ନବଙ୍କ ଇସ୍ତଫା ପରେ କଂଗ୍ରେସରେ କମ୍ପନ । ପିସିସି ସଭାପତି କହିଲେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ନବଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

513

କନକ ବ୍ୟୁରୋ: ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଦଳ ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ଦଳର ବରିଷ୍ଠ ନେତୃବୃନ୍ଦମାନେ ନବ ଦାସଙ୍କୁ ଦଳରୁ ବହିଷ୍କାର ପାଇଁ ଏଆଇସିସିଙ୍କୁ ପୂର୍ବରୁ ଅବଗତ କରାଇଥିଲେ । ତେଣୁ ଆଜି ସକାଳୁ ଏଆଇସିସି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଦଳରୁ ବହିଷ୍କାର କଲାପରେ ନବ ଦାସ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।

ତେବେ ନବ ଦାସ ଆଜି ଅପରାହ୍ନରେ କଂଗ୍ରେସର ହାତ ଛାଡ଼ିଥିବା ନେଇ ବିଧିବଦ୍ଧଭାବେ ଘୋଷଣା କରିଥିଲେ । ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ କଂଗ୍ରେସ ଛାଡିବା ନେଇ ଇସ୍ତଫା ପତ୍ର ପଠାଇଛନ୍ତି । ଗତ କିଛି ଦିନ ଧରି ନବ ଦାସଙ୍କ ଇସ୍ତଫା ଦେବା ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଜି ଇସ୍ତଫା ପତ୍ର ପଠାଇବା ସହ ନବ କହିଛନ୍ତି, ଝାରସୁଗୁଡା ଲୋକଙ୍କ ଉନ୍ନତି ପାଇଁ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି । ଆଗାମୀ ୨୦୧୯ ନିର୍ବାଚନରେ ସେ ବିଜୁ ଜନତା ଦଳରୁ ନିର୍ବାଚନ ଲଢନ୍ତୁ ବୋଲି ଝାରସୁଗୁଡାବାସୀ ଚାହୁଁଥିବା ନବ କହିଛନ୍ତି ।

ଆଗାମୀ ଜାନୁଆରୀ ୨୪ ତାରିଖରେ ସେ ବିଜେଡିରେ ଯୋଗ ଦେବା ସ୍ପଷ୍ଟ କରିଛନ୍ତି ନବ ଦାସ । ତେଣୁ କଂଗ୍ରେସର ହାତ ଛାଡ଼ି ଶଙ୍ଖ ଧରିବାକୁ କଂଗ୍ରେସରରୁ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି ଝାରସଗୁଡ଼ା ବିଧାୟକ ନବ କିଶୋର ଦାସ । ରାଜ୍ୟ ରାଜନୀତିରେ ଦୀର୍ଘ କିଛି ମାସ ହେବ ଧରି ଯେଉଁ ଚର୍ଚ୍ଚା ଲାଗି ରହିଥିଲା ଶେଷରେ ଏଥିରେ ପୂର୍ଣ୍ଣଛେଦ ପକାଇଦେଇଛନ୍ତି ନବ ଦାସ ।