ମହାରଥୀଙ୍କ ଇସ୍ତଫା ପରେ ବଢିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ! ନିର୍ବାଚନୀ ବର୍ଷରେ କିଏ ପାଇବ କୃଷି ଓ ପଞ୍ଚାୟତିରାଜ ବିଭାଗ?

ମହାରଥୀ ଗଲେ, ଏବେ ମନ୍ତ୍ରୀମଣ୍ଡଳକୁ ଫେରିବେ କିଏ ?

329

କନକ ବ୍ୟୁରୋ : ଅମାନିଆ ତୁଣ୍ଡ ପାଇଁ ଗଲା ମହାରଥୀଙ୍କ ମୁଣ୍ଡ । ପିପିଲି ପୀଡିତା ମାମଲାରେ ବିବାଦୀୟ ବୟାନ ଦେଇଥିବା ପ୍ରଦୀପ ମହାରଥୀ ଆଜି ନିଜଆଡୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଉଭୟ କୃଷି ଓ ପଞ୍ଚାୟତି ରାଜ ବିଭାଗର ମନ୍ତ୍ରୀ ଥିବା ମହାରଥୀ ନିଜ ପଦରୁ ଇସ୍ତଫା ଦେବା ପରେ ଏବେ ଏହି ବିଭାଗର ମଙ୍ଗୁଆଳ କିଏ ସାଜିବ ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିଛି । କାରଣ ଏହି ଦୁଇଟି ବିଭାଗ ଦ୍ୱାରା ସରକାର ଯେତେବେଳେ ନିଜ ସପକ୍ଷରେ ଭୋଟବ୍ୟାଙ୍କ ତିଆରି କରିବାକୁ ଯାଉଛନ୍ତି ଠିକ୍ ସେହି ସମୟରେ ମହାରଥୀଙ୍କ ଇସ୍ତଫା ନିଶ୍ଚିତ ଭାବରେ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି ।

କୃଷି ଓ ପଞ୍ଚାୟତିରାଜ ବିଭାଗ । ନିର୍ବାଚନ ପୂର୍ବରୁ ଏହି ଦୁଇଟି ବିଭାଗ ଦ୍ୱାରା ସରକାର ଲୋକଙ୍କ ପାଖରେ ପହଞ୍ଚିବାକୁ ଭରପୁର ପ୍ରୟାସ କରୁଛନ୍ତି । ଏଥିପାଇଁ ପଞ୍ଚାୟତିରାଜି ବିଭାଗ ଅଧିନରେ ଆମ ଗାଁ ଆମ ବିକାଶ ଯୋଜନା କରି ଗ୍ରାମାଞ୍ଚଳର ଲୋକଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରୁଥିବା ବେଳେ କାଳିଆ ଯୋଜନା କରି ଚାଷୀଙ୍କ ବିଶ୍ୱାସ ଜିତିବାକୁ ସରକାର ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି । ଆଉ ଠିକ୍ ଏହି ସମୟରେ ଉଭୟ ପଞ୍ଚାୟତିରାଜ ଓ କୃଷି ବିଭାଗର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାରଥୀ ।

ନିର୍ବାଚନକୁ ଆଉ ଅଳ୍ପ କେଇଟା ଦିନ ବାକି ଥିବା ବେଳେ ମହାରଥୀଙ୍କ ଇସ୍ତଫା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚାକୁ ମଧ୍ୟ ବଢାଇଦେଇଛି । ମହାରଥୀଙ୍କ ଇସ୍ତଫା ସହ ନବୀନଙ୍କ ଚତୁର୍ଥ ପାଳିରେ ଶେଷ ଥର ପାଇଁ ମନ୍ତ୍ରୀମଣ୍ଡଳ ଅଦଳବଦଳ କରାଯିବାକୁ ଯୋଜନା ଚାଲୁଥିବା ଚର୍ଚ୍ଚା ହେଉଛି । କେବଳ ମହାରଥୀ ନୁହେଁ ବରଂ ନବୀନଙ୍କ କୋର ଟିମର ଆଉ ଜଣେ ବିବାଦୀୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ମଧ୍ୟ ବାଦ ପଡିପାରନ୍ତି ଶୁଣିବାକୁ ମିଳୁଛି । ତେବେ ଏନେଇ କୌଣସି ସ୍ପଷ୍ଟ ସଂକେତ ଏଯାଏଁ ମିଳିନି ।

ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପାଇଁ ଏକରକମ ବାଟ ଫିଟିଛି । ଏପରିକି ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀମଣ୍ଡଳର ନବକଳେବର ହେବ ବୋଲି କୁହାଯାଉଛି । ନିର୍ବାଚନ ପୂର୍ବରୁ କୌଣସି ବିବାଦୀୟ ମନ୍ତ୍ରୀଙ୍କୁ ସାଥୀରେ ରଖି ଅଡୁଆରେ ପଡିବାକୁ ଚାହୁଁନାହାନ୍ତି ନବୀନ । ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ସହ ନିବାର୍ଚନୀ ମୈଦାନକୁ ଓହ୍ଳାଇବାକୁ ଲକ୍ଷ୍ୟ ରଖିଛି ଦଳ ।

ସବୁଠୁ ବଡ କଥା ହେଉଛି, ମହାରଥୀଙ୍କ ଇସ୍ତଫା ପରେ ଏହି ଦୁଇ ବିଭାଗର ଦାୟିତ୍ୱ କାହା ହାତରେ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର । କାରଣ ଏହି ଦୁଇ ବିଭାଗର ବିଭିନ୍ନ ଯୋଜନା ୨୦୧୯ ନିର୍ବାଚନରେ ବିଜେଡି ପାଇଁ ସବୁଠୁ ବଡ ଭୋଟବ୍ୟାଙ୍କ ଭାବେ ଉଭା ହେବାକୁ ଯାଉଛି । ତେଣୁ ଏହି ଦୁଇ ବିଭାଗର ଦାୟିତ୍ୱ ଜଣେ ଅନୁଭବୀ ତଥା ର୍ନିବିବାଦୀୟ ନେତାଙ୍କ ହାତରେ ଦେଇ ୨୦୧୯ ନିର୍ବାଚନ ବୈତରଣୀ ବେଶ ସୁରୁଖୁରରେ ପାର ହେବାକୁ ବିଜେଡି ଲକ୍ଷ୍ୟ ରଖିଛି ବୋଲି ଚର୍ଚ୍ଚା ହେଉଛି । ଏହାଛଡା କିଛି ମନ୍ତ୍ରୀଙ୍କର ବିଭାଗ ମଧ୍ୟ ବଦଳିପାରେ ବୋଲି ଶୁଣିବାକୁ ମିଳୁଛି । ତେଣୁ ମହାରଥୀଙ୍କ ସ୍ଥାନରେ କାହାକୁ ନୂଆ ଦାୟିତ୍ୱ ମିଳିବ ଓ ପ୍ରୋଗ୍ରେସ ରିପୋର୍ଟ ଅଧାରରେ କେଉଁ ମନ୍ତ୍ରୀଙ୍କର ବିଭାଗ ବଦଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।