନମ୍ବର ୱାନ ହେବା ଆବଶ୍ୟକ । ଧର୍ମେନ୍ଦ୍ର ଚ୍ୟାଲେଞ୍ଜ କରି କହିଛନ୍ତି ଯେଉଁ ସରକାରୀ କର୍ମଚାରୀମାନେ ନବୀନଙ୍କୁ ସମ୍ବର୍ଦ୍ଧନା ଦେଉଛନ୍ତି ଆଜି ସନ୍ଧ୍ୟା ସୁଧା ସେମାନଙ୍କ ପାଇଁ ସପ୍ତମ ବେତନ କମିଶନଙ୍କ ସୁପାରୀଶକୁ ଲାଗୁ କରି ଦେଖାନ୍ତୁ ।

ସେପଟେ ସପ୍ତମ ବେତନ କମିଶନ ଲାଗୁ କରିବା ନେଇ ଧର୍ମେନ୍ଦ୍ରଙ୍କ ଆହ୍ୱାନ ପରେ ଜବାବ ଦେଇଛି ବିଜେଡି । ରାଜ୍ୟ ଅର୍ଥମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତିି ସପ୍ତମ ବେତନ କମିଶନ ପ୍ରସଙ୍ଗ ବିଚାରାଧୀନ ରହିଛି । ନୀତି ଆୟୋଗ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛି ।