ନୋଟ୍ ଅଚଳର ୩୦ଦିନ ! ଖୁଚୁରା ଅଭାବରୁ ମାର୍କେଟ୍ ମାନ୍ଦା

39

କନକ ବ୍ୟୁରୋ : ନୋଟ୍ ବ୍ୟାନକୁ ମାସେ ପୁରିଲା । ଠିକ୍ ଆଜିର ଦିନରେ ହଠାତ୍ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ନେଇ ଘୋଷଣା କରିଥିଲେ । ହଇଚଇ ସୃଷ୍ଟି ହୋଇଯାଇଥିଲା ସାରା ଦେଶରେ । କଳାଧନକାରୀ ଚମକି ଉଠିଥିଲେ । ହେଲେ ପୁରୁଣା ନୋଟ୍ ବ୍ୟାନ୍ ହେବା ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ମଧ୍ୟବିତ ଓ ଗରିବ । ଖୁଚୁରା ବଜାର ମାନ୍ଦା । ରିୟଲ ଇଷ୍ଟେଟ୍ ଓ ସୁନା ବ୍ୟବସାୟ ବି ଠପ୍ ହୋଇଯାଇଛି । ଦେଖନ୍ତୁ ମାସକ ପରେ କେମିତି ଅଛି ଚିତ୍ର ।

vlcsnap-2016-12-08-18h51m27s809ଅଚଳ ହୋଇଗଲା ପୁରୁଣା ୫୦୦ ଟଙ୍କା ଓ ୧୦୦୦ ଟଙ୍କା ଟଙ୍କିଆ ନୋଟ୍ । ଆଉ ଏହା ସହ ଅଚଳ ହୋଇଗଲା ବଜାର । ଏହାର ସିଧା ପ୍ରଭାବ ପଡିଛି ନିତିଦିନିଆ ବ୍ୟବସାୟ ଉପରେ । ଖୁଚୁରା ନଥିବାରୁ ଠପ୍ ହୋଇ ଯାଇଛି ଖୁଚୁରା ବଜାର । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡିଶାର ବ୍ୟବସାୟିକ ପ୍ରାଣ କେନ୍ଦ୍ର ବହ୍ମପୁର ସହରର । ବାହାଘର ସିଜିନରେ ବି ସୁନା ଦୋକାନରେ ଗ୍ରାହକ ନାହାଁନ୍ତି । ବଡ ବଜାରରେ ବି ଗହଳି ଚହଳି ନାହିଁ । ସେପଟେ ରାଜ୍ୟ ବଣିକ ସଂଘ ଦେଇଛି ଆଶ୍ଚର୍ଯ୍ୟକର ତଥ୍ୟ । ନୋଟ୍ ସଂକଟ ଲୋକଙ୍କ ଖର୍ଚ୍ଚ ଉପରେ ଲଗାଇଛି ରୋକ୍ । ତେଣୁ କିଣାବିକା ୩୦% କମିଛି ।

ସେପଟେ ଜମି ଓ ଘରବାଡି ବେପାରରେ ପଡିଛି ତାଲା । କାରଣ ଏସବୁ ବ୍ୟବସାୟରେ ସିଂହଭାଗ ହୋଇଥାଏ ନଗଦ ଟଙ୍କାରେ । ତେଣୁ ଜମି ବେପାର ୫ %କୁ ଖସି ଆସିଥିବା ବେଳ ଘରବାଡି ବେପାରରୁ ସଂପୂର୍ଣ୍ଣ ଠପ୍ । ଏପରିକି ଏ ବ୍ୟବସାୟ ସହ ଜଡିତ ବ୍ୟବସାୟୀ କହିଛନ୍ତି ଆହୁରି ୬ରୁ ୯ ମାସ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ।

ଛୋଟ ଗାଁରୁ ବଡ ସହର । ସାରା ରାଜ୍ୟରେ ସମାନ ସ୍ଥିତି । ନୋଟ୍ ନଥିବାରୁ ଲୋକେ କ୍ୟାସଲେସ୍ ଟ୍ରାନଜାକ୍ସନ୍ ମୁହାଁ ହେଉଛନ୍ତି । ବଡ ବଡ ଦୋକାନ ଓ ମଲରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ଆଗକୁ ବିନା ନୋଟରେ କାରବାର କରିବାରେ ଲୋକେ ଅଭ୍ୟସ୍ତ ହୋଇଯିବେ ବୋଲି ବ୍ୟବସାୟୀ ଆଶା କରୁଛନ୍ତି ।

ମୋଦି ମାଗିଥିବା ୫୦ ଦିନ ମଧ୍ୟରୁ ୩୦ ଦିନ ସରି ଯାଇଛି । ନୋଟ୍ ସଂକଟ କିଛି ମାତ୍ରାରେ ଦୂର ହୋଇଛି । ହେଲେ ବଜାରରେ ମାନ୍ଦା ଅବସ୍ଥା ଲାଗି ରହିଛି । ଏଭଳି ସ୍ଥିତିରେ ଆଗକୁ କଣ ହେବ । ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।