ଏଲପିଜି ପରେ କିରାସିନିର ମୂଲ୍ୟ ବୃଦ୍ଧି ! ପ୍ରତି ୧୫ ଦିନରେ ଦର ୨୫ ପଇସା ବଢ଼ିବ

47

କନକ ବ୍ୟୁରୋ : ପେଟ୍ରୋଲ୍‌, ଡିଜେଲ ଏବଂ ଏଲପିଜି ପରେ ଏବେ ସରକାର କିରାସିନି ମାଡ଼ କରିଛନ୍ତି । ଏଲପିଜି ଉପରୁ ସବସିଡି ପ୍ରତ୍ୟାହାର କରିବା ଘୋଷଣାକୁ ସପ୍ତାହେ ପୂରିନଥିବା ବେଳେ କିରାସିନି ଦର ବଢ଼ାଇବା ବିଷୟରେ ଘୋଷଣା କରାଯାଇଛି । କିରାସିନି ଉପରୁ ସବସିଡି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ମନ ସ୍ଥିର କରିଛନ୍ତି । କିରାସିନି ମୂଲ୍ୟ ପ୍ରତି ୧୫ ଦିନରେ ୨୫ ପଇସା ଲେଖାଏଁ ବୃଦ୍ଧି ପାଇବ । ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଅନ୍ୟଥା ସରକାରଙ୍କ ପରବର୍ତ୍ତି ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ତେଲ କଂପାନିଗୁଡ଼ିକ କିରାସିନି ମୂଲ୍ୟରେ ୨୫ ପଇସାର ବୃଦ୍ଧି ଜାରି ରଖିବେ ।

ଭୁବନେଶ୍ୱରରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଜରିଆରେ ବିକ୍ରି କରାଯାଉଥିବା ଲିଟର ପିଛା କିରାସିନି ମୂଲ୍ୟ ୧୮ ଟଙ୍କା ରହିଛି । ସେହି ସମୟରେ କିରାସିନିର ବଜାର ଦର ହେଉଛି ଲିଟର ପିଛା ୫୦ ଟଙ୍କା । ଅର୍ଥାତ ସବସିଡି ଏବଂ ଅଣସବସିଡି ଦର ଭିତରେ ୩୨ ଟଙ୍କା ପାଖାପାଖି ଅନ୍ତର ରହୁଛି ଯାହାକୁ ସରକାର ସବସିଡି ଜରିଆରେ ଭରଣା କରୁଛନ୍ତି। ଏହି ସବସିଡିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଏବେ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

କିରାସିନି ମୂଲ୍ୟ ବଢ଼ାଇବା ବିଷୟରେ ସରକାରଙ୍କ କହିବା କଥା ହେଉଛି ଗାଁଗୁଡ଼ିକର ବିଦ୍ୟୁତକରଣ ହେବା ଏବଂ ଗରିବ ମହିଳାମାନଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯିବା ପରେ କିରାସିନିର ଚାହିଦା ବହୁତ କମ୍‌ ହୋଇଛି । କିନ୍ତୁ ସରକାର କିରାସିନି ଉପରେ ସବ୍‌ସିଡି ଜାରି ରଖିଛନ୍ତି । ସେହି କମ୍‌ ମୂଲ୍ୟର କିରାସିନିକୁ ନେଇ ଅନ୍ୟତ୍ର ବ୍ୟବହାର କରାଯାଉଥିବା ସରକାର ସନ୍ଦେହ କରୁଛନ୍ତି । ବିଶେଷ କରି ଡିଜେଲ୍‌ ଅପମିଶ୍ରଣ କରିବାରେ ରିହାତି ଦରର କିରାସିନି ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି । ସେଥିପାଇଁ ସରକାର ସବସିଡି ଉଚ୍ଛେଦ କରିବାକୁ ଚାହୁଁଛନ୍ତି । ସବସିଡି ଦରରେ ପ୍ରଦାନ କରାଯାଉଥିବା ଏଲ୍‌ପିଜି ସିଲିଣ୍ଡର ଦର ପ୍ରତି ମାସରେ ୪ ଟଙ୍କା ବଢ଼ାଇବାକୁ ସରକାର ଘୋଷଣା କରିସାରିଛନ୍ତି।

