ଲାଲକିଲ୍ଲା ପରେ କୋଣାର୍କକୁ ନେଇ ଚର୍ଚ୍ଚା ! ମୋଦି ସରକାରଙ୍କ ଆଡପ୍ଟ-ଏ-ହେରିଟେଜ୍ ଯୋଜନାର ତାଲିକାରେ ରହିଛି ଓଡ଼ିଶାର ଐତିହ୍ୟ ।

115

କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି କେତେ ବୈଭବଶାଳୀ, ଓଡ଼ିଆ କାରିଗରଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ କେତେ ଉଚ୍ଚକୋଟିର, ତାହା ୮୦୦ ବର୍ଷର ଏହି କୀର୍ତିରାଜି ବଖାଣିଥାଏ । ସାରା ବିଶ୍ୱରେ ଓଡ଼ିଶାର ପ୍ରାଚୁର୍ଯ୍ୟମୟ କଳାସଂସ୍କୃତିର ପରିଚୟ ଦେଇଥାଏ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏବେ ଏହି ଐତିହ୍ୟ ଘରୋଇ ସଂସ୍ଥା ହାତକୁ ଯିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଲାଲ କିଲ୍ଲା ପରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ରକ୍ଷଣାବେକ୍ଷଣ ପାଇଁ କର୍ପୋରେଟ ହାତକୁ ଟେକି ଦେଇପାରନ୍ତି କେନ୍ଦ୍ର ସରକାର । ‘ଆଡପ୍ଟ –ଏ- ହେରିଟେଜ୍’ ଯୋଜନାର ପ୍ରଥମ ଫେଜ୍ ତାଲିକାରେ ରହିଛି କୋଣାର୍କ । ଅର୍ଥାତ୍ ଖୁବଶୀଘ୍ର ଘରୋଇ ସଂସ୍ଥା ହାତକୁ ଚାଲିଯାଇପାରେ ବ୍ଳାକ୍ ପାଗୋଡା । ଏପରି ହେଲେ ଘରୋଇ ସଂସ୍ଥା ଏହାର ରକ୍ଷଣା ବେକ୍ଷଣା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ କରଣ ପର୍ଯ୍ୟନ୍ତ ସବୁ କାମ କରିବ । ସାରା ବିଶ୍ୱରୁ ପର୍ଯ୍ୟଟକମାନେ କୋଣାର୍କର କାରୁକାର୍ଯ୍ୟ ଦେଖିବାକୁ ଆସିଥାନ୍ତି । ଏସବୁକୁ ନିୟନ୍ତ୍ରଣ ଓ ପରିଚାଳନା କ୍ଷମତା ମଧ୍ୟ ରହିବ ଘରୋଇ ସଂସ୍ଥା ହାତରେ । ଓଡ଼ିଶାବାସୀ ଭାବାବେଗ ସହ କୋଣାର୍କ ଜଡିତ ଥିବାରୁ ମୋଦି ସରକାରଙ୍କ ଏପରି ନିଷ୍ପତି ଉପରେ ଏବେ ପ୍ରଶ୍ନ ଉଠିଛି ।

କେଣାର୍କ ହେଉଛି ଦେଶର ଅନ୍ୟତମ ପ୍ରାଚୀନ ସୂର୍ଯ୍ୟ ମନ୍ଦିର । ମୂଳ ମନ୍ଦିରର ଅସ୍ତିତ୍ୱ ନଥିବା ବେଳେ ଏହାର ମୁଖଶାଳାର କାରୁକାର୍ଯ୍ୟରେ ବିଶ୍ୱାବାସୀ ବିମୋହିତ ହୋଇଥାନ୍ତି । ଓଡ଼ିଶା ପାଇଁ କୋଣାର୍କ କେବଳ ଏକ ଐତିହ୍ୟ ନୁହେଁ, ଏହି କୀର୍ତିରାଜି ଓଡ଼ିଶାର ଭାବାବେଗ ସହ ଜଡିତ ।

ଲାଲ କିଲ୍ଲା ଭଳି କୋଣାର୍କ ମନ୍ଦିର ମଧ୍ୟ ଘରୋଇକରଣ ହେବ । କେନ୍ଦ୍ର ପର୍ଯ୍ୟଟନ ବିଭାଗର ଆଡପ୍ଟ ଏ ହେରିଟେଜ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ରହିଛି ଓଡ଼ିଶାର ଏହି ଐତିହ୍ୟ । ପ୍ରଥମ ପର୍ଯ୍ୟାୟ ତାଲିକାରେ ରହିଛି ଓଡ଼ିଶାର ତିନିଟି କୀର୍ତିରାଜି । କୋଣାର୍କ ସମେତ ରତ୍ନଗିରି ଓ ରାଜାରାଣୀ ମନ୍ଦିର ମଧ୍ୟ ଏହି ତାଲିକାରେ ରହିଛି ।

ତେର ଶହ ଶତାବ୍ଦିରେ ନିର୍ମିତ କୋଣାର୍କର କାରୁକାର୍ଯ୍ୟ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଘରୋଇ କରଣ ହୋଇଗଲେ ଏସବୁକୁ ନିୟନ୍ତ୍ରଣ ଓ ପରିଚାଳନା କ୍ଷମତା ମଧ୍ୟ ରହିବ ଘରୋଇ ସଂସ୍ଥା ହାତରେ । ଯାହାକୁ ନେଇ ପ୍ରବଳ ବିରୋଧ ହେବାର ଆଶଙ୍କା ରହିଛି ।