ଓଏଚଆରସିକୁ ଗଲା ସ୍ମିତାରାଣୀ ମୃତ୍ୟୁ ମାମଲା। ରାଜ୍ୟ ମାନବାଧିକାର କମିସନ ଓ ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ଫେରାଦ ହେଲେ ସ୍ମିତାଙ୍କ ସ୍ୱାମୀ

ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଲେ ଅନୁରୋଧ

635

କନକ ବ୍ୟୁରୋ: ସ୍ମିତାରାଣୀଙ୍କ ସପକ୍ଷରେ ସ୍ୱାମୀ । ଶେଷରେ ସ୍ତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ସ୍ମିତାରାଣୀଙ୍କ ସ୍ୱାମୀ । ନ୍ୟାୟ ପାଇଁ ଓଏଚଆରସି ଓ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ସ୍ମିିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ । ସୁଶୀଲ ଅଭିଯୋଗ କରିଛନ୍ତି, ତାଙ୍କ ସ୍ତ୍ରୀର ଚାକିରୀ ଜୀବନକୁ ତଦନ୍ତ ନକରି ବ୍ୟକ୍ତିଗତ ଜୀବନକୁ ତଦନ୍ତ କରାଯାଇଛି । ଚାକିରୀ ଜୀବନରେ ମାନସିକ ଚାପରେ ଥିଲେ ସ୍ମିତାରାଣୀ । ଘଟଣା ପରେ ଗେଷ୍ଟହାଉସକୁ ପୋଲିସ ଛାଡିନଥିଲା ବୋଲି ଅଭିଯୋଗ ଆଣିଛନ୍ତି ସୁଶୀଲ । ଘଟଣାର ପୁଣି ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଯାଜପୁର ଯାଇ କମିଶନ ତଦନ୍ତ କରିଛନ୍ତି । ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ । ଆବଶ୍ୟକ ହେଲେ ପୁଣି ଥରେ ତଦନ୍ତ କରାଯିବ ।

ଗତ ସପ୍ତାହରେ ସରପଂଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସରୁ ସ୍ମିତାରଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଯାଜପୁର ଏସପି କହଥିଲେ, ଧର୍ମଶାଳା ବ୍ଲକ୍ର ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କର ରୂପେଶଙ୍କ ସହ ପ୍ରେମ ସମ୍ପର୍କ ଥିଲା ଓ କିଛି ଦିନ ହେବ ଦୁଇଜଣଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ସ୍ମିତା ଗେଷ୍ଟହାଉସରେ ଆତ୍ମହତ୍ୟା କରିଥିଲେ . ପୋଲିସର ଏହି ସୂଚନାକୁ ଖଣ୍ଡନ କରିଥିଲେ ସ୍ମିତାଙ୍କ ପରିବାର ଲୋକ । ପୋଲିସର ଏଭଳି ବୟାନକୁ ବିରୋଧ କରି ଗତକାଲି ଯାଜପୁର ବିଜେପି ପକ୍ଷରୁ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଥିଲା । ଘଟଣାର ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରିଛନ୍ତି ।