ପେଟ୍ରୋଲିୟମ୍‌ କ୍ଷେତ୍ରର ଚାରିଟି ପ୍ରମୁଖ ଉତ୍ପାଦ ପେଟ୍ରୋଲ୍‌, ଡିଜେଲ୍‌, ଏଲ୍‌ପିଜି ଏବଂ କିରାସିନି ମୂଲ୍ୟକୁ ବଜାର ଦର ସହିତ ସମାନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି । ୨୦୧୦ରୁ ଏହା ଉପରେ କାମ ଆରମ୍ଭ ହୋଇଥିଲା । ପ୍ରଥମେ ପେଟ୍ରୋଲ୍‌ ଏବଂ କିଛି ବର୍ଷ ପରେ ଡିଜେଲ୍‌ ଦରକୁ ମଧ୍ୟ ସରକାର ନିଜ କବ୍‌ଜାରୁ ନିୟନ୍ତ୍ରଣମୁକ୍ତ କରିଛନ୍ତି । ଏବେ ତେଲ କଂପାନିଗୁଡ଼ିକ ବିଭିନ୍ନ ବିଷୟ ବିଚାରକୁ ନେଇ ପେଟ୍ରୋଲ୍‌ ଏବଂ ଡିଜେଲ ଦର ନିର୍ଧାରଣ କରୁଛନ୍ତି । ସେହିପରି ଆସନ୍ତା ମାର୍ଚ ସୁଦ୍ଧା ଏଲ୍‌ପିଜି ଉପରୁ ସବ୍‌ସିଡି ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ପରେ କିରାସିନିକୁ ଟାର୍ଗେଟ୍‌ କରାଯାଇଛି ।

ପେଟ୍ରୋଲ୍‌, ଡିଜେଲ, ଏଲ୍‌ପିଜି ଏବଂ କିରାସିନି ବଜାର ଭାରତରେ ସରକାରୀ କଂପାନିଗୁଡ଼ିକ କବ୍‌ଜାରେ ରହିଛି । କୌଣସି ଘରୋଇ କଂପାନି ଏହି ବ୍ୟବସାୟରେ ପ୍ରବେଶ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ମାତ୍ର ଏହି ସବୁ ସାମଗ୍ରୀ ଯଦି ବଜାର ଦରରେ ବିକ୍ରି କରାଯିବ ତେବେ ଘରୋଇ କଂପାନିଗୁଡ଼ିକ ଏହି ବ୍ୟବସାୟରେ ପ୍ରବେଶ କରିବେ । ଫଳରେ କଂପାନିଗୁଡ଼ିକ ମଧ୍ୟ ବ୍ୟବସାୟିକ ପ୍ରତିଦ୍ୱନ୍ଦିତା ବଢ଼ିବ ଏବଂ ତାହାର ଲାଭ ଗ୍ରାହକମାନେ ପାଇପାରିବେ । ଗ୍ରାହକମାନଙ୍କ ପାଖରେ ଅନେକ କଂପାନିଠାରୁ ଉତ୍ପାଦ କିଣିବାର ବିକଳ୍ପ ରହିବ ଯାହା ଏବେ ତିନି ଚାରିଟି କଂପାନି ମଧ୍ୟରେ ସୀମିତ ରହିଛି । ବିଶ୍ୱର ପ୍ରତିଷ୍ଠିତ କଂପାନିଗୁଡ଼ିକ ମଧ୍ୟ ଏହି ବ୍ୟବସାୟରେ ପ୍ରବେଶ କରିବାର ସୁଯୋଗ ପାଇବେ ।

ତେବେ ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଭାରତ ଭଳି ରାଷ୍ଟ୍ର ଯେଉଁଠାରେ ଅଧିକ ପରିମାଣର ଗରିବ ଲୋକ ବାସ କରୁଛନ୍ତି, ଯଦି ବଜାରରେ ପେଟ୍ରୋଲ୍‌, ଡିଜେଲ, ଏଲ୍‌ପିଜି ଏବଂ କିରାସିନି ଦର ଆକାଶଛୁଁଆ ସ୍ତରରେ ପହଞ୍ଚିଯିବ, ତେବେ ସେମାନଙ୍କ ସ୍ୱାର୍ଥକୁ କିଏ ସୁରକ୍ଷା ପ୍ରଦାନ କରିବ? ଯଦିଓ ସରକାର ନିଜ ଆଡୁ କହୁଛନ୍ତି ଯେ ସବ୍‌ସିଡି ପ୍ରତ୍ୟାହାର ପ୍ରକ୍ରିୟାରେ ଦେଶର ଗରିବ ଲୋକମାନେ ପ୍ରଭାବିତ ହେବେ ନାହିଁ । ସେମାନଙ୍କ ସ୍ୱାର୍ଥକୁ ସରକାର ରକ୍ଷା କରିବେ । ମାତ୍ର ସେହି ପ୍ରତିଶ୍ରୁତିକୁ ସରକାର କେତେ ଦୂର ପାଳନ କରିବେ ତାହା ଭବିଷ୍ୟତରେ ଜଣାପଡ଼ିବ ।