ଫୁଟିଲା ଗୁଳି ଚାଲିଗଲା ବାଘୁଣୀ ! ଜଣଙ୍କୁ ମାରିବା ପରେ ଶିକାରକୁ ଛକି ରହିଥିଲା ସୁନ୍ଦରୀ, ହାବୁଡରେ ପଡ଼ିଗଲେ ପୋଲିସ, ସାମ୍ବାଦିକ ଓ ସ୍ଥାନୀୟ ଲୋକ ।

4

କନକ ବ୍ୟୁରୋ : ରକ୍ତମୁଖା ବାଘୁଣୀ ପୁଣି କରିଛି ମଣିଷ ଶିକାର । ସାତକୋଶିଆ ଟାଇଁସି ଗାଁରେ ଜଣେ ବୃଦ୍ଧଙ୍କୁ ସୁନ୍ଦରୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଘଟଣା ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି କରିଛି । ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ସ୍ଥାନୀୟ ଲୋକ । ସେପଟେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଭୁବନେଶ୍ୱରରୁ ଏକ ଟିମ୍ ସାତକୋଶିଆ ଯାଉଛି । ଏସବୁ ଭିତରେ ବାଘୁଣୀର ରକ୍ତମୁଖା ଚେହେରା ନେଇ ଆସିଛି ଏକ ଅଭାବନୀୟ କାହାଣୀ । ମୃତଦେହକୁ ଯେତେବେଳେ ଜଙ୍ଗଲରୁ ଆଣିବା ପାଇଁ ସାମ୍ବାଦିକ, ପୋଲିସ ଓ କିଛି ସ୍ଥାନୀୟ ଲୋକ ସେଠାକୁ ଯାଇଥିଲେ, ସେତେବେଳେ ବାଘୁଣୀ ସୁନ୍ଦରୀ, ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ତେବେ ପୋଲିସର ବ୍ଲାଙ୍କ୍ ଫାଏରିଂରେ ଚମ୍ପଟ ମାରିଥିଲା ସୁନ୍ଦରୀ ।

ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥାଏ ସୁନ୍ଦରୀ । ସାତକୋଶିଆ ଜଙ୍ଗଲ ଭିତରେ ପଡି ରହିଥାଏ ମୃତଦେହ । ଖବର ପାଇ ଘଟଣା ସ୍ଥଳରେ ପହଂଚିଥାନ୍ତି ପୁରୁଣାକୋର୍ଟ ଆଇଆଇସି, ଜଣେ ସାମ୍ବାଦିକ ଏବଂ ଦୁଇ ଜଣ ସ୍ଥାନୀୟ ଲୋକ । ମୃତଦେହକୁ ଉଠାଇ ପୁଲିସ୍ ଗାଡ଼ିରେ ରଖିବା ଉଦ୍ୟମ କରୁଥିବା ବେଳେ ଛକି ରହିଥିବା ସୁନ୍ଦରୀ ହଠାତ୍ ହିଂସ୍ର ହୋଇ ଉଠିଥିଲା । କାରଣ, ତା ଆଖି ଆଗରେ ଶିକାର ଚାଲିଯାଉଛି । ଶିକାରକୁ ଦୂରରୁ ଛକି ରହିଥିବା ବାଘୁଣୀ, ଅଚାନକ୍ ଏହି ୪ଜଣ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଦେଲା । ଦେହ ଥରି ଉଠିଲା ଭଳି ସ୍ଥିତି । ସେତେବେଳକୁ ସାମ୍ବାଦିକଙ୍କ ଉପରେ ଝାମ୍ଫି ସାରିଥାଏ । କ’ଣ କରାଯିବ, କିଛି ଭାବିବା ପୂର୍ବରୁ ପୁରୁଣାକୋର୍ଟ ଆଇଆଇସି ଦୁଇ ରାଉଣ୍ଡ ବ୍ଲାଙ୍କ୍ ଫାଏରିଂ କରିଥିଲେ । ଆଉ ଗୁଳିର ଶବ୍ଦ ଶୁଣି ଚମ୍ପଟ୍ ମାରିଦେଲା ବାଘୁଣୀ ସୁନ୍ଦରୀ ।

ଅଳ୍ପକେ ବର୍ତିଗଲା ୪ଟି ଜୀବନ । ବାଘୁଣୀ ମୁହଁରୁ ଫେରିଲା ମଣିଷ । ପୁରୁଣାକୋର୍ଟ ଆଇଆଇସିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୪ ଜଣଙ୍କ ଜୀବନ ବଂଚି ଯାଇଛି । ପୂର୍ବରୁ ହାତିବାରୀ ଅଂଚଳରେ ଜଣେ ମହିଳାଙ୍କ ଜୀବନ ନେଇ ସାରିଥିବା ସୁନ୍ଦରୀ, କିନ୍ତୁ ଏବେବି ସାତକୋଶିଆ ଅଂଚଳରେ ବେଧଡକ୍ ଘୁରି ବୁଲୁଛି ।
ବାଘୁଣୀ ସୁନ୍ଦରୀକୁ ନେଇ ଗୋଟିଏ ପରେ ଗୋଟିଏ ଆକ୍ରମଣର ଖବର ଆସୁଛି । ଅନ୍ୟପଟେ ଅନାୟାସରେ ଘୁରି ବୁଲୁଛି ସୁନ୍ଦରୀ । ହେଲେ ବାଘର ଆଚରଣ ଓ ବିଚରଣକୁ ନେଇ ସଠିକ୍ ବିବରଣୀ ଦେବାରେ ଏକ ପ୍ରକାର ଫେଲ ମାରିଛି ବନବିଭାଗ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢ଼ିବାରେ ଲାଗିଛି ଉତ୍ତେଜନା । ତ୍ରିନାଥ ସାହୁଙ୍କ ମୃତ୍ୟୁ ଖବର ପରେ ପୁଲିସକୁ ଘେରିଛନ୍ତି ସ୍ଥାନୀୟ ବାସିନ୍ଦା । ପୁଲିସ ଗାଡ଼ିକୁ ପଙ୍କଚର କରିବା ସହ ବେଶ କିଛି ସମୟ ଧରି ପୁଲିସ ଅଧିକାରୀଙ୍କୁ ଅଟକ ରଖିଛନ୍ତି । ଏବେ ସ୍ଥିତି ଏମିତି ହୋଇଛି ଯେ, ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଫୋର୍ସ ମୁତୟନ କରିବାକୁ ପଡ଼ିଛି ।

Comments are closed.